ଭୁବନେଶ୍ୱର : ଆଇନାର ଗୋଲକଧନ୍ଦାରେ ଫସି ମଜା ସାଉଁଟିବେ ଦର୍ଶକ। ଆଇନା ଘର ଆପଣଙ୍କୁ ଦେଖେଇବ ଆପଣଙ୍କ ଅଗଣିତ ପ୍ରତିରୂପ। ରେଳଡବାର ଅସୀମତାକୁ ଆପଣଙ୍କ ଆଖି ମାପି ନପାରି ଚକିତ ହେବ। ହଁ ଏମିତି ଏକ ଅବିଶ୍ୱସନୀୟ ଅନୁଭୂତି ଦେବ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆର୍ଏସ୍ସି)ର ମିରର ଗ୍ୟାଲେରି ବା ଆଇନା ଘର। ସମ୍ଭବତଃ ଡିସେମ୍ବରରୁ ଏହି ନିଆରା ଅନୁଭବର ସୁଯୋଗ ମିଳିବ।
୬ ମାସ ତଳେ ଆରମ୍ଭ ହୋଇଥିବା ଏହି ମିରର ଗ୍ୟାଲେରି ପ୍ରକଳ୍ପ କାର୍ଯ୍ୟ ବର୍ତମାନ ସୁଦ୍ଧା ୯୦ ପ୍ରତିଶତ ଶେଷ ହୋଇଛି। ନଭେମ୍ବର ୨୦ ସୁଦ୍ଧା ସମସ୍ତ କାମ ଶେଷ ହେବ ବୋଲି କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅର୍ଚନା ଖୋସ୍ଲା କହିଛନ୍ତି। ଏଥିସହିତ ପରିସରରେ ଅଭିନବ କୌଶଳର ସାଧନ କେନ୍ଦ୍ର ଭାବେ ‘ଇନୋଭେସନ୍ ହବ୍’ ପ୍ରତିଷ୍ଠା କରାଯାଇଛି। ଉଭୟ ପ୍ରକଳ୍ପ ପାଇଁ ପାଖାପାଖି ୨ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ କରାଯାଉଛି। ମିରର ଗ୍ୟାଲେରିରେ ମୋଟ୍ ୧୮ଟି ପ୍ରଦର୍ଶନୀ ଥିମ୍ ରହିବ। ସବୁଠୁ କୌତୂହଳ ଅନୁଭବ ଦେବ ‘ମିରର୍ ମେଜ୍’। କିଛି ଚଳଚ୍ଚିତ୍ରରେ କାଚ ଘରେ ନାୟକ-ଖଳନାୟକଙ୍କ ଫାଇଟ୍ ବେଳେ ପରସ୍ପରର ଚେହେରାକୁ ଅନେକ ସ୍ଥାନରେ ଦେଖି ବିଚଳିତ ହୋଇ ଯାଉଥିବା ଦୃଶ୍ୟ ଭଳି ଅନୁଭୂତି ଆପଣ ବି ଏଠୁ ନେଇପାରିବେ। ସେହିଭଳି ମିରର୍ ମ୍ୟାଜିକ୍, ଫନ୍ ମିରର୍, ଇନ୍ଫିନିଟ୍ ଟ୍ରେନ୍ ଅନ୍ ମିରର୍, ଶଙ୍କୁ ଆଇନା, ଅବତଳ ଆଇନା, ଆଇନାରେ ଉପରେ ଓ ତଳେ ପ୍ରତିଫଳନ ଏବଂ ଉତ୍ତଳ ମିରର ଭଳି ଅନେକ ମଜାଦାର ଅନୁଭବ ଦେବ ଏହି ଗ୍ୟାଲେରି।
ସେହିଭଳି ‘ଇନୋଭେସନ୍ ହବ୍’ ମଧ୍ୟ ଏକ ଅଭିନବ ଅନୁଭବ ଦେବ। ଯୁବବର୍ଗଙ୍କୁ ନୂଆ କିଛି କରିବା ପାଇଁ ପ୍ରେରଣା ଦେବା ସହ ଜ୍ଞାନ ଦେବ ଏହି ହବ୍।
ଶ୍ରୀମତୀ ଖୋସ୍ଲାଙ୍କ କହିବା ମୁତାବକ, ଏହା କେବଳ ଲୋକଙ୍କୁ ମନୋରଂଜନ କରିବ ନାହିଁ ବରଂ ଭବିଷ୍ୟତର ଆର୍ଥିକ ଅବସ୍ଥା ଓ ବଢ଼ୁଥିବା ଜନସଂଖ୍ୟା ସହ ତାଳ ଦେଇ ନୂତନ ପଦକ୍ଷେପ ନେବା ପାଇଁ ଏହା ଜ୍ଞାନର ପରିସୀମାକୁ ବ୍ୟାପ୍ତ କରିବ। ଏହି ହବ୍ ମଧ୍ୟରେ ଏକ ଡିସ୍କଭରି ହଲ୍, ଇନୋଭେସନ୍ ସାଧନ କେନ୍ଦ୍ର, ହଲ୍ ଅଫ୍ ଫେମ୍, ଆଇଡିଆ ଲ୍ୟାବ୍, ତୋଡ୍ଫୋଡ୍ଯୋଡ୍ ତଥା ବ୍ରେକ୍ ଆଣ୍ଡ୍ ରିମେକ୍ କର୍ଣ୍ଣର, କବାଡ୍ ସେ ଯୁଗାଡ୍ ତଥା ବିଲ୍ଡ ଫ୍ରମ୍ ସ୍କାର୍ପ୍ସ, ଆଇଡିଆ ବକ୍ସ ଓ ଡିଜାଇନ୍ ଷ୍ଟୁଡିଓ ଆଦି ରହିବ। ଡିସ୍କଭରି ହଲ୍ ମଧ୍ୟରେ ୧୦ରୁ ୧୫ଟି ପ୍ରଦର୍ଶନୀ ଥିମ୍ ରହିବ ଯାହା ଯୌକ୍ତିକ ଭାବନାକୁ ଆହୁରି ମଜବୁତ କରିବ। ହଲ୍ ଅଫ୍ ଫେମ୍ରେ ପ୍ରେରଣାଦାୟୀ କାହାଣୀ ସାଙ୍ଗକୁ ବିଭିନ୍ନ ଜ୍ଞାନ, ଉତ୍ପାଦ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ଜ୍ଞାନ ମିଳିବ। ଆଧୁନିକ ଜ୍ଞାନ କୌଶଳ ସହ ପାରମ୍ପରିକ ଜ୍ଞାନ, କଳା, ସ୍ଥାପତ୍ୟ ଏବଂ ଜନ ଜୀବନର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ବନ୍ଧରେ ଜ୍ଞାନ ଆହରଣର ସୁଯୋଗ ମିଳିବ। ଏଥିସହିତ ଏହା ମଧ୍ୟରେ ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜିର ଲାବୋରେଟୋରି ଉପଲବ୍ଧ ହେବ। ନାସ୍ନାଲ୍ କାଉନ୍ସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍ ଏବଂ ନାସ୍ନାଲ୍ ଇନୋଭେସନ୍ କାଉନ୍ସିଲ୍ ମିଳିତ ଭାବେ ଏହି ଇନୋଭେସନ୍ ହବ୍ର ନିର୍ମାଣ କାର୍ଯ୍ୟ କରୁଛନ୍ତି।
ପିଲାମାନେ ହବ୍ରେ ଥିବା ସମସ୍ତ ଥିମ୍ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇ ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରିପାରିବେ। ବିଜ୍ଞାନ ବହି ବାହାରେ ଇନୋଭେସନ୍ ହବ୍ ମଧ୍ୟରେ ପ୍ରତ୍ୟକ୍ଷ ଅନୁଭୂତି ପିଲାମାନଙ୍କୁ ବିଜ୍ଞାନ ବିଷୟ ପ୍ରତି ଆହୁରି ଆକର୍ଷଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ଖୋସ୍ଲା କହିଛନ୍ତି।