ଭୁବନେଶ୍ୱର : ନାବାଳକଙ୍କୁ ଥାନାରେ ରଖି ପିଟିଲେ, ଅଭିଯୋଗ ପରେ ଜେଜେବି ପଠେଇଦେଲେ

ଭୁବନେଶ୍ୱର : ଜଣେ ନାବାଳକଙ୍କୁ ଗୋଟିଏ ଥାନାରେ ରଖି ୭ ଦିନ ପିଟିଲେ। ପରିବାର ପକ୍ଷରୁ ନିଖୋଜ ଏତଲା ଦିଆଯିବା ପରେ ଅନ୍ୟ ଏକ ଥାନାରୁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ପଠାଇ ଦେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପରିବାର ଲୋକ ଆଇନର ଆଶ୍ରୟ ନେଇଥିଲେ। ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ପୁଲିସ କମିସନର, ଡିସିପି, ଖଣ୍ଡଗରି ଥାନା ଆଇଆଇସି, ସ୍ପେସାଲ ସ୍କ୍ବାଡ୍‌ ଇନ୍‌ସ୍‌ପେକ୍ଟରଙ୍କୁ ନୋଟିସ୍‌ ଜାରି କରିଛି। କେଉଁ ପରିସ୍ଥିତିରେ ନାବାଳକଙ୍କୁ ୨୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି କେଉଁ ଥାନା‌ରେ ଅଟକ ରଖିଲେ, ସେ ନେଇ ଉତ୍ତର ରଖିବାକୁ କୁହାଯାଇଛି।

ଅଭିଯୋଗ ମୁତାବକ, ଏୟାରପୋର୍ଟ ଥାନାର ଏକ ମାମଲାରେ ଉକ୍ତ ନାବାଳକର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ୭ତାରିଖ ଦିନ ସାଦା ପୋଷାକରେ ସମ୍ପୃକ୍ତ ନାବାଳକକୁ କେ‌ତେଜଣ ଆସି ଉଠାଇ ନେଇଥିଲେ। ଏଭଳି ଖବର ପାଇବା ପରେ ନାବାଳକର ପରିବାରବର୍ଗ ଏୟାରପୋର୍ଟ ଥାନା ସହ କେତେକ ଥାନା ‌ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଦୁଇଦିନ ପରେ ସେମାନେ ଖବର ପାଇଲେ ଯେ ସମ୍ପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଅଟକ ରହିଛି ଏବଂ ତାକୁ ପୁଲିସ ପିଟୁଛି। ଏନେଇ ସେମାନେ ଥାନାକୁ ଯାଇଥିଲେ। ହେଲେ ସେଠାରୁ ନାବାଳକକୁ ଅନ୍ୟ ଥାନାକୁ ପଠା ଯାଇଥିବା ଜାଣିବାକୁ ପାଇଥିଲେ। ଏଣୁ କ୍ୟାପିଟାଲ ଥାନାରେ ତାଙ୍କ ପୁଅର ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ବସି ଯାଇଥିଲା। ଏ ସଂପର୍କରେ ପରିବାରବର୍ଗ ଗତ ୧୬ ତାରିଖରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପୁଅକୁ ଖୋଜି ଆଣିବା ପାଇଁ ସମ୍ପୃକ୍ତ ଥାନାକୁ ଆଦେଶ ଦେବାକୁ ନିବେଦନ କରିଥିଲେ। ଏହା ଜାଣିବା ପରେ ପୁଲିସ୍‌ ସମ୍ପୃକ୍ତ ନାବାଳକକୁ ଇନ୍‌ଫୋସିଟି ଥାନାର ଏକ ମାମଲାରେ ଅଭିଯୁକ୍ତ ଦର୍ଶାଇ ଜେଜେବି ପଠାଇ ଦେଇଥିଲା।

ସମ୍ବନ୍ଧିତ ଖବର