ବିଡିଏ ଓ ବିଏସ୍‌ସିଏଲ୍‌ ପ୍ରକଳ୍ପକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା: ସହରର ଆଉ ୯୦ ସ୍ଥାନରେ ଲାଗିବ ୩୫୦ ସିସିଟିଭି

ଡିଜିଟାଲ ଡୁଅର୍‌ ନମ୍ବରିଂ ଖୁବ୍‌ଶୀଘ୍ର

ଭୁବନେଶ୍ୱର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ବିଭିନ୍ନ ପ୍ରକଳ୍ପକୁ ନେଇ ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହି ସମୀକ୍ଷାରେ ସ୍ମାର୍ଟସିଟିର ସିସିଟିଭି ପ୍ରକଳ୍ପକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ନିକଟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପରେ ବିଏସ୍‌ସିଏଲ୍‌ କମିସନରେଟ୍‌ ପୁଲିସକୁ ହସ୍ତାନ୍ତର କରିଛି। ଏବେ ସାରା ସହର ସିସିଟିଭି ନଜରରେ ରହିଛି। ଫଳରେ କେବଳ ଟ୍ରାଫିକ୍‌ ଉଲ୍ଲଂଘନ ନହେଁ, ଅବରାଧୀଙ୍କ ଗିତବିଧି ଉପ‌ରେ ମଧ୍ୟ ନଜର ରଖି ହେଉଛି। ଏହି ସିସିଟିଭି ଲାଗିଥିବା ସ୍ଥାନ ଛଡ଼ା କମିସନରେଟ୍‌ ପୁଲିସ ଆହୁରି ୯୦ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଛି। ସେହିସବୁ ସ୍ଥାନରେ ସିସିଟିଭି ଲଗାଇବା ପାଇଁ କମିସନରେଟ୍‌ ପୁଲିସ ବିଏସ୍‌ସିଏଲ୍‌କୁ ସୁପାରିସ କରିଛି। ଖୁବ୍‌ଶୀଘ୍ର ଏହି ୯୦ ସ୍ଥାନରେ ୩୫୦ ସିସିଟିଭି ଲାଗିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା।

ଅନ୍ୟପଟେ ପ୍ରତ୍ୟେକ ଘର ପାଇଁ ଡିଜିଟାଲ ଡୁଅର୍‌ ନମ୍ବରିଂ ବ୍ୟବସ୍ଥା ହେଉଛି। ଲୋକଙ୍କର ଆଧାରକାର୍ଡ ଭଳି ଗୋଟିଏ ନମ୍ବର ଦ୍ବାରା ହିଁ ଘରର ସମ୍ପୂର୍ଣ୍ଣ ବିବରଣୀ ଜଣାପଡ଼ିଯିବ। ପୂର୍ବରୁ ଏହି ପ୍ରକଳ୍ପ ବିଏମ୍‌ସି କରୁଥିଲା। ଏବେ ସ୍ମାର୍ଟ ସିଟି କରୁଛି। ସ୍ମାର୍ଟ ସିଟି ପକ୍ଷରୁ ସର୍ବେକ୍ଷଣ ଶେଷ ହୋଇଛି। ଏବେ ଟେଣ୍ଡର ଡକା ହେବାକୁ ଯାଉଛି। ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ଘରକୁ ଘର ବୁଲି ସର୍ଭେ ହେବ। ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ହେବା ପରେ ଏହି ନମ୍ବର ପ୍ରସ୍ତୁତ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।

ତେବେ ବିଡିଏର ଟାଉନ୍‌ ପ୍ଲାନିଂ ସ୍କିମ୍‌କୁ ନେଇ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ। ଏତେ ଦିନ ପରେ ମଧ୍ୟ ପ୍ରକଳ୍ପ ଆରମ୍ଭ ହୋଇପାରୁନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ କେଉଁଠି ସମସ୍ୟା ରହୁଛି ତାହାକୁ ନେଇ ବିଡିଏ ଅଧିକାରୀଙ୍କଠାରୁ ଉତ୍ତର ଚାହିଥିଲେ। ଲୋକଙ୍କୁ ଏ ଯାବତ୍‌ ପଜେସନ ଦିଆଯାଇ ନଥିବାରୁ ସମସ୍ୟା ହୋଇଥିବା ଜଣାପଡ଼ିଥିଲା। ତେବେ ତୃତୀୟପକ୍ଷ ସଂସ୍ଥାମାନେ ଏହି କାମରେ ଲାଗିଥିବା ବିଡିଏ ପକ୍ଷରୁ କୁହାଯାଇଥିଲା। ତୁରନ୍ତ ପଜେସନ ଓ ପଟ୍ଟା ପ୍ରଦାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ‌ହିତାଧିକାରୀମାନେ ନିଜ ଜମିର କିସମ ପରିବର୍ତ୍ତନ ପାଇଁ ଆବଶ୍ୟକ ହେଉଥିବା ଦେୟ ସରକାର ଭରନ୍ତୁ ବୋଲି ଦାବି କରିଛନ୍ତି। କିନ୍ତୁ ଏହା ଉପରେ କୌଣସି ଆଲୋଚନା ହୋଇନଥିଲା। ବୈଠକରେ ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ, ଜିଏମ୍‌ କମଲଜିତ ଦାସ, ବିଏସ୍‌ସିଏଲ୍‌ ଚିଫ୍‌ ଇଞ୍ଜିନିୟର ସରୋଜ ରଞ୍ଜନ ଦାଶ, ବିଡିଏ ସେକ୍ରେଟାରି କବୀନ୍ଦ୍ର ସାହୁ, ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର