ଖଣ୍ଡଗିରି: ମୟୂରଭଞ୍ଜ ଜିଲ୍ଲା ଡୁକ୍‌ରାରେ ଘର। ସେଠି ଧାନ ଜମିରେ କୃଷି ଶ୍ରମିକ ଭାବେ କେବଳ ଯେତିକି କାମ ମିଳୁଥିଲା। ବର୍ଷର ଅଧାରୁ ଅଧିକ ସମୟ ବିନା ରୋଜଗାରରେ ବଡ଼ କଷ୍ଟରେ ବଞ୍ଚିବାକୁ ପଡ଼ୁଥିଲା। ୯୦ ଦଶକରେ ଜଣେ ଶ୍ରମିକ ଠିକାଦାର ରାଜଧାନୀରେ କାମ ଯୋଗାଇ ଦେବ କହିବାରୁ ଟ୍ରକ୍‌ରେ ଖୁନ୍ଦାଖୁନ୍ଦି ହୋଇ ପିଲାଛୁଆ ଧରି ଗାଁ ଛାଡ଼ିଥିଲୁ। ଏଠି ଆସି କ୍ରସର୍‌ରେ କାମ କଲୁ। ରାତିଦିନ କାମ ମିଳିଲା। କିଛି ବର୍ଷ ପରେ କୋଠାବାଡ଼ି ନିର୍ମାଣ କାମ ମିଳିଲା। ଗାଁର ରୋଜଗାର ସଙ୍କଟ ରାଜଧାନୀରେ ରହିଲା ନାହିଁ। ତେଣୁ ଏଠି ସ୍ଥାୟୀ ଭାବରେ ରହିବାକୁ ଚିନ୍ତା କଲୁ। କ୍ରସର୍‌ ମାଲିକଙ୍କ ସହଯୋଗରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୨ ଆଦିବାସୀ ପରିବା‌ର ଏଠି ଝାଟିମାଟି ଘର ତିଆରି କରି ରହିଲୁ। ଫୁଲେଶ୍ବରୀ ଦେବୀଙ୍କ ନିକଟରେ ଏହି କ୍ଷୁଦ୍ର ଜନବସତି ଗଢ଼ି ଉଠିଥିବାରୁ ଏହାକୁ ଲୋକେ ଫୁଲେଶ୍ବରୀ ବସ୍ତି କହିଲେ। ଏହା ଭିତରେ ଦୀର୍ଘ ୩୦ ବର୍ଷ ବିତିଗଲାଣି। ୧୨ ପରିବାରକୁ ନେଇ ଗଢ଼ି ଉଠିଥିବା ବସ୍ତିରେ ଏବେ ୩୫୦୦ ପରିବାର ରହିଲେଣି।

Advertisment

କଟକ, ଯାଜପୁର, କୋରାପୁଟ, ଗଞ୍ଜାମ, ବଲାଙ୍ଗୀର ଭଳି ଜିଲ୍ଲାରୁ ରୋଜଗାର ସନ୍ଧାନରେ ଆସୁଥିବା ଦିନମଜୁରିଆ ପରିବାରର ସ୍ଥାୟୀ ଠିକଣା ପାଲଟିସାରିଛି ଏହି ବସ୍ତି। ଆଜି ଏହି ବସ୍ତି ‘ମିନି ଓଡ଼ିଶା’ରେ ପରିଣତ ହୋଇଛି। ମାତ୍ର କାହାକୁ ସ୍ଥାୟୀ ଜମି ପଟ୍ଟା ମିଳୁନାହିଁ। ଫଳରେ ସରକାରଙ୍କ ବହୁ କଲ୍ୟାଣମୂଳକ ଯୋଜନାରୁ ଆମେ ବଞ୍ଚିତ। ଏଥିସହିତ ବସ୍ତି ଉଚ୍ଛେଦ ହେବା ଆଶଙ୍କାରେ ଦିନ ବିତୁଛି। ପୂରା ବସ୍ତିବାସିନ୍ଦାଙ୍କ ଦୁଃଖ କାହାଣୀକୁ ଏମିତି ବଖାଣିଛନ୍ତି ସରସ୍ବତୀ ସିଂ(୫୫)।

ପୁରୁଖା ଅଧିବାସୀମାନେ କହନ୍ତି; ୯୦ ଦଶକରେ ପାତ୍ରପଡ଼ାର ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଥିଲା। ଏକ ପିପଳ ଗଛ ମୂଳରେ ମା’ ଫୁଲେଶ୍ବରୀ ପୂଜା ପାଉଥିଲେ। ଜଣେ କ୍ରସର ମାଲିକ ସ୍ବପ୍ନାଦେଶ ପାଇ ମନ୍ଦିର ପ୍ରତିଷ୍ଠା କଲେ। ସମୟକ୍ରମେ ଏଠାରେ ଜନବସତି ଗଢ଼ି ଉଠିଲା। ଆଜି ସେହି ମନ୍ଦିର ପ୍ରାଙ୍ଗଣସ୍ଥ ଜମିରେ ଜଣେ ଅପେରା ମାଲିକଙ୍କ ଆଖଡ଼ା ଚାଲିଛି। କିଛି ଜମି ମାଫିଆ ନିରୀହ ଲୋକଙ୍କୁ ବୋକା ବନାଇ ଘରୋଇ ଜମି କହି ସରକାରୀ ଜମି ବିକ୍ରି କରି ଦେଇଛନ୍ତି। ତେଣୁ ପରେ ସ୍ଥାୟୀ ପଟ୍ଟା ନ ପାଇ ସେମାନେ ଅନିଶ୍ଚିତତାରେ କାଳ କାଟୁଛନ୍ତି। ୩୦ ବର୍ଷ ତଳର କଥା ମନେ ପକାଇ ସରସ୍ବତୀ କହନ୍ତି, ସେମାନେ ପ୍ରଥମେ ରହିବାବେଳେ ପାଣି, ବିଜୁଳି, ରାସ୍ତା, ଶିକ୍ଷା ବ୍ୟବସ୍ଥା ଭଳି କୌଣସି ମୌଳିକ ସୁବିଧା ନ ଥିଲା। ସଂଜ ନଇଁଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଥିଲା। ମଦ୍ୟପମାନଙ୍କ ଭୟରେ ମହିଳାମାନେ ଆତଙ୍କିତ ଅବସ୍ଥାରେ ରହୁଥିଲେ। ଘରୁ ଗୋଡ଼ କାଢ଼ିବାକୁ ଡର ଲାଗୁଥିଲା। ୧୯୯୯ ମସିହା ମହାବାତ୍ୟା ପରେ ସ୍ଥିତିରେ କିଛି ପରିବର୍ତ୍ତନ ଘଟିଲା।

ରା‌ଜ୍ୟର ବିଭିନ୍ନ ଅଞ୍ଚଳରୁ ଶହଶହ ବାତ୍ୟା କ୍ଷତିଗ୍ରସ୍ତ ଜୀବିକା ଅନ୍ବେଷଣରେ ଆସି ଏଠାରେ ରହିଲେ। ବସ୍ତି ବଢ଼ିଲା। ଫଳରେ ମହିଳାମାନେ ଏକାଠି ହୋଇ ସର୍ବନିମ୍ନ ଆବଶ୍ୟକତା ପାଇଁ ଲଢ଼େଇ କଲେ। ଝାଟିମାଟି ଘରେ ପ୍ରାଥମିକ ବିଦ୍ୟାଳୟଟିଏ ଖୋଲିଲା। ୨୦୧୨ ମସିହାରେ ବସ୍ତିକୁ ବିଜୁଳି ଆସିଲା। ୨୦୧୮ ମସିହାରେ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହେଲା। ଭୋଟର ତାଲିକାରେ ସେମାନଙ୍କୁ ସ୍ଥାନ ମିଳିବା ପରେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଗଲା ବୋଲି ମୂଳ ଅଧିବାସୀ ସବିତା ଗୌଡ଼ କହନ୍ତି। ତଥାପି ବହୁ ସମସ୍ୟା ଏବେ ବି ରହିଛି। ନିର୍ବାଚନ ସମୟରେ ପୁଳପୁଳା ପ୍ରତିଶ୍ରୁତି ମିଳେ, କିନ୍ତୁ ପରେ କିଛି କାର୍ଯ୍ୟକାରୀ ହୁଏ ନାହିଁ। ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ବର୍ଷା ଦିନେ ଘର ଭିତରକୁ ଆବର୍ଜନା ଜଳ ପଶେ। ବଡ଼ ସମସ୍ୟା ହେଉଛି ସ୍ଥା‌ୟୀ ପଟ୍ଟା। ବାତ୍ୟା ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଓ ଫନିରେ ସେମାନଙ୍କ ଘର ଉଜୁଡ଼ି ଯାଇଥିଲା। ମାତ୍ର ପଟ୍ଟା ନଥିବାରୁ ଘର ଭଙ୍ଗା ସହାୟତା ରାଶି ମିଳିଲା ନାହିଁ। ଧାରକରଜ ଓ ମାଇକ୍ରୋ ଫାଇନାନ୍‌ସ କମ୍ପାନିମାନଙ୍କଠାରୁ ଉଚ୍ଚ ସୁଧରେ ଋଣ କରି ସେମାନେ ଘର ତିଆରି କରୁଛନ୍ତି।

ଚାଉଳ କେଳେଙ୍କାରୀ ନା ପ୍ରଶାସନିକ ତ୍ରୁଟି?

ମହିଳାମାନଙ୍କ କହିବା କଥା ରାସନ କାର୍ଡ ଥାଇ ମଧ୍ୟ ଲକ୍‌ଡାଉନ୍‌ ସମୟରେ ଶହେରୁ ଅଧିକ ପରିବାର ଚାଉଳ ପାଇବାରୁ ବଞ୍ଚିତ ହେଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହେବାର ୨ ବର୍ଷ ପରେ ହଠାତ୍ ୨୦୧୯ ମସିହା ଅଗଷ୍ଟରେ ଶହେ ପରିବାରର ରାସନ କାର୍ଡ କଟିଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଲକ୍‌ଡାଉନ ସମୟରେ ନୂଆ, ପୁରୁଣା କିମ୍ବା ଲିଙ୍କ୍‌ ସମସ୍ୟା ଥିବା ଲୋକ ସମସ୍ତଙ୍କୁ ଚାଉଳ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଥିଲା। ମାତ୍ର ବସ୍ତିର ଶହେ ପରିବାରକୁ ମାଗଣା ଚାଉଳ ମିଳିଲା ନାହିଁ। ଏହା ଚାଉଳ କେଳେଙ୍କାରୀ ନା ପ୍ରଶାସନିକ ତ୍ରୁଟି, ତାହା ଆଜି ବି ବଞ୍ଚିତ ପରିବାରମାନେ ଜାଣିପାରି ନାହାନ୍ତି। ତେବେ ବାପି ଦାସ ଓ ସବିତା ଗୌଡ଼ଙ୍କ ଭଳି ଅନେକ ପରିବାରକୁ ଦେଢ଼ ବର୍ଷ ପରେ ଅର୍ଥାତ ୨୦୨୧ ଜାନୁଆରିରେ ରାସନ କାର୍ଡ ମିଳିଗଲା। କିନ୍ତୁ ପର ଘରେ ବାସନ ମାଜି ଚଳୁଥିବା ରୀତା ବେହେରାଙ୍କୁ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ମିଳିଲା ନାହିଁ। ରୀତାଙ୍କ ଭଳି ଏମିତି ଅନେକ ଗରିବ ପରିବାର ଆଜି ବି ରାସନ କାର୍ଡ ପାଇପାରିନାହାନ୍ତି। ଖାଦ୍ୟ ସୁରକ୍ଷା ଯୋଜନାର ମାନଦଣ୍ଡ ଅନୁସାରେ ସେମାନେ ଯୋଗ୍ୟ ହେଲେ ମଧ୍ୟ କାହିଁକି ସେମାନଙ୍କୁ ବଞ୍ଚିତ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏନେଇ ସେମାନେ ବାରମ୍ବାର ଭୁବନେଶ୍ବର ବ୍ଲକର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଶୁଣିବାକୁ କେହି ନଥିବା ଅଭିଯୋଗ ହୋଇଛି।