ଲକ୍‌ଡାଉନ୍‌‌ରେ ନାବାଳିକା ଗଣଦୁଷ୍କର୍ମ ମାମଲା : କାହିଁକି ଦିନ ଗଡ଼ାଉଛି ପୁଲିସ?

ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ମହିଳା କମିସନ୍‌ଙ୍କ ୧୫ ଦିନ ପରେ ପୁଲିସ ମାଗିଲା ଆଉ ୩ ସପ୍ତାହ
ଆଇଆଇସିଙ୍କୁ ତଡ଼ିଦେଲେ, କିନ୍ତୁ ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ ପୁଲିସ

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ଘଟିଥିବା ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୨୫ଦିନ ବିତି ଗଲାଣି। କିନ୍ତୁ କମିସନରେଟ୍‌ ପୁଲିସର ତଦନ୍ତ ସରୁନାହିଁ। ମାମଲା ଉପରେ ରାଜ୍ୟବାସୀଙ୍କ ଉତ୍କଣ୍ଠା ବୃଦ୍ଧି ପାଉଥିବା ବେଳେ ପୁଲିସର ଲମ୍ବା ତଦନ୍ତକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ଛିଡ଼ା ହେଲାଣି। ମାମଲାରେ ଗଣମାଧ୍ୟମର କର୍ମଚାରୀ ଓ ପୁଲିସ ଅଧିକାରୀ ସମ୍ପୃକ୍ତ ଥିବା ବେଳେ ଗଣମାଧ୍ୟମର ଉଚ୍ଚ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ କରୁଥିବା ଭଳି ସଂଗିନ୍ ଅଭିଯୋଗ ରହିଛି ଏହି ମାମଲାରେ। ତେଣୁ ଏଭଳି ଏକ ସମ୍ବେଦନଶୀଳ ମାମଲା ଉପରୁ କମିସନରେଟ୍‌ ପୁଲିସ ରହସ୍ୟ ଉଠାଇ ପାରୁନଥିବାରୁ ସାଧାରଣରେ ଭିନ୍ନ ଆଲୋଚନା ହେଉଛି। ଆରମ୍ଭରୁ ପୁଲିସ ଯେଉଁ ତତ୍ପରତା ଦେଖାଇଥିଲା, ଆଉ ସେଭଳି ଦେଖିବାକୁ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ସମ୍ବେଦନଶୀଳ ମାମଲା ବାହାନାରେ ତଦନ୍ତକାରୀ ଦଳ ଦିନ ଗଡ଼ାଇ ଚାଲିଛି। ଏମିତିକି ମାମଲାର ରିପୋର୍ଟ ଦାଖଲ କରିବା ଲାଗି ମହିଳା କମିସନ୍‌ ୧୫ଦିନ ସମୟ ଦେଇଥିଲେ ମଧ୍ୟ ପୁଲିସ ଆହୁରି ୨୧ଦିନ ସମୟ ନେଇଛି। ସେହିପରି ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କୁ ମଧ୍ୟ ରିପୋର୍ଟ ଦେବା ପାଇଁ ପୁଲିସ ଅଧିକ ୩ ସପ୍ତାହ ସମୟ ମାଗିଛି। ତେଣୁ ପୁଲିସ ତଦନ୍ତ ଅବଧି ବଢ଼ି ବଢ଼ି ଚାଲିଥିବାରୁ ସବୁ ମହଲରୁ ପୁଲିସ ଉପରକୁ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଗଲାଣି।

ଲକଡାଉନ୍ ସମୟରେ ଇନ୍‌ଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ଗତ ଅଗଷ୍ଟ ୩୦ ତାରିଖରେ ପୀଡ଼ିତାଙ୍କ ମା’ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିବା ବେଳେ ସ୍ପର୍ଶକାତର ମାମଲା ଦର୍ଶାଇ ତଦନ୍ତ ପାଇଁ ସ୍ବତନ୍ତ୍ର ଭାବେ ଜଣେ ଇନ୍ସପେକ୍ଟରଙ୍କୁ ତଦନ୍ତଭାର ଦିଆଯାଇଥିଲା। ଅଭିଯୋଗରେ ଓଟିଭିର ଦୁଇଜଣ କର୍ମଚାରୀ, ସୁରକ୍ଷାକର୍ମୀ ଓ ୩ଜଣ ପୁଲିସ କର୍ମଚାରୀ ଥିବା କୁହାଯାଇଥିଲା। ସିଆର୍‌ପିସି ଧାରା ୧୬୧ରେ ମଧ୍ୟ ପୀଡ଼ିତା ଓ ତାଙ୍କ ମା’ ସିଧାସଳଖ ଅଭିଯୁକ୍ତଙ୍କ ନାଁ ନେଇଥିଲେ। ସେହିଦିନଠାରୁ ପୁଲିସ ଟିଭି ଚ୍ୟାନେଲ କାର୍ଯ୍ୟାଳୟକୁ ଯାଇ ତନାଘନା କରିବା ସହ ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରିସାରିଛି। ନିଷ୍କ୍ରିୟତା ଅବଲମ୍ବନ ଓ କାର୍ଯ୍ୟରେ ଅବହେଳା କରିଥିବାରୁ ଇନ୍‌ଫୋସିଟି ଥାନାର ତତ୍କାଳୀନ ଆଇଆଇସି ବିଶ୍ବଜିତ୍‌ ମହାନ୍ତିଙ୍କୁ କୋରାପୁଟ୍‌ ବଦଳି କରାଯାଇଛି। କିନ୍ତୁ ସବୁ ସତ୍ତ୍ବେ ତଦନ୍ତ ଅଧୁରା ରହିଛି। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରିପାରିନାହିଁ ତଦନ୍ତକାରୀ ଟିମ୍।

ପୁଲିସର ଲମ୍ବା ତଦନ୍ତକୁ ନେଇ ପୀଡ଼ିତାଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତ। ଆଇନଜୀବୀ ଭାଗ୍ୟବତୀ ରାଉତରାୟ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ମାମଲା। କିନ୍ତୁ ଏହି ଆଳରେ ଏତେ ସମୟ ଗଡ଼ାଇବା ଠିକ୍ ନୁହେଁ। ସେପଟେ ପୀଡ଼ିତା ଓ ତାଙ୍କ ମା’ ଭୟରେ ରାଜଧାନୀ ଛାଡ଼ି କେନ୍ଦ୍ରାପଡ଼ାସ୍ଥିତ ନିଜ ଘରକୁ ଚାଲି ଯାଇଛନ୍ତି ଓ ନ୍ୟାୟ ଅପେକ୍ଷାରେ ରହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଦୀର୍ଘ ୨୫ ଦିନ ପରେ ପୁଲିସ ଆଉ କେଉଁ ବଳିଷ୍ଠ ପ୍ରମାଣକୁ ଅପେକ୍ଷା କରିଛି। ଅଭିଯୁକ୍ତ ପୁଲିସ କର୍ମଚାରୀ ସୁବାସ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀ ରାଉରକେଲାର ବୋଲି ପୀଡ଼ିତା ବୟାନ ଦେଇସାରିଛନ୍ତି। ରାଉରକେଲାରେ ଏଭଳି କୌଣସି ପୁଲିସ କର୍ମଚାରୀ ଅଛନ୍ତି କି ନାହିଁ, ତଦନ୍ତକାରୀ ଟିମ୍‌ ଜାଣିପାରୁନି କେମିତି? ଅଭିଯୋଗରେ ଯେଉଁ ପଡ଼ୋଶୀ ନଣ୍ଡା ମାମା ଓ ବୁଢ଼ୀ ସମ୍ପର୍କରେ ଉଲ୍ଲେଖ ରହିଛି, ସେମାନଙ୍କୁ ତଦନ୍ତ ପରିସରକୁ ନେଲାଣି କି ପୁଲିସ? ସେମାନଙ୍କୁ ଠାବ କରାଗଲାଣି କି? ଏଭଳି ଏକାଧିକ ଦିଗକୁ ନେଇ ଏବେ ପୁଲିସ୍‌ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣା‌‌‌‌‌ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ନିବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଏତଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ କମିସନରେଟ୍ ପୁଲିସର ତଦନ୍ତ ସନ୍ତୋଷଜନକ ନୁହେଁ। ସମଗ୍ର ଘଟଣା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବା ବେଳେ ଏବେ ରାଜନୈତିକ ରଙ୍ଗ ମଧ୍ୟ ଏହାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନାହିଁ। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସିବିଆଇ ଭଳି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର