ନାବାଳିକା ଅପହରଣ ମାମଲା : ଥାନାରେ ଧାରଣା ଦେଲେ ପୀଡ଼ିତା ପରିବାର

ଭୁବନେଶ୍ବର : ଜଣେ ନାବାଳିକା ଅପହରଣ ମାମଲାରେ ନୂଆପଲ୍ଲୀ ଥାନା ପୁଲିସର ନିଷ୍କ୍ରିୟତାକୁ ନେଇ ଆଜି ପୀଡ଼ିତା ପରିବାର ଓ ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅପହରଣକାରୀକୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ବୁଝାଶୁଝା କରିବା ପରେ ବିକ୍ଷୋଭକାରୀମାନେ ଥାନା ସମ୍ମୁଖରୁ ହଟିଥିଲେ ମଧ୍ୟ ପରେ ସେମାନେ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ ମେ ୨୮ ତାରିଖରେ ସାଲିଆସାହିର ଏକ ୧୬ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲା। ପରିବାର ଲୋକ ଖୋଜାଖୋଜି କରିବା ପରେ ଝିଅକୁ ଜଣେ ଯୁବକ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ। ତେଣୁ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା। ୨୮ ତାରିଖରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ୩୧ ତାରିଖରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତର ମୋବାଇଲ ଫୋନ୍‌ ନମ୍ବର ଟ୍ରାକ୍ କରି ସେମାନେ ରାଜ୍ୟ ବାହାରେ ଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଲକ୍‌ଡାଉନ୍ ଚାଲିଥିବା ବେଳେ ଅଭିଯୁକ୍ତ ଆଶ୍ଚର୍ଯ୍ୟଜନକଭାବେ ନାବାଳିକାଙ୍କୁ ନେଇ ରାଜ୍ୟ ବାହାରକୁ ଯିବାରେ ସକ୍ଷମ ହୋଇଥିଲା। ତେବେ ପୁଲିସ କରୋନା ଓ ଲକ୍‌ଡାଉନ୍ ଆଳ ଦେଖାଇ ନାବାଳିକାକୁ ଉଦ୍ଧାର କରିନଥିଲା। ନାବାଳିକାର ପରିବାର ଲୋକେ ତଦନ୍ତ ଅଧିକାରୀ ଓ ଥାନା ଆଇଆଇସିଙ୍କୁ ସାକ୍ଷାତ କରି କରି ହତାଶ ହୋଇପଡ଼ିଥିଲେ। ତେଣୁ ଆଜି ସେମାନେ ଥାନା ଆଗରେ ସେମାନେ ବିକ୍ଷୋଭ କରିଥିଲେ। ଏଥିରେ ନାବାଳିକା ପରିବାରକୁ ଗଣତାନ୍ତ୍ରିକ ମହିଳା ସମିତି ସମର୍ଥନ ଜଣାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୁଲିସ ଚାପର ବଶବର୍ତ୍ତୀ ହୋଇ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା କରାଇବାକୁ ଉଦ୍ୟମ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର