ଭୁବନେଶ୍ୱର: ବୈଷ୍ଣବା ଗ୍ରୁପ୍ର ମୁଖ୍ୟ ଏଲିନା ଆଚାର୍ଯ୍ୟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରି ନାହିଁ। ଅଭିଯୁକ୍ତମାନେ ଦିନ ଆଲୁଅରେ ଖୁଲମଖୁଲ୍ଲା ବୁଲୁଥିଲେ ହେଁ ସେମାନଙ୍କୁ ଗିରଫ କରାଯାଉନାହିଁ ବୋଲି ଏଲିନା ଅଭିଯୋଗ କରିଛନ୍ତି। ପୁଲିସର ଏହି ଖାମଖିଆଲି ପାଇଁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି। ସୂଚନା ମୁତାବକ, ସହିଦ୍ ନଗରରେ ରହୁଥିବା ଏଲିନାଙ୍କର ଆର୍କେ ଏନ୍କ୍ଲେଭ୍ରେ ଏକ କାର୍ଯ୍ୟାଳୟ ରହିଛି। ଗତ ୧୬ତାରିଖ ଦିନ ସେ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ଦୁଇଜଣ ଯୁବକ ବିଭୂତି ଭୂଷଣ ଦାସ ଓ ମୁକେଶ ଅଗ୍ରୱାଲ ଅଟକାଇ ଦୁର୍ବ୍ୟବହାର କରିବା ସହ ତାଙ୍କ ଅଫିସ୍ରେ ଜୋରଜବରଦସ୍ତ ପଶି ଲାପଟପ୍, ୧ଲକ୍ଷ ୨୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଏ ସଂପର୍କରେ ପୁଲିସରେ ଅଭିଯୋଗ କଲେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ପରେ ଏନେଇ ଏଲିନା ସହିଦ୍ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ନମ୍ବର ୫୦୫/୧୮ରେ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ମାମଲା ରୁଜୁ କରି ପୁଲିସ କାମ ସାରି ଦେଇଛି ବୋଲି ଏଲିନା ଅଭିଯୋଗ କରିଛନ୍ତି। ଅଭିଯୋଗ କରିବାକୁ ୫ ଦିନ ବିତି ଯାଇଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିପାରିନାହିଁ। ତେବେ ଏ ସଂପର୍କରେ ଏସ୍ଆଇ ପି. ସେନାପତିଙ୍କୁ ଯୋଗଯୋଗ କରିବାରୁ ସେ କହିଥିଲେ ଯେ ଏହି ମାମଲା ଉପରେ ତଦନ୍ତ ଜାରି ରହିଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।