ବାଣୀବିହାରରେ ମହିଳା ପ୍ରଫେସରଙ୍କୁ ନିର୍ଯା‌ତନା ପ୍ରସଙ୍ଗ, ଚାପି ଦେବାକୁ ଚାଲ୍‌

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିର୍ଯାତନା ଘଟଣାକୁ ଚାପିବାକୁ ଚାଲିଛି ଉଦ୍ୟମ। ୭ ଦିନ ହେଲା ପ୍ରଫେସର ଜଣକ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେଣି। ୯ ଦିନ ହେଲା କ୍ୟାମ୍ପସରେ ନିର୍ଯାତନାର ଶିକାର ହେଲେଣି। ତଥାପି କର୍ତୃପକ୍ଷ ହାତ ବାନ୍ଧି ଚୁପ୍‌ ବସିଛନ୍ତି। ନିର୍ଯାତନା ଦେଇଥିବା ବ୍ୟକ୍ତି ଜଣକ ଜଣେ ଓଏଏସ୍‌ ଅଧିକାରୀ ହୋଇଥିବାରୁ ଘଟଣାକୁ ଯେକୌଣସି ଭାବେ ସମାଧାନ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି କର୍ତୃପକ୍ଷ। ଆଗକୁ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବଲି ଉତ୍ସବ ପାଳନ ହେବାକୁ ଥିବାରୁ ୪ ଜଣ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ଘଟଣା ଯେମିତି ନ ବଢ଼ିବ ସେଥିପାଇଁ ଲାଗିପଡ଼ିଛନ୍ତି। ହେଲେ କିଏ ଏହାର ନେତୃତ୍ବ ନେଇ ମହିଳା ପ୍ରଫେସର ଜଣଙ୍କୁ ବୁଝାଇବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନି।

ପ୍ରଫେସର ଜଣକ ୧୬ ତାରିଖରେ ଅଭିଯୋଗ କରିବା ପରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। କୁଳପତି, କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ଆଲୋଚନା ହୋଇପାରି ନଥିଲା। ଏବେ ସମସ୍ତ ବରିଷ୍ଠ ଅଧିକାରୀ କ୍ୟାମ୍ପସ୍‌ରେ ଥିଲେ ମଧ୍ୟ ୪ ଦିନ ହେଲା କର୍ତୃପକ୍ଷ ଚୁପ୍‌ ବସିଛନ୍ତି। ଏହାକୁ ନେଇ ପ୍ରଫେସରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କୁଳସଚିବଙ୍କ କାର୍ଯ୍ୟାଳୟରେ କ୍ୟାମ୍ପସ ବାହାରର ଜଣେ ଓଏଏସ୍‌ ଅଧିକାରୀ କିଭଳି ଓ କେଉଁ ପରିସ୍ଥିତିରେ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଦେଲେ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ଓଏଏସ୍‌ ଅଧିକାରୀ ଜଣକ ନିର୍ଯାତନା ଦେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ପ୍ରଫେସର ଓ ବରିଷ୍ଠ ଅଧିକାରୀ କାହିଁକି ଚୁପ୍‌ ରହିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ପ୍ରଫେସରଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଫେସରମାନେ ଦାବି କରିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିର୍ଯାତନା ଘଟଣା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଶ୍ବବିଦ୍ୟାଳୟର ପ୍ରମୁଖ ପଦରେ ଥିବା ୪ ଜଣ ବରିଷ୍ଠ ଅଧିକାରୀ ଏକାଠି ହୋଇ ଘଟଣା ବିଷୟରେ ଆଲୋ‌ଚନା କରିଥିଲେ। ନିର୍ଯାତନା ସମୟରେ କ୍ୟାମ୍ପସରେ ନଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ମହିଳା ପ୍ରଫେସରଙ୍କୁ ବୁଝାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ପ୍ରସ୍ତାବକୁ ରୋକଠୋକ୍‌ ମନା କରିଦେଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ସେହି ସମୟରେ ଭାରପ୍ରାପ୍ତ ଦାୟିତ୍ବରେ ଥିବା ଜଣେ ପ୍ରଫେସରଙ୍କୁ ଏବେ ଦାୟିତ୍ବ ଦିଆଯାଇଛି। ମହିଳା ପ୍ରଫେସରଙ୍କୁ ବୁଝାଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କୁହାଯାଇଛି।

ସୂଚନା‌ଯୋଗ୍ୟ ଯେ ମହିଳା ପ୍ରଫେସର ଜଣକ ଅଭିଯୋଗ କରିଥିଲେ ଯେ ଗତ ୧୪ ତାରିଖ ଅପରାହ୍ଣ ୧ଟା ୪୫ରେ କୁଳସଚିବଙ୍କ କାର୍ଯ୍ୟାଳୟରେ ବାହାରର ଜଣେ ଓଏଏସ୍‌ ଅଧିକାରୀ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଧମକ ଦେବା ସହ ବିଶ୍ବବିଦ୍ୟାଳୟକୁ ବଦନାମ କରିଦେବେ କହିଥିଲେ। ଯେଉଁଥିପାଇଁ ମହିଳା ପ୍ରଫେସର ଜଣକ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପଦ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର