ଜାତୀୟ ପ୍ରତୀକ ଅପବ୍ୟବହାର, ନମ୍ବର ପ୍ଲେଟ୍‌ରେ ଅଶୋକ ସ୍ତମ୍ଭ

ଭୁବନେଶ୍ୱର: ଷ୍ଟେଟ୍‌ ଏମ୍ବଲେମ୍‌ ଅଫ ଇଣ୍ଡିଆ ବା ଜାତୀୟ ପ୍ରତୀକର ଅପବ୍ୟବହାର ନ ହେବାକୁ ସ୍ବତନ୍ତ୍ର ଆଇନ ରହିଛି। ମନଇଚ୍ଛା ବ୍ୟବହାର କଲେ ଏହି ଆଇନ ବଳରେ ଦଣ୍ଡିତ ହେବା ବ୍ୟବସ୍ଥା ରହିଛି। ତେବେ କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଖୋଲାଖୋଲି ଏହାର ଅପବ୍ୟବହାର ହେଉଛି। ଶତାଧିକ ବାଇକ୍‌ ଓ ଚାରି ଚକିଆ ଯାନ ନମ୍ବର ପ୍ଲେଟ୍‌ ତଥା ଗାଡ଼ିର ବିଭିନ୍ନ ଅଂଶରେ ଏହି ଜାତୀୟ ପ୍ରତୀକ ଲଗା ଯାଇଛି। କେଉଁଠି କେବଳ ଜାତୀୟ ପ୍ରତୀକ ବା ଅଶୋକ ସ୍ତମ୍ଭ ରହିଥିବା ବେଳେ କେଉଁଠି ଦୁଇଟି ଖଣ୍ଡା ମଝିରେ ଏହି ଅଶୋକ ସ୍ତମ୍ଭ ରହିଥିବା ଦେଖାଯାଉଛି। ପ୍ରତ୍ୟେକ ଦିନ ପୁଲିସ ବ୍ଲକିଂ, ଚେକିଂ କରୁଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହି ଆଇନ ବଳରେ ଜଣେ ହେଲେ ଦଣ୍ଡିତ ହୋଇ ନାହାନ୍ତି। ଅର୍ଥାତ୍‌ ଏହି ଆଇନକୁ ଅଧିକାରୀମାନେ ଗୁରୁତର ସହ ନେଉ ନାହାନ୍ତି। ଯିଏ ଯେମିତି ପାରୁଛି ଏହାର ଅପବ୍ୟବହାର କରୁଛି। ତେବେ କେବଳ ବାଇକ୍‌ ବା କାର୍‌ ନୁହେଁ, କେତେକ ଫାଇଦା ନେବା ପାଇଁ ନିଜର ଲେଟର ହେଡ୍‌ ଓ ଭିଜିଟିଙ୍ଗ୍‌ କାର୍ଡରେ ମଧ୍ୟ ଏହାର ଅପବ୍ୟବହାର କରୁଛନ୍ତି।

୨୦୧୮ ମସିହାରେ ଏହାର ଅପବ୍ୟବହାର ନେଇ ମେନକା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦର କେତେକ ସଦସ୍ୟ ତାଙ୍କ ଭିଜିଟିଙ୍ଗ୍‌ କାର୍ଡରେ ଏହି ପ୍ରତୀକ ବ୍ୟବହାର କରିଥିଲେ। ସେ ଲେଖିଥିଲେ ଯେ, ଭିଜିଟିଙ୍ଗ୍‌ କାର୍ଡ ଓ ଲେଟର ହେଡ୍‌ରେ ଏହାକୁ ବ୍ୟବହାର କରି ସେମାନେ ରାଜ୍ୟ ସରକାରଙ୍କୁ ପ୍ରଭାବିତ କରିବା ସହ ଲୋକଙ୍କ ଠାରୁ ଏହି ସରକାରୀ ଚିହ୍ନ ବଳରେ ନିଜର ବ୍ୟକ୍ତିଗତ ଫାଇଦା ଉଠାଉଛନ୍ତି। ଏଣୁ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହି ପ୍ରତୀକର ଅପବ୍ୟବହାର ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ନେଇଥିଲେ। ତା’ ସହିତ ସମସ୍ତ ରାଜ୍ୟକୁ ଏହାର ଅପବ୍ୟବହାର ରୋକିବା ପାଇଁ ଚିଠି ଲେଖିଥିଲେ। ଏହି ଚିଠିକୁ ଆଧାର କରି ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। କୌଣସି ପରିସ୍ଥିତିରେ ଏହି ପ୍ରତୀକର ଯେଭଳି ଅପବ୍ୟବହାର ନ ହୁଏ ସେ ନେଇ ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ମଧ୍ୟ ସମସ୍ତ ବିଭାଗକୁ ଏହି ସରକାରୀ ଚିଠିକୁ ସଂଲଗ୍ନ କରି ଅପବ୍ୟବହାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ। ହେଲେ ଏହାକୁ କେହି ମାନିନଥିଲେ। ଯାହାର ପ୍ରମାଣ ଦେଉଛି ଭୁବନେଶ୍ବରରେ ବୁଲୁଥିବା ଶତାଧିକ ବାଇକ୍‌। ଜାତୀୟ ପ୍ରତୀକ(ଅପବ୍ୟବହାର ନିବାରଣ)ଆଇନ-୨୦୦୫ ମୁତାବକ, କୌଣସି ବ୍ୟକ୍ତି ଏହି ପ୍ରତୀକକୁ ବ୍ୟବହାର କରିପାରିବେ ନାହିଁ। ଏହି ପ୍ରତୀକକୁ ‌କେହି ରଙ୍ଗିନ ବା ବିକୃତ କରି ମଧ୍ୟ ବ୍ୟବହାର କରିପାରିବେ ନାହିଁ। କୌଣସି ବ୍ୟବସାୟ, ବ୍ୟକ୍ତିଗତ, ବୃତ୍ତିଗତ, ଟ୍ରେଡ୍‌ମାର୍କ ଭାବରେ ମଧ୍ୟ ଏହା ବ୍ୟବହାର ହୋଇପାରିବ ନାହିଁ। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି ଜାତୀୟ ପ୍ରତୀକର ଅପବ୍ୟବହାର ବଢ଼ି ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର