ଭୁବନେଶ୍ବର: ଜଣେ ଘରୋଇ ଡାକ୍ତର ପିଇବାକୁ ପାଣି ମାଗିବା ବାହାନାରେ କିଚେନ୍ ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଏବଂ ପରିବାର ଲୋକଙ୍କ ହାତରେ ଛେଚା ଖାଇ ଥାନାରେ ଅଟକ ଅଛନ୍ତି। ଆଜି ଅପରାହ୍ଣରେ ଘଟିଥିବା ଏହି ଅଭାବନୀୟ କାଣ୍ଡଟି ସହିଦନଗର ଥାନା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି ମନେକରୁଥିବା ପରିବାର ଲୋକେ ଆଜି ତାଙ୍କର ଅମାନୁଷିକ କାଣ୍ଡରେ ବ୍ୟଥିତ ହୋଇପଡ଼ିଛନ୍ତି ଏବଂ ଡାକ୍ତରବେଶରେ ଥିବା ଏଭଳି ଅମଣିଷ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ପରିବାର ଲୋକେ ଦାବିକରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି।
ପାରିବାରିକ ସମ୍ପର୍କ ଥିବାରୁ ଅଭିଯୁକ୍ତ ଡାକ୍ତର ଯୁବତୀଙ୍କ ଘରକୁ ଯିବାଆସିବା କରୁଥିଲେ। ଏହାଛଡ଼ା କିଛି ଦିନ ହେଲା ଯୁବତୀଙ୍କ ମାଆ ଅସୁସ୍ଥ ଥିବାରୁ ଅଭିଯୁକ୍ତ ଡାକ୍ତର ତାଙ୍କୁ ଚିକିତ୍ସା ପରାମର୍ଶ ଦେବାକୁ ଆସନ୍ତି। ମାତ୍ର ତାଙ୍କର ଭିତିରି ତଥା ଅସଲ ଉଦ୍ଦେଶ୍ୟ ଥିଲା ଭିନ୍ନ। ଡାକ୍ତରଙ୍କ ଲୋଲୁପ ନଜର ପଡ଼ିଥିଲା ଯୁବତୀଙ୍କ ଉପରେ। କୌଣସିମତେ ଯୁବତୀଙ୍କୁ ପ୍ରେମରେ ଫସାଇବାକୁ ସେ ସୁଯୋଗ ଉଣ୍ଡୁଥିଲେ। ଏବେ ଯୁବତୀଙ୍କ ମାଆ ରାଜ୍ୟ ବାହାରକୁ ଯାଇଛନ୍ତି। ଏକଥା ଜାଣି ମଧ୍ୟ ଆଜି ଅପରାହ୍ଣରେ ଅଭିଯୁକ୍ତ ଡାକ୍ତର ତାଙ୍କ ଘରକୁ ଆସିଥିଲେ। କଲିଂ ବେଲ୍ ଶୁଣି ଯୁବତୀଜଣକ ବାହାରକୁ ଆସି ଡାକ୍ତରଙ୍କୁ ଦେଖିଥିଲେ ଏବଂ ମାଆ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି କହିଥିଲେ। କଥାବାର୍ତ୍ତା ଛଳରେ ଯୁବତୀ ତାଙ୍କୁ ଏଡ଼ାଇବାକୁ ଚାହୁଥିଲେ। କିନ୍ତୁ ମନ୍ଦ ଉଦ୍ଦେଶ୍ୟ ସାଧନ କରିବା ମଉକାକୁ ଡାକ୍ତର ଛାଡ଼ିନଥିଲେ। ସେ ଶୋଷହେବାର ବାହାନା କରି ଯୁବତୀଙ୍କୁ ପାଣି ମାଗିଥିଲେ। ଯୁବତୀଜଣକ ପାଣି ପାଇଁ କିଚେନ୍କୁ ଯାଉଥିବା ବେଳେ ଡାକ୍ତର ମଧ୍ୟ ତାଙ୍କ ପଛେପଛେ ଚାଲିଥିଲେ। ଡାକ୍ତରଙ୍କ ଅସ୍ବାଭାବିକ ଆଚରଣରେ ଯୁବତୀ ବିଚଳିତ ହୋଇପଡ଼ିଥିଲେ ହେଁ କିଛି କହିପାରୁନଥିଲେ। ସେ କିଚେନ୍ ଭିତରକୁ ପଶିବା ମାତ୍ରେ ଡାକ୍ତର ତାଙ୍କୁ ପଛରୁ କୁଣ୍ଢାଇ ପକାଇଥିଲେ। ଏଭଳି କିଛି ଅଘଟଣର ଗନ୍ଧ ବାରିପାରିଥିବା ଯୁବତୀଜଣକ ତୁରନ୍ତ ଛାଟିପିଟି ହୋଇ ଡାକ୍ତରଙ୍କ କବଳରୁ ମୁକୁଳିଯିବା ସହ ଜୋର୍ରେ ଚିତ୍କାର କରିଥିଲେ। ଭୟରେ ଡାକ୍ତର ସେଠାରୁ ପଳାଇଥିଲେ। ଯୁବତୀଙ୍କ ଫୋନ୍ ପାଇ ତାଙ୍କ ଭାଇ ଘରେ ପହଞ୍ଚିଯାଇଥିଲେ ଏବଂ ସବୁ ଶୁଣିବା ପରେ ଡାକ୍ତରଙ୍କୁ ପିଛା କରିଥିଲେ। କିଛି ସମୟ ପରେ ଯୁବତୀଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଧରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।
ପିଇବା ପାଣି ମାଗି ଯୁବତୀଙ୍କୁ ଅସଦାଚରଣ
ଜଣେ ଘରୋଇ ଡାକ୍ତର ପିଇବାକୁ ପାଣି ମାଗିବା ବାହାନାରେ କିଚେନ୍ ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଏବଂ ପରିବାର ଲୋକଙ୍କ ହାତରେ ଛେଚା ଖାଇ ଥାନାରେ ଅଟକ ଅଛନ୍ତି। ଆଜି ଅପରାହ୍ଣରେ ଘଟିଥିବା ଏହି ଅଭାବନୀୟ କାଣ୍ଡଟି ସହିଦନଗର...
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)