ନାବାଳିକ ଗଣଦୁଷ୍କର୍ମ ଘଟଣା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ଆଜି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ତରଫରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବର ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହେବା ନେଇ ଏତଲା ରୁଜୁ ହୋଇଥିଲା। ଏହାଭିତରେ ୧୮ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିନାହିଁ। ଏହି ଘଟଣାରେ ପୁଲିସ କର୍ମଚାରୀ ଓ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡ଼ିତ ଥିବା ଅଭିଯୋଗ ରହିଛି। ଏସଆଇଟି ଗଠନ କରିଦେଇ ପୁଲିସ ଚୁପ୍ ହୋଇ ବସିଛି। ଓଡ଼ିଶା ପୁଲିସ ଉପରେ ରାଜ୍ୟର ଚାରି କୋଟି ଜନତାଙ୍କର ଭରସା ତୁଟି ଯାଇଛି। କାରଣ ଏଥି ପୂର୍ବରୁ କୁନ୍ଦୁଲି, ପିପିଲି, ପୁରୀ, ରାୟଗଡ଼ା, ଜଗତସିଂହପୁର ଗଣଦୁଷ୍କର୍ମର ପୀଡ଼ିତା ମଧ୍ୟ ନ୍ୟାୟ ପାଇ ପାରି ନଥିଲେ ବୋଲି ଆବେଦନରେ ଦର୍ଶାଯାଇଛି। ଘଟଣାର ସିବିଆଇ ତଦନ୍ତ କରାଯାଉ। ଏଥିସହିତ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ପୁଲିସ କମିସନର, ଡିସିପି, ଶିଶୁ ଅଧିକାର ସୁରକ୍ଷା କମିସନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର