ଭୁବନେଶ୍ୱର : ପ୍ରେମ ବାହାନାରେ ଦୁଷ୍କର୍ମ

ଭୁବନେଶ୍ବର : ଜଣେ ଗରିବ ନାବାଳିକାର ଅସହାୟତାର ସୁଯୋଗ ନେଇ ପ୍ରେମ କରିବା ବାହାନାରେ ତାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଛି। ଏମିତିକି ଅଭିଯୁକ୍ତ ତାଙ୍କୁ ହସ୍ପିଟାଲ ପରିସରରେ ମଧ୍ୟ ଦୁଷ୍କର୍ମ କରିବାକୁ ପଛାଇ ନାହିଁ। ତେବେ ସୌଭାଗ୍ୟକୁ ନାବାଳିକାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ(ସିଡବ୍ଲ୍ୟୁସି) କମିଟି ନଜରରେ ପଡ଼ିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ଏବେ ଖଣ୍ଡଗିରି ଥାନା ପୁଲିସ ଏହି ସଂଗିନ୍ ମାମଲାର ତଦନ୍ତ(ପୋକ୍ସ ଆଇନ୍‌) କରୁଛି ଓ ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ନାବାଳିକାଙ୍କୁ ସିଡବ୍ଲ୍ୟୁସି ଦାୟିତ୍ବରେ ଏକ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ଓ ତା’ର ମାନସିକ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ପୀଡ଼ିତାଜଣକ ନାବାଳିକା କି ପ୍ରାପ୍ତ ବୟସ୍କ ବୋଲି ସ୍ପଷ୍ଟ ହୋଇନଥିବାରୁ ତାଙ୍କ ବୟସ ପ୍ରମାଣପତ୍ର ଖୋଜା ଚାଲିଛି।

ପୀଡ଼ିତାଙ୍କ ବୟାନ ଅନୁସାରେ, ଗତ ପ୍ରାୟ ୨ ମାସ ପୂ‌ର୍ବେ ତାଙ୍କ ମା’ ଏମ୍‌ସରେ ଚିକିତ୍ସାଧୀନ ଥିଲେ। ସେତେବେଳେ ସେ ମା’ଙ୍କ ଦେଖାଶୁଣା ପାଇଁ ଏମ୍‌ସରେ ରହିଥିଲେ। ସେହି ସମୟରେ କଳ୍ପନାଛକ ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ତାଙ୍କ ବାପା ଅନ୍ୟତ୍ର ବିବାହ କରି ଘର ଛାଡ଼ି ଦେଇଥିବାରୁ ମା’ଙ୍କ ମୃତ୍ୟୁ ପରେ ସେ ଅସହାୟ ହୋଇ ପଡ଼ିଥିଲେ। ଏହି ସମୟରେ ଯୁବକ ଜଣକ ତାଙ୍କୁ ପ୍ରେମରେ ଫସାଇଥିଲା। ତାଙ୍କ ଅସହାୟତାର ସୁଯୋଗ ନେଇ ଯୁବକଜଣକ ତାଙ୍କୁ ପାଖରେ ରଖିଲା ଓ ସେ ମଧ୍ୟ ରାଜି ହୋଇଯାଇଥିଲେ। କିନ୍ତୁ ପ୍ରେମ ନାଁରେ ଯୁବକଜଣକ ତାଙ୍କୁ ଦୁଷ୍କର୍ମ କରିବାରୁ ସେ ତାକୁ ଛାଡ଼ି ପଳାଇ ଆସିଥିଲେ ଓ ବଡ଼ ଭଉଣୀ ପାଖରେ ରହିଥିଲେ। ଗତ ୨୦ ତାରିଖରେ ତାଙ୍କ ବଡ଼ ଭଉଣୀ ଘରେ ପଡ଼ିଯିବାରୁ ଗୋଡ଼ ଭାଙ୍ଗି ଯାଇଥିଲା। ତେଣୁ ସେ ଏମ୍‌ସରେ ଭର୍ତ୍ତି ହୋଇଥିଲେ ଓ ପୀଡ଼ିତା ତାଙ୍କ ଦେଖାଶୁଣା ପାଇଁ ସହ ଏମ୍‌ସରେ ରହିଥିଲେ। ଅଭିଯୁକ୍ତ ଏହି ଖବର ପାଇ ଗତ ୨୪ ତାରିଖରେ ଏମ୍‌ସରେ ପହଞ୍ଚିଥିଲା ଓ ପୁଣି ତାଙ୍କୁ ଜୋର୍‌ କରି ଦୁର୍ଷ୍କମ କରିବାକୁ ଉଦ୍ୟମ କରିଥିଲା। ହେଲେ ଭଉଣୀ ଅସୁସ୍ଥ ଥିବାରୁ ପୀଡ଼ିତା‌ ରାଜି ହୋଇନଥିଲେ। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଠାଇ ଆଣିଥିଲା। କିନ୍ତୁ ପୀଡ଼ିତା ଏତଲା ଦେବାକୁ ରାଜି ନ ହେବାରୁ ପୁଲିସ ଏକ ଅଣ୍ଡରଟେକିଂ ଲେଖାଇ ଅଭିଯୁକ୍ତକୁ ଛାଡ଼ି ଦେଇଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚାଇଲ୍ଡ ଲାଇନ୍‌ ନିକଟରେ ପହଞ୍ଚିଥିଲା। ଶୁକ୍ରବାର ଚାଇଲ୍ଡ ଲାଇନ୍‌ର କର୍ମକର୍ତ୍ତାମାନେ ଏମ୍‌ସରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଖଣ୍ଡଗିରି ଥାନାରେ ଅଭିଯୋଗ କରାଇଥିଲେ। ପୀଡ଼ିତା ଥାନାରେ ସବୁ କଥା ବୟାନ୍‌ ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।

ସମ୍ବନ୍ଧିତ ଖବର