ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଥିଲା। ଜେଲ୍‌ରୁ ଫେରି ପୁଣି ନାବାଳିକାଙ୍କୁ ଉଠାଇନେଇ ଦୁଷ୍କର୍ମ କଲା। ଏଭଳି ଏକ ମାମଲାରେ ଆଜି ଖାରବେଳନଗର ଥାନା ପୁଲିସ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ପ୍ରଦୀପ ଜେନା ଓରଫ ସିପୁନ୍‌(୨୦)କୁ କୋର୍ଟ ଚାଲାଣ କରିଛି।  
ପୁଲିସ ସୂଚନା ମୁତାବକ ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ପ୍ରଦୀପ ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛା କରିବା ସହ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରୁଥିଲା। ମାତ୍ର ନାବାଳିକାଜଣକ ତା’ କଥାରେ ରାଜି ନହେବାରୁ ରାଗରେ ପ୍ରଦୀପ ତାଙ୍କୁ ଅପହରଣ କରିନେଇଥିଲା। ଏହା ୪ମାସ ତଳର କଥା। ସେତେବେଳେ ପୁଲିସ ପ୍ରଦୀପକୁ ଗିରଫ କରିଥିଲା ଏବଂ ନାବାଳିକା ଅପହରଣ ମାମଲାରେ ପ୍ରଦୀପ ଜେଲ୍‌ ଯାଇଥିଲା।  ମାସେ ଜେଲ୍‌ରେ ରହିବା ପରେ ସେ ଜାମିନରେ ମୁକୁଳିଥିଲା। ଜେଲ୍‌ରୁ ଫେରିବା ପରେ ବି ପ୍ରଦୀପର ପ୍ରେମ ନିଶା ଖସିନଥିଲା। ସେ ପୁଣି ନାବାଳିକାଙ୍କୁ ପିଛା କରିଥିଲା। ଗତ ସପ୍ତାହରେ ସେ ପୁଣିଥରେ ନାବାଳିକାଙ୍କୁ ଅପହରଣ କରିନେଇଥିଲା। କେନ୍ଦୁଝରରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ଗତକାଲି ରାତିରେ ପୁଲିସ ଟିମ୍‌ କେନ୍ଦୁଝରରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ପ୍ରଦୀପକୁ ଗିରଫ କରିଥିଲା।