ଖଣ୍ଡଗିରି : ଘରେ ଶିଶୁ ଶ୍ରମିକଙ୍କୁ ଖଟାଇବା ଆଇନତଃ ଏକ ଅପରାଧ ବୋଲି ଜାଣି ବି ବହୁ ଉଚ୍ଚଶିକ୍ଷିତ ଲୋକେ ଏଭଳି କରିବାକୁ ପଛାଉନାହାନ୍ତି। ଖୋଦ୍‌ ରାଜଧାନୀରେ ଏଭଳି ଏକ ଘଟଣା ନଜରକୁ ଆସିଛି। ଗୁରୁବାର ସ୍ଥାନୀୟ ଜଗମୋହନନଗରସ୍ଥିତ ଜଣେ ଶଲ୍ୟ ବିଶେଷଜ୍ଞଙ୍କ ଘରୁ ଏକ ୧୩ ବର୍ଷ ବୟସର ଗରିବ ନାବାଳିକାକୁ ଉଦ୍ଧାର କରାଯାଇିଛି। ଦୀର୍ଘ ୩ ବର୍ଷ ଧରି ଏହି ନାବାଳିକାକୁ ଡାକ୍ତର ତାଙ୍କ ଘରେ ରଖି ନିଜ ଛୁଆର ଦେଖାଶୁଣା କରିବା ସହ ବୋଲହାକ କାମ କରାଉଥିଲେ ବୋଲି ପ୍ରମାଣ ମିଳିଛି।  ଖବର ଜଣାପଡ଼ିବା ପରେ ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି)ଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ଥାନା ପୁଲିସ ଓ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଡାକ୍ତରଙ୍କ ଘରେ ଚଢ଼ଉ କରାଯାଇ ନାବାଳିକାକୁ ଉଦ୍ଧାର କରାଯାଇଛି।

Advertisment

ସିଡବ୍ଲ୍ୟୁସି ପକ୍ଷରୁ ମିଳିଥିବା ସୂଚନାନୁସାରେ ନାବାଳିକାଟିର ଘର ଝାଡ଼ଖଣ୍ଡରେ। ନାବାଳିକାର ବାପା ଜଣେ ମିସ୍ତ୍ରି ଓ ମା’ ଘର ପାଖ ଏକ ବିଦ୍ୟାଳୟରେ କାମ କରି ପେଟ ପୋଷନ୍ତି। ୩ ବର୍ଷ ତଳେ ନାବାଳିକାଟି ଯେତେବେଳେ ୪ର୍ଥ ଶ୍ରେଣୀରେ ପଢ଼ୁଥିଲା, ତାକୁ ଜଗମୋହନନଗରରେ ରହୁଥିବା ଶଲ୍ୟ ବିଶେଷଜ୍ଞ ବିନୋଦଚନ୍ଦ୍ର ସାହୁ ଆଣି ଘର କାମରେ ନିୟୋଜିତ କରିଥିଲେ। ନିଜ ଝିଅର ଦୁଇ ଯାଅାଁଳା ଶିଶୁଙ୍କ ଦେଖାଶୁଣା କରିବା ପାଇଁ ନାବାଳିକାକୁ ରଖାଯାଇଥିଲା। କୌଣସି ସୂତ୍ରରୁ ଏହି ଖବର ଖୋର୍ଧା ଜିଲ୍ଲା ସିଡବ୍ଲ୍ୟୁସିଙ୍କ ନିକଟରେ ପହଞ୍ଚିଥିଲା। ଖବର ପାଇ ସିଡବ୍ଲ୍ୟୁସି ତୁରନ୍ତ ଭୁବନେଶ୍ୱର ଚାଇଲ୍ଡ ଲାଇନ୍‌ ଓ ଖଣ୍ଡଗିରି ଥାନା ପୁଲିସକୁ ନାବାଳିକା ଉଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟାବେଳେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯିବା ପରେ ତାକୁ ଏବେ ବିଶ୍ୱଜୀବନ ସେବା ସଂଘରେ ରଖାଯାଇ କାଉନ୍‌ସେଲିଂ କରାଯାଉଛି।

ସିଡବ୍ଲ୍ୟୁସି ପକ୍ଷରୁ ମିଳିଥିବା ସୂଚନାନୁସାରେ ନାବାଳିକାଟିର ବଡ଼ ଭଉଣୀ ବି ଏହି ଡାକ୍ତରଙ୍କ ଘରେ ବହୁ ଦିନ ପର୍ଯ୍ୟନ୍ତ ପରିଚାରିକାଭାବେ କାମ କରୁଥିଲା। ଗତ ୩ ବର୍ଷ ତଳେ ତା’ର ବିବାହ ହୋଇଯାଇଛି। ବିବାହ ସମୟରେ ଡାକ୍ତର ଶ୍ରୀ ସାହୁ ନାବାଳିକାର ବାପାମାଙ୍କୁ କିଛି ଟଙ୍କା ସହାୟତା କରିଛନ୍ତି। ଏହା ପରେ ଏହି ନାବାଳିକାକୁ ବାପାମା ଡାକ୍ତର ଶ୍ରୀ ସାହୁଙ୍କ ନିକଟରେ ଛାଡ଼ିଥିଲେ। ତେବେ ବଡ଼ ଭଉଣୀର ବାହାଘରକୁ ଡାକ୍ତର ଶ୍ରୀ ସାହୁ ଯେଉଁ ଟଙ୍କା ସହାୟତା ଦେଇଥିଲେ, ତାହା ତା’ର ପାରିଶ୍ରମିକ କି ନାବାଳିକାକୁ କାମ କରିବା ପାଇଁ ଛାଡ଼ିବା ସର୍ତ୍ତରେ ଦେଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ସେଭଳି କିଛି ପ୍ରମାଣ ମିଳେ ତେବେ ନାବାଳିକାଟି ବଣ୍ଡେଡ୍‌ ଚାଇଲ୍‌ଡ ଲେବର (ବନ୍ଧକ ଶିଶୁଶ୍ରମିକ) ଭାବେ ଥିଲା ବୋଲି ବିବେଚନା କରାଯିବ। ଏଭଳି ହେଲେ ଏହା ଏକ ସଂଗିନ ଅପରାଧ ବୋଲି ଧରାହେବ।

ତେବେ ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତିଙ୍କ କହିବା ଅନୁସାରେ ନାବାଳିକାର ବାପାମାଙ୍କୁ ଝାଡ଼ଖଣ୍ଡରୁ ଅଣାଯିବାକୁ ବ୍ୟବସ୍ଥା କରାଯାଇଛି। ସେମାନେ କେଉଁ ସର୍ତ୍ତରେ କୁନି ଝିଅଟିକୁ ଶ୍ରମିକଭାବେ ଡାକ୍ତରଙ୍କ ଘରେ ଛାଡ଼ିଥିଲେ, ତାହା କହିବେ। ସେମାନେ ସିଡବ୍ଲ୍ୟୁସିଙ୍କ ନିକଟରେ ନିଜର ମତାମତ ରଖିବା ପରେ  ନିଜେ ଡାକ୍ତର ଶ୍ରୀ ସାହୁ ନାବାଳିକାକୁ ଆଣି ଘରେ ରଖିଥିଲେ ବି ତାଙ୍କ ଝିଅ ଜ୍ୱାଇଁ ଆଣିଥିଲେ, ତାହା ଜଣାପଡ଼ିବ। ଏହା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେନାପତି କହିଥିଲେ।