ପିକ୍‌ଅପ୍‌ ଧକ୍କାରେ ନାବାଳକର ମୃତ୍ୟୁ

କୁର୍‌କୁରି କିଣିବା କାଳ ହେଲା, ଆଈ ସମ୍ମୁଖରେ ନାତି ଆଖି ବୁଜିଲା

ବାଲିଅନ୍ତା : ଆଈ ଓ ନାତି ସାଙ୍ଗ ହୋଇ ବଜାର ଯାଇଥିଲେ। ଅନ୍ୟ କିଛି କାମ ନଥିଲା। କେବଳ ନାତି ପାଇଁ କୁର୍‌କୁରି କିଣିବା ପାଇଁ ଆଈ ତାକୁ ସାଙ୍ଗରେ ଧରି ବଜାର ବାହାରି ପଡ଼ିଥିଲେ। ବଡ଼ ଖୁସିରେ ଆଈନାତି ଗପି ଗପି ବଜାର ଯାଇଥିଲେ ଓ କୁର୍‌କୁରି କିଣି ବଜାରରୁ ଘରକୁ ଫେରିବାକୁ ବାହାରିଥିଲେ। ମାତ୍ର ରାସ୍ତା ପାର୍‌ ହେବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏକ ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌ ନାତିକୁ ପିଟିଦେଲା ଓ କିଛି ଦୂର ଘୋଷାରି ନେଲା। ଆଈ ଆଖି ଆଗରେ ନାତି ଆଖି ବୁଜି ଦେଇଥିଲା। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲିକାନ୍ଥିଆ ବଜାରରେ। ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ହଂସପାଳ-ଅଭୟମୁଖୀ ରାସ୍ତାର ବାଲିକାନ୍ଥିଆ ଛକରେ ଘଟିଥିବା ଏହି ଦୁର୍ଘଟଣାରେ ମୃତ ନାବାଳକ ହେଲେ ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଛନ୍ଦୋଳ ଗାଁର ପ୍ରତାପ କୁମାର ଦାଶଙ୍କ ପୁଅ ସାର୍ଥକ (୯)। ବାଲିଅନ୍ତା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଗତ କିଛି ଦିନ ପୂର୍ବେ ସାର୍ଥକ ନିଜ ମା’ଙ୍କ ସହ ମାମୁ ଘର ବାଲିକାନ୍ଥିଆ ବୁଲି ଯାଇଥିଲା। ଆଜି ଅପରାହ୍‌ଣରେ ସେ ଆଈଙ୍କ ସହ ନିକଟସ୍ଥ ବଜାରକୁ କୁରକୁରି କିଣିବା ପାଇଁ ଯାଇଥିଲା। କୁର୍‌କୁରି କିଣି ସେମାନେ ଘରକୁ ଫେରିବାକୁ ବାହାରିଥିଲେ। ବଜାର ଉପରେ ରାସ୍ତା ପାର ହେବା ସମୟରେ ହଠାତ୍ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସାର୍ଥକକୁ ଧକ୍କା ଦେଇ କିଛି ଦୂରକୁ ଘୋଷାରି ନେଇଥିଲା। ଫଳରେ ସାର୍ଥକର ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ସେ ସଂଜ୍ଞାହୀନ ହୋଇପଡ଼ିଥିଲା। ବଞ୍ଚିଥିବା ଭାବି ସ୍ଥାନୀୟ ଲୋକେ ତୁରନ୍ତ ତାକୁ ୧୦୮ ଆମ୍ବଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇ ଦେଇଥିଲେ। ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣଟି ବାଲିକାନ୍ଥିଆ ଓ ସରକଣାରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର