କ୍ୟାପିଟାଲ୍‌ ହସ୍ପିଟାଲ ପଛପଟେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ସପ୍ତାହକ ମଧ୍ୟରେ ଗିରଫ କରିବାକୁ କମିସନରେଟ ପୁଲିସକୁ ନିର୍ଦେଶ

ଭୁବନେଶ୍ୱର : ୨୦୧୫ର ବହୁ ଚର୍ଚିତ କ୍ୟାପିଟାଲ ହସ୍ପିଟାଲ ପଛପଟେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରବି ରଂଜନ ମିଶ୍ରଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ଏକ ସପ୍ତାହ ମଧ୍ୟରେ ଡାକ୍ତର ଶ୍ରୀ ମିଶ୍ରଙ୍କୁ ଗିରଫ କରିବାକୁ ଜିଲ୍ଲା ଦୌରାଜଜ୍‌ କୋର୍ଟ କ୍ୟାପିଟାଲ୍‌ ଥାନା ଇନ୍ସପେକ୍ଟର ଇନଚାର୍ଜ ଏସିପି ମାନସ ଗଡ଼ନାୟକଙ୍କୁ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏଭଳି ଏନ୍‌ବିଡବ୍ଲ୍ୟୁ ଜାରି ପରେ କ୍ୟାପିଟାଲ ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲ, ଡାକ୍ତରଙ୍କ ସରକାରୀ ଘର ଓ ପୈତୃକ ଘରେ ଚଢ଼ଉ କରିଛି। କିନ୍ତୁ କେଉଁଠି ଡାକ୍ତର ଶ୍ରୀ ମିଶ୍ରଙ୍କ ପତ୍ତା ମିଳିନାହିଁ। ଯଦି ସପ୍ତାହକ ମଧ୍ୟରେ ଡାକ୍ତର ଶ୍ରୀ ମିଶ୍ର ଧରା ନ ପଡ଼ନ୍ତି, ତାଙ୍କୁ ପଳାତକ ଘୋଷଣା କରାଯିବା ସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତିି କରିବାକୁ କୋର୍ଟକୁ ଚିଠି ଲେଖାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ୨୦୧୫ରେ କ୍ୟାପିଟାଲ୍‌ ହସ୍ପିଟାଲ ପଛପଟ ଏକ ବସ୍ତିରେ ଗଣ ଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତମାନେ ବସ୍ତିରୁ ଜଣେ ନାବାଳିକାକୁ ଅପହରଣ କରି ନେଇ ପ୍ରଥମେ ଜଟଣୀ ଓ ପରେ ପାଞ୍ଚଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ପରେ ନାବାଳିକାଙ୍କୁ ସେଠାରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ପରବର୍ତୀ ସମୟରେ ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ମହିଳା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ରାଜା ଜେନା ଓ ତାର କେତେକ ସହଯୋଗୀଙ୍କୁ ଗିରଫ କରିଛି। ସମସ୍ତେ ଏବେ ବି ଝାରପଡ଼ା ଜେଲ୍‌ରେ। ଏହି ମାମଲାର ଶୁଣାଣି ମାନ୍ୟବର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଚାଲିଛି। ମାମଲାର ତ୍ୱରିତ ଶୁଣାଣି କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଇବାକୁ ନିୟମ ଥିବାବେଳେ ଏହି ମାମଲାର ଅନ୍ୟତମ ସାକ୍ଷୀ ତଥା ନାବାଳିକାଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ମିଶ୍ର ଆଦୌ ସହଯୋଗ କରୁ ନାହାନ୍ତି। ତାଙ୍କୁ କୋର୍ଟ ପକ୍ଷରୁ ୩ ଥର ସମନ୍‌ କରାଯାଇ ସାରିଲାଣି। କୋର୍ଟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକଙ୍କୁ ମଧ୍ୟ ଚିଠି କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଡାକ୍ତର ମିଶ୍ରଙ୍କ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛନ୍ତି। ଶେଷରେ କ୍ୟାପିଟାଲ୍‌ ଥାନା ଏସିପି ଶ୍ରୀ ଗଡ଼ନାୟକଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା ତାଙ୍କ ସମ୍ପର୍କରେ ଖୋଜଖବର ନେବାକୁ। କିନ୍ତୁ ପୁଲିସ ତାଙ୍କୁ ପାଇ ନ ଥିଲା ବୋଲି ଆଜି କୋର୍ଟରେ ହାଜର ହୋଇ ଶ୍ରୀ ଗଡ଼ନାୟକ ଅବଗତ କରାଇଛନ୍ତି। ଶେଷରେ କୋର୍ଟ ଡାକ୍ତରଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି ବୋଲି ଆଇନଜୀବୀ ବିରଞ୍ଚି ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର