ସମ୍ବର୍ଦ୍ଧନା ସଭାକୁ ଆସିଲେନି ନେତା, ମନ୍ତ୍ରୀ ଷଣ୍ଢ ଖାଇଲା ଫୁଲମାଳ

ଭୁବନେଶ୍ୱର: ଚକେଇସିଆଣି ବରିଷ୍ଠ ନାଗରିକଙ୍କୁ ଖାତିର କଲେନି ନେତା, ମନ୍ତ୍ରୀ। ସମ୍ବର୍ଦ୍ଧନା ସଭାକୁ ଆସିବା ପାଇଁ ଅନେକ ଦିନ ଆଗରୁ ପ୍ରତିଶ୍ରୁତି ଦେଇଥି‌ଲେ ମଧ୍ୟ ଆସିଲେନି। ପ୍ରତିଶ୍ରୁତିକୁ ଆଧାର କରି ଆଜି ଆୟୋଜିତ ‌ହୋଇଥିଲା ସମ୍ବର୍ଦ୍ଧନା ସଭା। ପ୍ରବଳ ବର୍ଷା ‌ସତ୍ବେ ଶତାଧିକ ବରିଷ୍ଠ ନାଗରିକ ସଭାରେ ପହଞ୍ଚିଥିଲେ। ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନେତା, ମନ୍ତ୍ରୀଙ୍କର ଏତାଦୃଶ କାର୍ଯ୍ୟରେ ଅତିଷ୍ଠ ହୋଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ମାଇକ୍‌ରେ ନେତାଙ୍କ ଗୁଣ ଗାନ ପରିବର୍ତ୍ତେ ଦୁର୍ଗୁଣ ଗାଇଥିଲେ। ନେତାଙ୍କ ପାଇଁ ଆସିଥିବା ଫୁଲମାଳ ଷଣ୍ଢ ଖାଇଥିଲା।
ଆଜି ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଲା-ଫିଏଷ୍ଟା କଲ୍ୟାଣ ମଣ୍ଡପରେ ସର୍ବେଶ୍ବର ବିହାର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭୁବନେଶ୍ବରର ନବ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ପରିଷଦ ସଭାପତି ଇଂ କୃଷ୍ଣଚନ୍ଦ୍ର ସାହୁଙ୍କ ମୁତାବକ, ପୂର୍ବାହ୍ନ ସାଢ଼େ ୧୦ଟା ବେ‌ଳେ ଏଠାରେ ସଭା ରହିଥିଲା। ଚକେଇସିଆଣି ଗ୍ରାମ ଓ ବିଭିନ୍ନ ବସ୍ତିର ସଭାପତି ସମ୍ପାଦକଙ୍କ ସମେତ ପାଖାପାଖି ଦେଢ଼ଶହ ଲୋକ ସଭାକୁ ଆସିଥିଲେ। ସଭାରେ ଏକାମ୍ର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଓ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ତିନିଜଣ ନେତା ଅନୁପସ୍ଥିତ ରହିବା ଉଦ୍ଦେଶ୍ୟମୂଳକ ବୋଲି ସେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ନେତା କଥା ଦେଇ ମଧ୍ୟ କାହିଁକି ଆସିଲେ ନାହିଁ ତାହାର ତର୍ଜମା ହୋଇଥିଲା। ଏହା ଏକ ଷଡ଼୍‌ଯନ୍ତ୍ର ବୋଲି ବରିଷ୍ଠ ନାଗରିକମାନେ ଜାଣିବାକୁ ପାଇଥିଲେ। ଜଣେ ପୂର୍ବତନ କର୍ପୋରେଟରଙ୍କୁ ସଭାକୁ ନିମନ୍ତ୍ରଣ ହୋଇନଥିବାରୁ ସେ ଏହି ସଭାକୁ ଭଣ୍ଡୁର କରିଥିବା ବରିଷ୍ଠ ନାଗରିକ ମାନେ କହିଛନ୍ତି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ନନ୍ଦ କି‌ଶୋର ଦାସଙ୍କ ସମେତ ଏକ୍‌ଜିକ୍ୟୁଟିଭ୍‌ ମେମ୍ବରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର