ନିଶା ବେପାରୀଙ୍କ ବୀଭତ୍ସ କାଣ୍ଡ: ଗଡ଼ିଲା ନାବାଳକ ମୁଣ୍ଡ

ଚନ୍ଦ୍ରଶେଖରପୁର : ଦିନକୁ ଦିନ ରାଜଧାନୀରେ ଗୋଟିକ ପରେ ଗୋଟିଏ କରି ନିଶା କାରବାରର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି। ଗତ ସପ୍ତାହ‌ରେ ଭରତପୁର ଥାନା ଘାଟିକିଆରେ ଜଣେ ନିଶାସକ୍ତ ସ୍ବାମୀ ଅନ୍ତୁଡ଼ିଶାଳରେ କୋଳରେ ୪ ଦିନର ଶିଶୁକନ୍ୟା ଧରିଥିବା ସ୍ତ୍ରୀକୁ ବଡ଼ ବୀଭତ୍ସ ଭାବେ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲା। ଏମିତିକି ନୃଶଂସ ନିଶାଡ଼ି ତା’ର ୬ ବର୍ଷର ଝିଅର ବେକକୁ ଛୁରିରେ କାଟି ପକାଇଥିଲା। ସୌଭାଗ୍ୟକୁ କୁନି ଝିଅଟି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା। ଏହି ଭୟଙ୍କର ହତ୍ୟାକାଣ୍ଡର କାହାଣୀ ରାଜଧାନୀବାସୀଙ୍କ ମନ ନ ଲିଭୁଣୁ, ଆଜି ଚନ୍ଦ୍ରଶେଖରପୁରରେ ଘଟିଛି ଆଉ ଏକ ନିର୍ମମ ହତ୍ୟାକାଣ୍ଡ। ବସ୍ତିରେ ବ୍ରାଉନ୍‌ସୁଗାର କାରବାରକୁ ବିରୋଧ କରିବାକୁ ଯାଇ ଜଣେ ନାବାଳକର ମୁଣ୍ଡ ଗଡ଼ିଛି। ନିଶା ବେପାରୀମାନେ ଜଣେ ନାବାଳକକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଟେକି ନେଇ ହତ୍ୟା କରିଛନ୍ତି। ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଶିକାର ହୋଇଛନ୍ତି ଯୁଧିଷ୍ଠିର ନାୟକଙ୍କ ୧୬ ବର୍ଷର ପୁଅ ଦୈତ୍ୟରାଜ।

ବସ୍ତିରେ ବୁଲୁଥିଲେ, ଆଜି ଫେରାର୍‌
୧୩ ତାରିଖରେ ଦୈତ୍ୟରାଜକୁ ଜଙ୍ଗଲକୁ ଡାକି ନେଇ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିର ଥାନାରେ ଅପହରଣ ଅଭିଯୋଗ କରିଥିଲେ ବି ପୁଲିସ କଥାକୁ ହାଲୁକା ଭାବେ ନେଇଥିଲା। ତେଣୁ ଦୁଇ ସନ୍ଦିଗ୍ଧ ଗେଡ଼ୁ ଓ ଦୀପକକୁ ପୁଲିସ ପଚରାଉଚରା କରିନଥିଲା। ଏମିତିକି ହାପି ନାମକ ପିଲାଟିର ସୂଚନାକୁ ବି ପୁଲିସ ଧ୍ୟାନ ଦେଇନଥିଲା। ବଡ଼ କଥା ହେଉଛି, ସେମାନେ ଗୋଟିଏ ମୁଣ୍ଡ ନେଇଛନ୍ତି ଓ ଆଗକୁ ଆହୁରି ମୁଣ୍ଡ ଗଡ଼ାଇବେ ବୋଲି ପରୋକ୍ଷରେ କହି ବୁଲୁଥିବା ଚର୍ଚ୍ଚା ହେଉଛି। ୧୪ ତାରିଖରୁ ଲୋ‌କେ ଗେଡ଼ୁ ଓ ଦୀପକକୁ ବସ୍ତିରେ ବୁଲୁଥିବା ଦେଖିଥିଲେ। କିନ୍ତୁ ଆଜି ସକାଳୁ ଟ୍ରେଞ୍ଚ ଭିତରୁ ଦୈତ୍ୟରାଜର ଶବ ମିଳିବା ପରେ ଗେଡ଼ୁ ଓ ଦୀପକ ଅନ୍ତର୍ଧାନ ହୋଇଯାଇଥିଲେ। ତେବେ ପୁଲିସ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇଛି ବୋଲି ସୂଚନା ମିଳିଛି। ପୁଲିସ ହାତରେ ଦୀପକ ଲାଗିଥିବା ବେଳେ ଗେଡ଼ୁ ରାଜଧାନୀ ବାହାରକୁ ପଳାଇଛି ବୋଲି କୁହାଯାଉଛି। ତାକୁ ଧରିବା ପାଇଁ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ବିନା‌ ସାଇଣ୍ଟିଫିକ୍‌ ଟିମ୍‌ରେ ଶବ ଜବତ
ଆଜି ସକାଳୁ ପଣ୍ଡା ପାର୍କ ବସ୍ତିରୁ ମାତ୍ର ଶହେ ମିଟର ଦୂର ଟ୍ରେଞ୍ଚ ଭିତରେ ଦୈତ୍ୟରାଜଙ୍କ ଶବ ଦେଖାଯିବା ପରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ମାତ୍ର ସାଇଣ୍ଟିଫିକ୍‌ ଟିମ୍ ଡାକିନଥିଲା ପୁଲିସ। ପୁଲିସ ନିମୟାନୁସାରେ ଠିକ୍ ଯାଞ୍ଚ ନକରି ମୃତଦେହକୁ ଟ୍ରେଞ୍ଚ ଭିତରୁ ବାହାରକୁ ଆଣିଥିଲା ଓ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପୁଲିସର ଏଭଳି ପଦ‌କ୍ଷେପକୁ ବେଆଇନ ବୋଲି ଅଭିଯୋଗ କରି ବସ୍ତିବାସିନ୍ଦାମାନେ ପାଟିତୁଣ୍ଡ କରିଥିଲେ। ଫଳରେ ସେଠା‌ରେ ଉତ୍ତେଜନା ବଢ଼ିଥିଲା। ତେବେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା ଓ କ୍ୟାପିଟାଲ ହସ୍ପିଟାଲରେ ଠିକ ପଞ୍ଚନାମା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନଥିଲା।

The Hans India

ମୁହଁ ପୋଡ଼ିଛି ଓ ଗୁପ୍ତାଙ୍ଗରେ ଗଭୀର କ୍ଷତ
ଦୁର୍ବୃତ୍ତମାନେ ଦୈତ୍ୟରାଜଙ୍କୁ ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟା ପୂର୍ବରୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଛି। ସେହିଭଳି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଦୁର୍ବୃତ୍ତମାନେ ଦୈତ୍ୟରାଜଙ୍କ ମୁହଁକୁ ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ତେବେ ସେମାନେ ନିଆଁ ଲଗାଇଛନ୍ତି କି କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରିଛନ୍ତି, ତାହା ପରେ ତଦନ୍ତରୁ ଜଣାପଡ଼ିବ ବୋଲି ପୁଲିସ କହିଛି।

ଘଟଣାର ଅନ୍ତରାଳେ ପ୍ରତି‌ଶୋଧ
ପୁଲିସ ତଦନ୍ତ ଜାରି ରହିଛି ଓ ଦୈତ୍ୟରାଜଙ୍କ ହତ୍ୟାକାରୀମାନଙ୍କୁ ପୁଲିସ ଠାବ କରିପାରିନାହିଁ। ଅବଶ୍ୟ ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବସ୍ତିର ଜଣେ ସନ୍ଦିଗ୍ଧକୁ ଉଠାଇ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଯୁଧିଷ୍ଠିରଙ୍କ ଅଭିଯୋଗ ଅନୁସା‌ରେ ବସ୍ତିର ଜଣାଶୁଣା ନିଶା ବେପାରୀ ଗେଡ଼ୁ ଓ ଦୀପକ ବ୍ରାଉନ୍‌ସୁଗାର କାରବାର ଚଳାଇ ଆସୁଛନ୍ତି। ତାଙ୍କ ପାଖକୁ ଆସୁଥିବା ନିଶାଡ଼ିମାନେ ବସ୍ତିରେ ବିଭିନ୍ନ ଗଣ୍ଡଗୋଳ କରିବା ସହ ମହିଳା ଓ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଘଟଣାକ୍ରମେ ଥରେ ନିଶାସକ୍ତ ଯୁବକମାନେ ଯୁଧିଷ୍ଠିରଙ୍କ ଝିଅଙ୍କୁ କମେଣ୍ଟ ମାରିଥିଲେ। ଏନେଇ ତାଙ୍କ ଦୁଇ ପୁଅ ପୁଲିସକୁ ଜଣାଇଥିଲେ। ପୁଲିସ ନିଶାଡ଼ିଙ୍କ ଆଡ଼ାରେ ଚଢ଼ଉ କରିଥିଲା ସତ, କିନ୍ତୁ ବ୍ରାଉନ୍‌ସୁଗାର ଜବତ କରିନପାରି ଖାଲି ହାତରେ ଫେରିଥିଲା। ଏହାକୁ ନେଇ ଗେଡ଼ୁ ଓ ଦୀପକ ଯୁଧିଷ୍ଠିରଙ୍କ ଦୁଇ ପୁଅଙ୍କ ଉପରେ ରାଗିଥିଲେ। ଏକଦା ସେମାନେ ଯୁଧିଷ୍ଠିରଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ହତ୍ୟା ଧମକ ବି ଦେଇଥିଲେ। ଝଗଡ଼ା‌ ବଢ଼ିବାକୁ ଭୟ କରି ଯୁଧିଷ୍ଠିର ଏନେଇ ପୁଲିସକୁ ଜଣାଇନଥିଲେ। କିନ୍ତୁ ପ୍ରତିଶୋଧ ନିଆଁରେ ଜଳୁଥିବା ଗେଡ଼ୁ ଓ ଦୀପକ ଶେଷରେ ସୁଯୋଗ ଦେଖି ଦୈତ୍ୟରାଜକୁ ହତ୍ୟା କରିଛନ୍ତି ବୋଲି ଆଜି ଯୁଧିଷ୍ଠିର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ପୁରୀ ଯିବାକୁ ଡାକି ମାରିଦେଲେ
ଗତ ୧୩ ତାରିଖ ଦିନ ରଜର ଅବ୍ୟବହିତ ପୂର୍ବରୁ ହଠାତ୍ ବସ୍ତିରୁ ଦୈତ୍ୟରାଜ ନିଖୋଜ ହୋଇଯାଇଥିଲେ। କୁହାଯାଉଛି ଯେ ସେଦିନ ଦୈତ୍ୟରାଜ ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚକୁ ଲାଗି ଏକ ସ୍ଥାନରେ ଏକାକୀ ବସିଥିଲେ। ଗେଡ଼ୁ ଓ ଦୀପକ ସେଠାରେ ପହଞ୍ଚି ତା’ ସହ କଥା ହୋଇଥିଲେ। ରଜ ପାଇଁ ସେମାନେ ପୁରୀ ବୁଲିବାକୁ ଯାଉଛନ୍ତି ବୋଲି କହି ତା’କୁ ଡାକିଥିଲେ। ମାତ୍ର ଦୈତ୍ୟରାଜ ରାଜି ହୋଇନଥିଲେ। ଏହା ପରେ ସେମାନେ କୌଶଳକ୍ରମେ ତାକୁ ଜଙ୍ଗଲ ଭିତରକୁ ଡାକି ନେଇଥିଲେ ଓ ସେଠାରେ ତାକୁ ହତ୍ୟା କରିଥିଲେ। ମୃତଦେହକୁ ସେମାନେ ହାତୀ ଟ୍ରେଞ୍ଚ ଭିତରେ ଲତାବୁଦା ଭିତରେ ଲୁଚାଇ ଦେଇଥିଲେ। ସନ୍ଧ୍ୟା ବେଳକୁ ଦୁଇ ଦୁର୍ବୃତ୍ତ ଜଙ୍ଗଲରୁ ବାହାରି ଆସିଥିଲେ। ବସ୍ତିର ହାପି ନାମକ ଜଣେ ପିଲା ହାତରେ ଦୈତ୍ୟରାଜର ମୋବାଇଲ୍‌ ଫୋନ୍‌ ଦେଇ ତାଙ୍କ ଘରକୁ ପଠାଇଥିଲେ ଓ ସେମାନେ ପୁରୀ ବୁଲିବାକୁ ଯାଇଛନ୍ତି ବୋଲି କହିବାକୁ ହାପିକୁ ନିର୍ଦ୍ଦେଶ ଦେଇଥିଲେ। ହାପି ମୋବାଇଲ୍‌ ଫୋନ୍‌ ନେଇ ଯୁଧିଷ୍ଠିରଙ୍କ ଘରେ ଦେବା ସହ ଦୀପକ କହିବା ଅନୁସାରେ ଦୈତ୍ୟରାଜ ପୁରୀ ଯାଇଛି ବୋଲି କହିଥିଲା। ମୋବାଇଲ୍‌ ଫୋନ୍‌ ଘରକୁ ପଠାଇବା ଏବଂ ଦୈତ୍ୟରାଜ, ଗେଡ଼ୁ ଓ ଦୀପକ ସହ ପୁରୀ ଯିବା କଥାକୁ ଯୁଧିଷ୍ଠିରଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଅଘଟଣ ଆଶଙ୍କା କରି ସେମାନେ ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ ପୁଅକୁ ଅପହରଣ କରାଯାଇଛି ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର