ଡ୍ରେନ୍ ସ୍ଥିତି ପରଖିଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର: ରାଜଧା‌ନୀରେ ଚଳିତବର୍ଷ ଯେପରି ବର୍ଷାଜଳ ନ ଜମିବ, କୌଣସି ସ୍ଥାନରେ ଯେପରି ଜଳବନ୍ଦୀ ସମସ୍ୟା ନହେବ, ସେଥିପାଇଁ ବିଏମ୍‌ସି, ପୂର୍ତ୍ତ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର କାମ ଚାଲିଛି। ହେଲେ ମୌସୁମୀ ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବାକୁ ଥିବା ବେଳେ ଏହା ଭିତରେ କେଉଁଠି ସଂପୂର୍ଣ୍ଣ କାମ ସରିବା ଭଳି ସ୍ଥିତି ନାହିଁ। ରାଜଧାନୀରେ ଡ୍ରେନ୍ ସ୍ଥିତି କିପରି ଅଛି, କ’ଣ ପଦକ୍ଷେପ ନିଆଯାଉଛି ତା’ର ସ୍ଥିତି ଯାଞ୍ଚ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ।
ମନ୍ତ୍ରୀ, ବିଧାୟକ ଆଜି ସିଆର୍‌ପିରୁ ଜୟଦେବ ବିହାର ଛକ ମଧ୍ୟରେ ଜାତୀୟ ରାଜପଥରେ ଯେଉଁଠି ଜଳବନ୍ଦୀ ସମସ୍ୟା ଦେଖାଦିଏ ସେଠାରେ ସ୍ଥିତି ପରଖିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରେସିଡେନ୍ସି ହୋଟେଲ ଏବଂ ଇସ୍କନ ମନ୍ଦିର ସମ୍ମୁଖରେ କାମ କରୁଥିବା ବେଳେ ଏହାକୁ ୧୫ ଦିନରେ ସାରିବେ ବୋଲି କହିଛନ୍ତି। ସେହିପରି ମମତାଜ ଅଲ୍ଲୀ ସ୍କୁଲ ନିକଟ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଅଞ୍ଚଳରେ ଯେଉଁଠି ପାଣି ଜମୁଛି ସେଠାରେ ବିଏମ୍‌ସିର ଡ୍ରେନେଜ୍ ଡିଭିଜନ କାମ କରୁଥିବା ବେଳେ ଏହା ୭ଦିନ ଭିତରେ ସରିବ ବୋଲି କୁହାଯାଇଛି। ଏହାବାଦ୍ ମନ୍ତ୍ରୀ ଓ ବିଧାୟକ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।ମନ୍ତ୍ରୀ ଓ ବିଧାୟକଙ୍କ ସହ ବିଏମ୍‌ସି କମିସନର ସମର୍ଥ ବର୍ମା, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗ ଓ ବିଏମ୍‌ସିର ଡ୍ରେନେଜ୍ ଡିଭିଜନର ଅଧିକାରୀ ଓ ପୂର୍ବତନ କର୍ପୋରେଟର ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏକାମ୍ର ଭୁବନେଶ୍ବରର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଆଜିର ଏହି ପରିଦର୍ଶନ ବେଳେ ଦେଖିବାକୁ ମିଳିନଥିଲା। ଭୁବନେଶ୍ବରର ଦୁଇ ବିଧାୟକଙ୍କୁ ଧରି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ବିଭିନ୍ନ ଅଞ୍ଚଳ ବୁଲିଥିଲେ ହେଁ ଅଶୋକ ପଣ୍ଡା କାହିଁକି ଆସିଲେନି ବୋଲି ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧିତ ଖବର