ଶ୍ରୀମତୀ ଭୁବନେଶ୍ୱରୀ ଉଦ୍‌ଘାଟିତ

ଭୁବନେଶ୍ୱର: ଶାସ୍ତ୍ରୀୟ ନୃତ୍ୟ ଓ ଫ୍ୟାସନ୍‌ ସୋ’ର ଯୁଗଳବନ୍ଦୀ ଶ୍ରୀମତୀ ଭୁବନେଶ୍ୱରୀ-୨୦୧୮ ଉଦ୍‌ଘାଟିତ ହୋଇଛି। ମଙ୍ଗଳବାର ଜୟଦେବ ଭବନରେ ଅମ୍ବିକା ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ‘କାଦମ୍ବିନୀ’ର ସମ୍ପାଦିକା ଇତିରାଣୀ ସାମନ୍ତ ଉଦ୍‌ଘାଟନ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା ଏଥିରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତା କେବଳ ଭୁବନେଶ୍ୱର ସୌନ୍ଦର୍ଯ୍ୟ ଓ ଗୁଣବତ୍ତାର ପ୍ରତିଯୋଗିତା ନୁହେଁ, ବରଂ ଉତ୍କଳୀୟ ନୃତ୍ୟ-ସଙ୍ଗୀତର ଏକ ନିଆରା ନିଦର୍ଶନ ବୋଲି ଅନୁଷ୍ଠାନର ସମ୍ପାଦିକା କହିଛନ୍ତି। ଏହା କେବଳ ଭୁବନେଶ୍ୱରର ମହିଳାଙ୍କୁ ନେଇ ଆୟୋଜିତ ହୋଇଥିବା ବେଳେ ପରବର୍ତୀ ସମୟରେ ଏହା ସମଗ୍ର ଦେଶରେ ସଶକ୍ତ ମହିଳାଙ୍କର ସ୍ୱର ଓ ସ୍ୱାକ୍ଷର ହେବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟତମ ଅତିଥି ଭାବରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କବି ଶଙ୍କର୍ଷଣ ପରିଡ଼ା, ଶ୍ରୀମୟୀ ମିଶ୍ର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସଞ୍ଜୟ ଭଟ୍ଟ, ସନ୍ଧ୍ୟା ପଟ୍ଟନାୟକ, ସାନନ୍ଦ ମେହେର ଯୋଗ ଦେଇଥିଲେ। ବିଚାରକ ଭାବରେ ଫେସନ୍‌ ଫଟୋଗ୍ରାଫର ଦିଲୀପ ଧୀରସାମନ୍ତ, ସିନେ ନିର୍ଦ୍ଦେଶକ କେଶବ ମଲ୍ଲିକ, ଆଶିଷ ସହୀ, ସମାଜସେବୀ ସନ୍ଧ୍ୟା ପଟ୍ଟନାୟକ, ଗୁରୁ ଗଜେନ୍ଦ୍ର ପଣ୍ଡା, ସଙ୍ଗୀତା ପଣ୍ଡା ପ୍ରମୁଖ ରହିଥିଲେ। କ୍ରିଏଟିଭ୍‌ ଆଇ, ଭୁବନେଶ୍ୱର ଏକାମ୍ର ଇନର୍‌ ହୁଇଲ କ୍ଲବ୍‌ ପରିଚାଳନାରେ ସହଯୋଗ କରିଥିବା ବେଳେ ବୟନିକା ମୁଖ୍ୟ ପୃଷ୍ଠ ପୋଷକ ଥିଲା।

ସମ୍ବନ୍ଧିତ ଖବର