କ୍ୟାପିଟାଲ କ୍ରାଇମ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଭରତପୁର ଥାନା ପୁଲିସ ପୁରୀ ଡେଲାଙ୍ଗ ଅଞ୍ଚଳର ସତ୍ୟବ୍ରତ ବେହେରା(୨୩)କୁ ଗିରଫ କରିଛି। ପୁଲିସ ସୂଚନାନୁସା‌ରେ ଅଭିଯୁକ୍ତ ସତ୍ୟବ୍ରତ ପୂର୍ବରୁ ଅଭିଯୋଗକାରୀଙ୍କ ଘରେ ରଙ୍ଗମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲା। ଗତ ୮ତାରିଖ ଅପରାହ୍‌ଣରେ ନାବାଳିକା ଘରେ ଏକୁଟିଆ ଥିବା ଦେଖି ତାକୁ ଅସଦାଚରଣ କରିଥିଲା। ତେବେ ନାବାଲିକାର ପାଟି ଶୁଣି ପଡ଼ୋଶୀମାନେ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ କାବୁ କରି ପୁଲିସ୍ ଜିମା ଦେଇଥିଲେ।

ସାନଭାଇ ଠେଙ୍ଗା ମାଡ଼ରେ ବଡ଼ ଗୁରୁତର

ଧଉଳି: ଧଉଳି ଥାନା ଅଧୀନ ନୂଆଗାଁ ଦିବ୍ୟଶକ୍ତି ନଗରରେ ରହୁଥିବା ଗୋଟିଏ ପରିବାରରେ ଜମିଜମା ଭାଗବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଏଥିରେ ଦୁଇ ସାନଭାଇଙ୍କ ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବଡ଼ଭାଇ ହେଲେ ଅଶୋକ ବରାଳଙ୍କ ବଡ଼ ପୁଅ ତପନ (୫୪)। ତପନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ପୁଲିସ ପହଞ୍ଚି ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ତପନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

୩ ଚୋରା ବାଇକ୍ ଜବତ, ଦୁଇ ଗିରଫ

ଭୁବନେଶ୍ବର: ‌ଚେକିଂ ବେଳେ ପୁଲିସକୁ ଚକ୍‌ମା ଦେଇ ଖସିଯିବାକୁ ବସିଥିବା ଜଣେ ବ‌ାଇକ୍‌ ଚୋରକୁ ଖଣ୍ଡଗିରି ଥାନା ପୁଲିସ୍‌ ଗିରଫ କରିଛି। ତା’ ତଥ୍ୟ ଆଧାରରେ ପୁଲିସ୍ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ମୋଟ ୨ଟି ଚୋରା ବାଇକ୍‌ ଜବତ କରିଛି। ଅଭିଯୁକ୍ତଦ୍ବୟ ହେଲେ, କଟକ ଦରଘା ବଜାରର ଏମ୍‌ଡି ସାହିଲ୍(୩୮) ଓ ଭରତପୁର ହରପାର୍ବତୀ ସାହିର ରାକେଶ ନାୟକ(୨୬)।

ପୁଲିସ୍‌ ସୂଚନାନୁସାରେ, ଗତ ୧୮ ତାରିଖ ସନ୍ଧ୍ୟାରେ ଖଣ୍ଡଗିରି ଥାନାର ଏକ ସ୍ପେସାଲ ଟିମ ଏମ୍‌ସ ଅଣ୍ଡରପାସ ନିକଟରେ ଗାଡ଼ି ଚେକିଂ କରୁଥିବା ବେଳେ ଏମ୍‌.ଡି ସାହିଲ ଏକ ପଲସର୍‌ରେ ଆସି ଦ୍ରୁତ ଗତିରେ ଏମ୍ସ ଆଡ଼କୁ ପଳାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ସେଠାରେ ଥିବା ପୁଲିସ୍‌ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ। ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ସାହିଲର ଏମ୍‌ସ ରାସ୍ତାରେ ଏକ ଗ୍ୟାରେଜ ଅଛି ଏବଂ ରାକେଶ ତାକୁ ଏକ ଚୋରା ବାଇକ୍‌ ବିକ୍ରି କରିବା ପାଇଁ ଦେଇଥିଲା। ତା’ ତଥ୍ୟ ଆଧାରରେ ପୁଲିସ୍ ହରପାର୍ବତୀ ସାହିରେ ଚଢ଼ଉ କରି ରାକେଶକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର