ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରୁ ରାତିଅଧରେ ମୋରମ ଖୋଳାଯାଉଛି। ହାଇୱା, ଜେସିବି ମେସିନ୍ ଅଭୟାରଣ୍ୟ ଭିତରେ ପଶି ବେଧଡ଼କ ଲଘୁ ଖଣିଜ ସମ୍ପଦ ଲୁଟି ନେଉଛନ୍ତି। ଜେସିବି ସାହାଯ୍ୟରେ ମାଟି ତଡ଼ାଯାଇ ସଙ୍ଗେ ସଙ୍ଗେ ଟ୍ରକ୍‌ରେ ଲୋଡ୍‌ ହେଉଛି। ଆଉ ରାତିରେ ହିଁ ତାହାକୁ ଅଭୟାରଣ୍ୟ ବାହାରକୁ ଅଣାଯାଉଛି। ରାତି ପାହିଲା ବେଳକୁ ସବୁ କିଛି ଠିକ୍‌ ଠାକ୍‌ ଲାଗୁଛି। ଚନ୍ଦକା ରେଞ୍ଜରେ ଥିବା କୁମାରଖୁଣ୍ଟି ବିଟ୍‌ ନିକଟ ଯୋଗିବିଲଠାରେ ଏଭଳି ମୋରମ ଚୋରି ହେଉଥିବା ନଜରକୁ ଆସିଛି। ଏଭଳି ଲୁଟ୍‌ ହେଉଥିବା ଜଣାପଡ଼ିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଡିଏଫ୍‌ଓଙ୍କ ବିନା ଅନୁମତିରେ ଅଭୟାରଣ୍ୟରେ କେହି ପ୍ରବେଶ କରିପାରିବେ ନାହିଁ ବୋଲି ନିୟମ ରହିଛି। ମାତ୍ର ରାତି ଅଧରେ କିଭଳି ମାଫିଆମାନେ ଏଭଳି କାର୍ଯ୍ୟ କରିବାକୁ ସାହସ ପାଉଛନ୍ତି? ରାତିରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି ତ? ମୋରମ ଚୋରି ବିଷୟରେ ବନ ବିଭାଗ ଅଧିକାରୀ ଜାଣିଛନ୍ତି ତ? ମାଫିଆ ଓ ବନ ବିଭାଗ ଅଧିକାରୀଙ୍କ ସଲାସୁତରାରେ ଏଭଳି ଲୁଟ୍‌ ହେଉ ନାହିଁ ତ? ଏଭିଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ସୁରକ୍ଷା ନେଇ ପୂର୍ବତନ ବନ ଅଧିକାରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ଏସମ୍ପର୍କରେ ଖବର ପ୍ରକାଶ ପରେ ଆଜି ବନ ବିଭାଗର ନିଦ ଭାଙ୍ଗିଛି। ବିଭାଗ ତତ୍ପରତା ପ୍ରକାଶ କରିବା ସହ ଜଙ୍ଗଲ ସମ୍ପତ୍ତି ଲୁଟ୍‌ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏସିଏଫ୍‌ ମଧୁସ୍ମିତା ଦାସଙ୍କ ନେତୃତ୍ବରେ ଗଠିତ ସ୍ୱତନ୍ତ୍ର ଟିମ୍‌ ଆଜି ଅଭୟାରଣ୍ୟ ଭିତରେ ଥିବା ଯୋଗିବିଲ ଅଞ୍ଚଳକୁ ଯାଇ ଯାଞ୍ଚ କରିଥିଲେ। ଅଧିକାରୀମାନେ ଅଭୟାରଣ୍ୟ ଭିତରେ ବଡ଼ ବଡ଼ ଗାତ ଖୋଳାଯାଇଥିବା ଦେଖି ଚକିତ ହୋଇଯାଇଥିଲେ। ଏହାପରେ ଦେଢ ଘଣ୍ଟା ଧରି ମାପଚୁପ ଚାଲିଥିଲା।  ଅଭୟାରଣ୍ୟ ଭିତର ୭୧ ମିଟର ଲମ୍ବ ଓ ୪୦ ମିଟର ଓସାରର ଖୋଳାଯାଇଛି ବୋଲି ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲେ। ଅଭୟାରଣ୍ୟର ଆଉ କେଉଁ ସ୍ଥାନରେ କିଛି ଖନନ ହୋଇଛି କି ନାହିଁ ସେନେଇ ମଧ୍ୟ ଟିମ୍‌ର ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। ତଦନ୍ତ ସରିବା ପରେ ଖୁବ୍‌ଶୀଘ୍ର ଡିଏଫଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସିଏଫ୍‌ ଗଣମାଧ୍ୟମକୁ କହିଛନ୍ତି।

ଅଭୟାରଣ୍ୟ ଭିତରେ ମୋରମ ଖୋଳାଯାଇଥିବା ଘଟଣାକୁ ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଅଭିଯୋଗ ଆସିବା କ୍ଷଣି ତଦନ୍ତ ଆରମ୍ଭ ହୋଇଛି। ଏସିଏଫ୍‌ଙ୍କ ନେତୃତ୍ବରେ ଗଠିତ ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ସେମାନେ ରିପୋର୍ଟ ଦେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିଭାଗୀୟ କର୍ମଚାରୀ କିମ୍ବା ଯେକୌଣସି ଅଧିକାରୀ ସମ୍ପୃକ୍ତ ଥିଲେ ମଧ୍ୟ କାହାରିକୁ ଛଡ଼ାଯିବ ନାହିଁ। ଅଭୟାରଣ୍ୟ ଭିତରକୁ ଯାଇଥିବା ଗାଡ଼ି ମାଲିକଙ୍କୁ ମଧ୍ୟ ନୋଟିସ୍‌ ହେବ ବୋଲି ଡିଏଫ୍‌ଓ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।