ମୀରାମ୍ବିକା ପକ୍ଷରୁ ‘ଅଭୀସ୍ପା-୨୦୨୧’: ସମ୍ବର୍ଧିତ ହେଲେ ୧୧ ମହିଳା ପ୍ରତିଭା

ଚନ୍ଦ୍ରଶେଖରପୁର: ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆମ ଗାଁ, ଆମ ମା, ଆମ ମୀରାମ୍ବିକା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ସମ୍ବର୍ଧନା ଉତ୍ସବ ‘ଅଭୀପ୍ସା-୨୦୨୧’ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ଟ୍ରାଇଡେଣ୍ଟ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୧୧ଜଣ ସଫଳ ମହିଳା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଜ୍ଞାନର ମୁଖ୍ୟ ନିର୍ଦ୍ଦେଶକ ରତ୍ନାକର ରାଉତ ଯୋଗଦେଇ କହିଲେ, ସବୁ ମହିଳା ଜଣେ ଜଣେ ବିଶିଷ୍ଟ ମହିଳା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଶଂସା କରି ସେ କହିଲେ ଯେ ଦୂତି ଅନ୍ୟମାନଙ୍କ ପାଇଁ ଉଦାହରଣ। ମୁଁ ନିଜେ ତାଙ୍କର ଜଣେ ବଡ଼ ପ୍ରଶଂସକ। ପୂର୍ବରୁ ତାଙ୍କ ସହ ମୋର ବ୍ୟକ୍ତିଗତ ପରିଚୟ ନଥିଲା। ହେଲେ ଆଜି ତାଙ୍କ ସହ ସାକ୍ଷାତ ହେବା ପରେ ମୋତେ ବହୁତ ଖୁସି ଲାଗୁଛି। ଅପରପକ୍ଷେ ଆମ ରାଜ୍ୟର ମହିଳାମାନେ ଏବେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣୁଛନ୍ତି। ସେମାନଙ୍କ ଉଦ୍ୟମ ନିହାତି ଭାବେ ପ୍ରଶଂସନୀୟ। ଆମେ ତାଙ୍କ ପାଇଁ ଗର୍ବ ଅନୁଭବ କରିବା ଉଚିତ।

ସେହିପରି ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମ ଆୟୋଜନକୁ ଶ୍ରୀ ରାଉତ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସର ମହିଳା ଉଦ୍ୟୋଗପତି କମିଟିର ଅଧ୍ୟକ୍ଷା ସ୍ବୀକୃତି ପଟ୍ଟନାୟକ ଓ ମୀରାମ୍ବିକାର ପ୍ରତିଷ୍ଠାତା ଜୀବନଜ୍ୟୋତି ବାରିକ ମଧ୍ୟ ଉଦ୍‌ବୋଧନ ଦେବା ସହ ମହିଳା ଦିବସ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ୧୧ଜଣ ସଫଳ ମହିଳା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ, ‘ସମ୍ବାଦ ଗ୍ରୁପ୍‌’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଅନ୍ତର୍ଜାତୀୟ ଦୌଡ଼ରାଣୀ ଦୂତି ଚାନ୍ଦ, ସମ୍‌ ଅଲ୍ଟିମେଟ୍ ମେଡିକେୟାରର ଶ୍ବେତପଦ୍ମା ଦାସ, ଫାଲକନ୍ ଗ୍ରୁପ ନିର୍ଦେଶିକା ପ୍ରିୟଙ୍କା ମହାନ୍ତି, ମଦର୍ସ ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ପଲ୍ଲୀ ପଟ୍ଟନାୟକ, ମେ’ ଫେୟାର୍ ହୋଟେଲ ଆଣ୍ଡ ରିସର୍ଟର ନିର୍ଦ୍ଦେଶିକା ଆସ୍ଥା ରାୟ, ଆଇଏଚ୍‌ଏମ୍‌ ପ୍ରିନ୍ସିପାଲ ଶାରଦା ଘୋଷ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ପ୍ରଶାସିକା ମଧୁସ୍ମିତା ସାହୁ, ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ ପ୍ରମୁଖ। ଏହି ଅବସରରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ କେବଳ ୫ବର୍ଷ ମଧ୍ୟରେ ମୀରାମ୍ବିକା ୩୦ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ଜୀବନକୁ ପ୍ରଭାବିତ କରିପାରିଛି। ଏଭଳି ଏକ ଅନୁଷ୍ଠାନ ପକ୍ଷରୁ ମୋତେ ପୁରସ୍କୃତ କରାଯାଇଥିବାରୁ ମୁଁ ଗର୍ବିତ।

ସମ୍ବନ୍ଧିତ ଖବର