ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର ଆହାର କେନ୍ଦ୍ରରେ ପହଞ୍ଚିବା ପରେ ଧାଡ଼ିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ। ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ। ଆହାର କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫା କରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବନ୍ଦ ହେବନି ଆହାର କେନ୍ଦ୍ର
ବାସନ ସଫା ଯନ୍ତ୍ର ତୁରନ୍ତ ମରାମତି ଓ କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ତାଗିତ କଲେ
ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ ସମୀକ୍ଷା କରାଯିବ: ମନ୍ତ୍ରୀ
ଏହି ଅବସରରେ ମନ୍ତ୍ରୀ କହିଥିଲେ କି ଆହାର ଯୋଜନା ବନ୍ଦ ହେବ ନାହିଁ। କାରଣ ଲୋକଙ୍କ ଆଗ୍ରହକୁ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି। ଆହାର ନାମ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା କରାଯିବ। ଏହାସହ ସେ କହିଥିଲେ ଯେ ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ପ୍ରାଥମିକତା ରହୁଛି। କୌଣସି ଅଭିଯୋଗ ରହିଲେ, ବିଏମସି କି ଜିଲ୍ଲାପାଳଙ୍କୁ ଜଣାଇବାକୁ ମନ୍ତ୍ରୀ କହିଛନ୍ତି। ଖାଦ୍ୟରେ ପରିବା କମ୍ ଥିବା ଅନୁଭବ କରି ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧାରେ ଖାଦ୍ୟ ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି। ଦରଦାମ ବୃଦ୍ଧି ବି ଏହାର କାରଣ ହୋଇପାରେ। କ’ଣ କଲେ ଭଲ ହୋଇ ପାରିବ, ସେ ଦିଗରେ ବିଚାର କରାଯାଉଛି। ରାଜ୍ୟ ସରକାର ୨୩ ଟଙ୍କା ଓ ଲୋକ ୫ ଟଙ୍କା ଦେଉଛନ୍ତି। ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳି ପାରିବ। ଏ ନେଇ ସ୍ୱୟଂ ସହାୟକ ମାଆମାନଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଡଷ୍ଟବିନ ଠିକ ସ୍ଥାନରେ ରଖିବା ସହ ପରିଷ୍କାର ପରିବେଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମନ୍ତ୍ରୀ ତାଗିଦ କରିଥିଲେ।