ନାବାଳିକା ଦୁଷ୍କର୍ମ ମାମଲା: କ୍ରାଇମ୍‌ବ୍ରାଞ୍ଚର ଷ୍ଟାଟସ୍ ରିପୋର୍ଟ ଦାଖଲ

କଟକ : ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ଅଗ୍ରଗତି ନେଇ ଗୁରୁବାର ଦିନ ହାଇକୋର୍ଟରେ  କ୍ରାଇମବ୍ରାଞ୍ଚ ତରଫରୁ ମୁଦା ଲଫାପାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର୍‌କେ ପଟ୍ଟନାୟକଙ୍କୁ  ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରାଯାଇଥିଲା। ଏପ୍ରିଲ ୭କୁ  ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

୨୦୨୦ ନଭେମ୍ବର ୯ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୧୮ରେ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ତଦନ୍ତ ସଂପର୍କିତ ସବିଶେଷ ତଥ୍ୟକୁ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ୨୦୨୦ ଡିସେମ୍ବର ୧୪ରେ ଗିରଫ କରାଯାଇଛି ଓ ତଦନ୍ତ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଡିସେମ୍ବର ୧୬ରେ ଦର୍ଶାଯାଇଥିଲା। ୨୦୨୧ ଡିସେମ୍ବର ୨୧ରେ ହାଇକୋର୍ଟ  ମାମଲାର ଶୁଣାଣି କରି ତଦନ୍ତର ସାନି ସ୍ଥିତି ‌ସଂପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ପ୍ରସଂଗ ନେଇ ହାଇକୋର୍ଟରେ ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ତରଫରୁ ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ସେତେବେଳେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର