ଭୁବନେଶ୍ବର: କଲବଲ କରୁଛନ୍ତି ମଶା। ଘର ହେଉକି ବଗିଚା, ମଞ୍ଚ ହେଉକି ପ୍ରେକ୍ଷାଳୟ, ସବୁଠି ଏମାନଙ୍କ ଉତ୍ପାତ ସୀମା ଲଂଘିଲାଣି। ଭୁବନେଶ୍ବରରେ ମଶାଙ୍କର ଏଭଳି ଦାଉକୁ ନେଇ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ବିଏମ୍‌ସିରେ ଆୟୋଜିତ ସମୀକ୍ଷା ବୈଠକରେ ମଶା ମୁକାବିଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ଭୁବନେଶ୍ବରରେ ମଶାଙ୍କ ସଂଖ୍ୟା ବଢ଼ିଥିବାରୁ ଆଉ ୪ଟି ଟିଫା ମେସିନ୍‌(ଟ୍ରାକ୍ଟର ମାଉଣ୍ଟେଡ୍‌) ଆଣିବାକୁ ନିଷ୍ପତ୍ତି ନିଆଯାଇଥିବ ମନ୍ତ୍ରୀ ସୂଚନା ଦେଇଛନ୍ତି। ତା ଛଡ଼ା ମଶା ତେଲ ନାଳନର୍ଦ୍ଦମାରେ ପକାଯାଉଥିଲେ ମଧ୍ୟ ମଶା ମାନୁ ନାହାନ୍ତି, ମରିବା ପରିବର୍ତ୍ତେ ବଂଶ ବଢ଼ିବଢ଼ି ଚାଲିଛି। ମଶାମାନେ ଅଭ୍ୟସ୍ତ ହୋଇଯାଉଥିବାରୁ ଔଷଧ କାଟୁ କରୁନଥିବା ଆଶଙ୍କା ପ୍ରକାଶ ପାଇଛି। ଏଣୁ ମଶା ତେଲ ପକାଇବା ପୂର୍ବରୁ ପରୀକ୍ଷାଗାରରେ ପରୀକ୍ଷା କରାଯାଇ ଏହାର ଗୁଣବତ୍ତା ଯାଞ୍ଚ କରାଯିବ। ଯଦି ଗୁଣବତ୍ତା କମିଥିବା ଅନୁଭବ ହୁଏ ତେବେ ତେଲ ବଦଳାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାତ ଦିନ ମଧ୍ୟରେ ମଶା ପ୍ରବଣ ସ୍ଥାନଗୁଡିକୁ ଚିହ୍ନଟ କରିବା ସହ ଦୁଇ ଦିନ ମଧ୍ୟରେ ମଶା ଦମନ ପଦକ୍ଷେପ ନେବାକୁ କୁହାଯାଇଛି।  

Advertisment

କାମ ଦେଉନି ଧୂଆଁ, ତେଲ
ଆସିବ ଆଉ ୪ ଟିଫା ମେସିନ୍‌
ଆଣ୍ଟି ଲାର୍ଭା ୱାର୍କରଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବ
ପଡ଼ିବା ପୂର୍ବରୁ ପରୀକ୍ଷା ହେବ ତେଲ-ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, ମଶାଙ୍କ ହଟସ୍ପଟ୍ ଅଞ୍ଚଳ ଚିହ୍ନିତ କରାଯାଇ ତୁରନ୍ତ ସେଠାରେ ପଦକ୍ଷେପ ନିଆଯିବ। ଦୟା ୱେଷ୍ଟ କେନାଲ ମଶାଙ୍କ ଉତ୍ପତ୍ତିସ୍ଥଳ ପାଲଟିଥିବାରୁ ୭ ଦିନ ବ୍ୟବଧାନରେ ମଶାଧୂଆଁ ଓ ତେଲ ସିଞ୍ଚନ କରାଯିବ। ନଭେମ୍ବରରୁ ଫେବ୍ରୁ୍ଆରି ପର୍ଯ୍ୟନ୍ତ ମଶାଙ୍କ ପ୍ରଜନନ ଋତୁ। ଏଣୁ ଏତିକିବେଳୁ ସେମାନଙ୍କୁ ମାରିବା ଯୋଜନା କଲେ ଆଗକୁ ଏମାନଙ୍କର ସଂଖ୍ୟା କମିବ। ଏହି ସମୟରେ ଫଗିଂ ଓ ତେଲ ସିଞ୍ଚନ ନୟମିତ ହେବା ଆବଶ୍ୟକ। ଯୋଜନବଦ୍ଧ ଭାବରେ କାମ କଲେ ମଶା ଦାଉରୁ ରକ୍ଷା ମିଳିବ। ଯେତିକି ଆଣ୍ଟିଲାର୍ଭା କର୍ମଚାରୀ ଅଛନ୍ତି ସେମାନଙ୍କର ସଂଖ୍ୟା ଦୁଇଗୁଣ କରିବାକୁ କୁହାଯାଇଛି। 
ସୂଚନାଯୋଗ୍ୟ, ବିଏମ୍‌ସିରେ ଏବେ ଟ୍ରାକ୍ଟର ମାଉଣ୍ଟେଡ୍‌ ୨ଟି ଫଗିଂ ମେସିନ୍‌ ରହିଥିବା ବେଳେ ହାତରେ ତେଲ ସିଞ୍ଚନ ପାଇଁ ୩୦ଟି ମେସିନ୍‌ ରହିଛି। ବ୍ୟାଟେରି ଅଟୋ ମାଉଣ୍ଟେଡ୍‌ ୨୦ଟି ଫଗିଂ ମେସିନ୍‌ ରହିଛି। ପ୍ରତି ୱାର୍ଡରେ ବିଏମ୍‌ସି, ପୂର୍ତ୍ତବିଭାଗ ଓ ପ୍ରାକୃତିକ ନାଳ ରହିଛି। ଲକ୍ଷ୍ମୀସାଗର, ପଳାସୁଣି, ମଞ୍ଚେଶ୍ବରରେ ବର୍ଷବର୍ଷ ଧରି ନାଳ ସଫା ହେଉନି। କେତେକ ନଳାରେ ସ୍ଥାୟୀ ନିର୍ମାଣ ହୋଇଥିବାରୁ ତେଲ ପକାଇବା ସମ୍ଭବ ହେଉନି। ୬୭ ୱାର୍ଡ ପାଇଁ ୨୦ଟି ଫଗିଂ ମେସିନ୍‌, ଅର୍ଥାତ୍‌ ୩ଟି ୱାର୍ଡ ପିଛା ଗୋଟିଏ ମେସିନ୍‌ ପଡ଼ୁଛି। ଏଣୁ ଏତିକି ମେସିନ୍‌ରେ ୬୭ ୱାର୍ଡରେ କେମିତି ମଶା ନିୟନ୍ତ୍ରଣ ହୋଇ ପାରିବ ବୋଲି ପ୍ରଶ୍ନ ଉଠିଛି। 

ନିକଟ ଅତୀତରେ ହୋଇଥିବା ସର୍ଭେରେ  ଭୁବନେଶ୍ବରରେ ମଶାଙ୍କ ସାନ୍ଦ୍ରତା ୮୦ ଛୁଇଁଥିଲା। ଏବେ ୬୨ ରହିଛି। କିନ୍ତୁ ମଶା କମିବା ବଢ଼ିବାରେ ମଶା ତେଲ ଓ ଧୂଆଁର କୌଣସି ପ୍ରଭାବ ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି। ମଶାଙ୍କ ବଂଶ ହ୍ରାସ କରିବାକୁ ହେଲେ ନଳା ନିର୍ମାଣ ଢାଞ୍ଚା ପରିବର୍ତ୍ତନ ସହ ନିୟମିତ ସଫା କରିବା ଓ ପ୍ରାକୃତିକ ନଳାକୁ ନିୟମିତ ସଫା କରିବାକୁ ହେବ ବୋଲି ମତ ପ୍ରକାଶ ପାଇଛି। 
ଅନ୍ୟମାନଙ୍କ ମଧ୍ୟରେ, ଏକାମ୍ର ବିଧାୟକ ବାବୁ ସିଂ, କମିସନର ରାଜେଶ ପ୍ରଭାକର ପାଟିଲ, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଏମ୍‌ସି ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ଓ ରତ୍ନାକର ସାହୁ, ଜୋନାଲ କମିସନର କୈଳାଶ ଚନ୍ଦ୍ର ଦାସ, କର୍ପୋରେଟର ଅପରୂପ ନାରାୟଣ ରାଉତ, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।