ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: କମିସନରେଟ୍‌ ପୁଲିସର ତ୍ବରିତ ପଦକ୍ଷେପ ଯୋଗୁ ଆଜି ରାଜଧାନୀରୁ ଅପହରଣ ହୋଇଥିବା ତୃତୀୟ ଶ୍ରେଣୀ ଛାତ୍ର ପ୍ରତ୍ୟାଂଶୁ କାଳିଆ(୭) ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛି। କିନ୍ତୁ ପୁଲିସର ଏହି ସଫଳତା ପଛରେ ରହିଛି ପ୍ରତ୍ୟାଂଶୁଙ୍କ ମା’ ଝିଲ୍ଲୀରାଣୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା। ତାଙ୍କ ଜମି ବିକା ଟଙ୍କା ଉପରେ ଆଖି ପକାଇ ଦୁର୍ବୃତ୍ତମାନେ ପ୍ରତ୍ୟାଂଶୁଙ୍କୁ ଅପହରଣ କରିନେଇଛନ୍ତି ଏବଂ ଏହି କାଣ୍ଡ କାରଖାନାର ମାଷ୍ଟରମାଇଣ୍ଡ୍‌ ଖୋଦ ଟ୍ୟୁସନ୍‌ ମା‌ଷ୍ଟ୍ରେ ବାସୁନି ବୋଲି ସେ ବୁଝିପାରିଥିଲେ। ତେଣୁ ବାସୁନି କଥାରେ ନ ଭଳିଯାଇ ସେ ପୁଲିସକୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିଥିଲେ। ଏମିତିକି ଦୁର୍ବୃତ୍ତମାନଙ୍କ ଦ୍ବାରା ଅପହରଣ କରାଇ ଏପଟେ ଭଲେଇ ହେଉଥିବା ଖଳନାୟକ ବାସୁନି ବାବଦରେ ଝିଲ୍ଲୀରାଣୀ ପୁଲିସକୁ ସବୁ କହିଦେଇଥିଲେ। ତେଣୁ ପୁଲିସ ସହଜରେ ଅପରାଧୀଙ୍କୁ ଠାବ କରିପାରିଥିଲା। ମାତ୍ର ୬ ଘଣ୍ଟାରେ ପୁଲିସ ଭୁବନେଶ୍ବରରୁ ଅପହର୍ତ୍ତାମାନଙ୍କୁ ପିଛା କରି ଖୋର୍ଦ୍ଧା ନିରାକାରପୁରରୁ ଗିରଫ କରିଥିଲା। ତେଣୁ ପୁଲିସଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଝିଲ୍ଲୀରାଣୀଙ୍କ ପ୍ରଶଂସା ଶୁଣିବାକୁ ମିଳିଛି। 

Advertisment

ଗାଁ ଲୋକେ ପ୍ରାର୍ଥନା କରୁଥିଲେ
ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ଗାଁଟିଯାକର ଲୋକେ ଆରତଙ୍କ ଘରେ ପହଞ୍ଚି ଭିଡ଼ ଲଗାଇଥିଲେ। ନିକଟରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରତନପୁର ଗାଁ କଥା ମନେପକାଇ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ରତନପୁର ଗାଁର ନାବାଳକ ଆଶୀର୍ବାଦ ସାହୁକୁ ସମ୍ପର୍କୀୟ ଦାଦା ନିର୍ମମ ଭାବେ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇଥିଲା। ସେହି କଥା ମନେପକାଇ ଗାଁ ଲୋକେ ପ୍ରତ୍ୟାଂଶୁକୁ ଗାଁର କେହି ଅପହରଣ କରିଛି ବୋଲି ସନ୍ଦେହ କରିଥିଲେ। ଶେଷରେ ଗାଁ ଲୋକଙ୍କ ସନ୍ଦେହ ମଧ୍ୟ ସତ ହୋଇଥିଲା। ଗାଁରେ ପିଲାଙ୍କ ଟ୍ୟୁସନ୍‌ ସାର୍‌ ଭାବେ ଜଣାଶୁଣା ବାସୁନି ହିଁ ଅପହରଣର ନାୟକ ଥିଲା। ତେଣୁ ସମସ୍ତଙ୍କ ମନରେ ଗୋଟିଏ ଭୟ ଥିଲା କି ପ୍ରତ୍ୟାଂଶୁ କିଛି ବଡ଼ଧରଣର ଅସୁବିଧାରେ ପଡ଼ିପାରେ। ତେଣୁ ଗାଁର ଯୁବକମାନେ ଖୋଜାଖୋଜିରେ ବ୍ୟସ୍ତ ଥିବା ବେଳେ ମହିଳାମାନେ ପ୍ରତ୍ୟାଂଶୁ ପାଇଁ ଭଗବାନଙ୍କୁ ଡାକୁଥିଲେ।

ଅଧିକ ରୋଲ୍‌ କରି ଫସିଲେ ଟ୍ୟୁସନ୍‌ ସାର୍‌ 
ଅପହର୍ତ୍ତାମାନଙ୍କଠାରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ବେଳେ ଆରତଙ୍କ ଘରେ ଟ୍ୟୁସନ୍‌ ସାର୍‌ ବାସୁନି ଉପସ୍ଥିତ ଥିଲେ। କାରଣ ସେ ହିଁ ଝିଲ୍ଲୀରାଣୀଙ୍କୁ ପ୍ରଥମେ ଖବର ଦେଇ କହିଥିଲେ କି ଅପହର୍ତ୍ତାମାନେ ତାଙ୍କ ସମ୍ମୁଖରୁ ପ୍ରତ୍ୟାଂଶୁଙ୍କୁ ଟେକି ନେଇଥିଲେ ଏବଂ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ଅପହର୍ତ୍ତାମାନେ ବେଶ୍‌ ଭୟଙ୍କର, କିଛି ବି ଅଘଟଣ ଘଟାଇପାରନ୍ତି। ତେଣୁ ପୁଲିସ କିମ୍ବା ଗଣମାଧ୍ୟମକୁ କିଛି ନ ଜଣାଇବା ଭଲ ହେବ। ବରଂ କିଛି ଟଙ୍କା ଯାଉ, ପୁଅ ବଞ୍ଚୁ। ଟ୍ୟୁସନ୍‌ ସାର୍‌ ବାସୁନିଙ୍କ କଥା କିନ୍ତୁ ଝିଲ୍ଲୀରାଣୀଙ୍କ ମନକୁ ପାଇ ନଥିଲା। ବରଂ ସେ ବାସୁନିକୁ ସନ୍ଦେହ ନଜରରେ ଦେଖିଲେ। ତେଣୁ ତା’ ଅଲକ୍ଷ୍ୟରେ ଝିଲ୍ଲୀରାଣୀ ପୁଲିସକୁ ସବୁ କଥା କହିଥିଲେ। ତେଣୁ ପୁଲିସ ବାସୁନିଙ୍କ ମୋବାଇଲ୍‌ ଜବତ କରି ଅପହର୍ତ୍ତାମାନଙ୍କ ଠିକଣାରେ ପହଞ୍ଚିଯାଇଥିଲା। ବାସୁନି ଯେତେବେଳେ ଝିଲ୍ଲୀରାଣୀଙ୍କୁ ଏଭଳି ପରାମର୍ଶ ଦେଉଥିଲା, ଗାଁର କିଛି ଲୋକେ ମଧ୍ୟ ନାପସନ୍ଦ କରିଥିଲେ। ପରେ ଯେତେବେଳେ ନାଟକର ପର୍ଦ୍ଦାଫାସ ହେଲା, ସମସ୍ତେ ଚର୍ଚ୍ଚା କରୁଛନ୍ତି କି ଟ୍ୟୁସନ୍‌ ସାର୍‌ଙ୍କ ଅଧିକ ରୋଲ୍‌ ହିଁ ତାଙ୍କୁ ଫସାଇଦେଲା।   

ଅପହରଣର ଅନ୍ତରାଳେ 
ଆରତ କାଳିଆ ଗାଈ ପାଳନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ତାଙ୍କର କିଛି ଚାଷ ଜମି ମଧ୍ୟ ଥିଲା। ନିକଟରେ ସେ କିଛି ଜମି ବିକ୍ରି କରିଥିଲେ ଏବଂ ୫୦ ଲକ୍ଷ ଟଙ୍କା ପାଇଥିଲେ। ଏକଥା ଗାଁର ପ୍ରାୟ ସମସ୍ତେ ଜାଣିଥିଲେ। ମାତ୍ର ପ୍ରତ୍ୟାଂଶୁଙ୍କୁ ଟ୍ୟୁସନ୍‌ କରୁଥିବା ସେହି ଗ୍ରାମର ବାସୁନିର ଆଖି ପଡ଼ିଥିଲା ଆରତଙ୍କ ଟଙ୍କା ଉପରେ। ଏକ ଘରୋଇ କଲେଜରେ ପଢ଼ୁଥିବା ବାସୁନି ଆରତଙ୍କ ୫୦ ଲକ୍ଷ ଟଙ୍କାରୁ କିଛି ଝଡ଼ାଇବାକୁ ଉପାୟ ପାଞ୍ଚିଥିଲା। ଅର୍ଥ ଲାଳସା ବାସୁନି ଭଳି ଜଣେ ଛାତ୍ରର ମୁଣ୍ଡରେ ଭୂତ ପୂରାଇଥିଲା। ଏଥିପାଇଁ ପ୍ରତ୍ୟାଂଶୁକୁ ଅପହରଣ କରିବା ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି କରିବା ଏକମାତ୍ର ବାଟ ବୋଲି ବାସୁନି ଭାବିନେଇଥିଲା। ତେଣୁ ସେ ଖୋର୍ଦ୍ଧା ଜଙ୍କିଆ, ନିରାକାରପୁର ଓ ରଣପୁରର ସାଙ୍ଗମାନଙ୍କୁ ଯୋଜନାରେ ସାମିଲ କରିଥିଲା। ଜାଲରେ ବଡ଼ମାଛ ଧରିବା ଚକ୍କରରେ ସମସ୍ତେ ବାସୁନି କଥାରେ ରାଜି ହୋଇଯାଇଥିଲେ। ବଡ଼ କଥା ହେଉଛି ବାସୁନି ବୁଝିଥିଲା ଯେ ଆରତଙ୍କ ପରିବାର ବେଶ୍ ଭୟାଳୁ ଏବଂ ପୁଅ ପାଇଁ ଟଙ୍କା ଦେଇଦେବେ। ମାତ୍ର ଝିଲ୍ଲୀରାଣୀ ଯେ ଏମିତି ସାହସିକତା ପ୍ରଦର୍ଶନ କରିବେ, ତାହା ବାସୁନିର କଳ୍ପନା ବାହାରେ ଥିଲା। କେବଳ ସେତିକି ନୁହେଁ, ଏଭଳି ମାମଲାରେ ଝିଲ୍ଲୀରାଣୀ ଯେ ପୁଲିସକୁ ସବୁ ତଥ୍ୟ ଦେଇ ସହଯୋଗ କରିବା ଭଳି ବୁଦ୍ଧିମତ୍ତାର ଅଧିକାରିଣୀ ବୋଲି ବାସୁନି ଭାବିପାରି ନଥିଲା।