ଚନ୍ଦ୍ରଶେଖରପୁର : ଭଲରେ କଥା କହି ଶିଖିନାହିଁ ପିଲାଟି। ପ୍ରାଥମିକ ବିଦ୍ୟାଳୟକୁ ଯିବା, ଖେଳିବା ଓ ବୁଲିବା ବୟସ ତା’ର। ମାତ୍ର ବାବୁଙ୍କ ଘରେ ପାଇଟି କରୁଥିଲା ମାସିକ ୨ ହଜାର ଟଙ୍କ ପାଇଁ। ବାବୁ ବାପା ପାଖକୁ ଟଙ୍କା ପଠାଇ ଦେଉଥିଲେ ଓ ଏଠି ନାବାଳିକାଟି ବାବୁଙ୍କ ଘରେ ସବୁ ପାଇଟି କରୁଥିଲା। ଦିନରାତି ଖଟିବା ପରେ ବି ସେ ନିର୍ମମ ନିର୍ଯାତନାର ଶିକାର ହେଉଥିଲା। ଏମିତି ଜଣେ ୮ ବର୍ଷର ନାବାଳିକାକୁ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ଉଦ୍ଧାର କରିଛି। ନିର୍ଯାତନା ସହିନପାରି ବାବୁଙ୍କ ଘରୁ ଲୁଚି ପଳାଇ ଆସିଥିବା ଅବସ୍ଥାରେ ପୁଲିସ ତାକୁ ଉଦ୍ଧାର କରିଛି। ମୟୂରଭଞ୍ଜର ଏହି ନିରୀହ ନାବାଳିକାକୁ ପୁଲିସ ଚାଇଲ୍ଡ ଲାଇନ୍ରେ ଛାଡ଼ିବା ସହ ବାପା-ମାଙ୍କୁ ଖବର ପଠାଇଛି। ଏଣେ ବାବୁଙ୍କ ଠିକଣା ପାଇ ପୁଲିସ ତାଙ୍କୁ ମଧ୍ୟ ଥାନାକୁ ଡକାଇ ପ୍ରାଥମିକ ପଚରାଉଚରା କରି ଛାଡ଼ିଛି। ଏହି ମାମଲାକୁ ପୁଲିସ ଗୁରୁତ୍ବର ସହ ନେଇଛି ଓ ନାବାଳିକାର ବାପା ଆସନ୍ତାକାଲି ପହଞ୍ଚିବା ପରେ ବାବୁଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ମଙ୍ଗଳବାର ମଧ୍ୟାହ୍ନରେ ନାବାଳିକାଟି ନନ୍ଦନବିହାର ଛକରେ ଏକୁଟିଆ ବସି କାନ୍ଦୁଥିବାର ଦେଖି ଜଣେ ଯୁବକ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ଖବର ପାଇ ପିସିଆର୍ ପହଞ୍ଚିଥିଲା ଓ ନାବାଳିକାକୁ ଥାନାକୁ ନେଇଥିଲା। ଥାନାର ମିହିଳା ପୁଲିସ ଅଧିକାରୀ ନାବାଳିକାକୁ କାଉନ୍ସେଲିଂ କରିଥିଲେ। ଏହା ପରେ ନାବାଳିକାଟି ଯାହା କହିଥିଲା, ସେଥିରେ ଉପସ୍ଥିତ ପୁଲିସ କର୍ମଚାରୀମାନଙ୍କ ଆଖି ଖୋସି ହୋଇଯାଇଥିଲା। ନାବାଳିକାର ଘର ମୟୂରଭଞ୍ଜରେ। ଗରିବ ଘର ହୋଇଥିବାରୁ ତା’ ବାପା ଭୁବନେଶ୍ବରରେ ରହୁଥିବା ଜଣେ ବାବୁଙ୍କ ଘରେ କାମ ପାଇଟି କରିବାକୁ ପଠାଇଥିଲେ। ମାସିକ ଦୁଇ ହଜାର ଟଙ୍କାରେ ବିଚାରି ବାବୁଙ୍କ ଘରେ ଦିନରାତି ଗଧ ଭଳି ଖଟୁଥିଲା। ତଥାପି ବାବୁ ବାବୁଆଣୀଙ୍କ ମନକୁ ପାଉନଥିଲା ନାବାଳିକାର ପରିଶ୍ରମ। ତେଣୁ ଗାଳିମାଡ଼ ଖାଇବାକୁ ପଡ଼ୁଥିଲା ପିଲାଟିକୁ। ତେଣୁ କଷ୍ଟ ସହିନପାରି ଗାଁକୁ ପଳାଇବାକୁ ବାବୁଙ୍କ ଘରୁ ଲୁଚି ପଳାଇଆସିଥିଲା ବୋଲି ପିଲାଟି କହିଲା। ନାବାଳିକାର ଏହି କାହାଣୀ ଶୁଣିବା ପରେ ପୁଲିସ ତୁରନ୍ତ ବାବୁଙ୍କୁ ଠାବ କରି ଥାନାକୁ ଆଣିଥିଲା। ବାବୁ ଥାନାରେ ପହଞ୍ଚିବା ପରେ ପୁଣି ଘଟିଥିଲା ଅଭାବନୀୟ କଥା। ନାବାଳିକାଟି ବାବୁଙ୍କୁ ଦେଖି ଏମିତି ଭୟ କରିଯାଇଥିଲା ଯେ କିଛି କହିପାରିନଥିଲା। ତେଣୁ ବାବୁ ଯେ ନାବାଳିକାକୁ କେତେ ଅତ୍ୟାଚାର କରୁଥିଲେ, ତାହା ବୁଝିବାକୁ ବାକି ନଥିଲା। ଅଧିକ କିଛି ପଚରାଉଚରା ନକରି ପୁଲିସ ତୁରନ୍ତ ଚାଇଲ୍ଡ ଲାଇନ୍ ସଦସ୍ୟଙ୍କୁ ଡାକି ନାବାଳିକାକୁ ସେମାନଙ୍କ ଜିମା ଦେଇଥିଲା ଓ ତା’ ବାପା-ମାଙ୍କୁ ଫୋନ୍ କରି ଜଣାଇଥିଲା।