ଭୁବନେଶ୍ୱର: ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ ନୂଆପଲ୍ଲୀ ଭୋଇସାହିସ୍ଥିତ ଏକ ଲେଡିଜ୍ ହଷ୍ଟେଲ୍ରେ ୫ ଜଣ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ଅନ୍ତେବାସୀମାନଙ୍କ ଭିତରେ ଆତଙ୍କ ଖେଳାଇଦେଇଛି। ସେମାନେ ଗାଳିମନ୍ଦ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାପଡ଼ିଛି।
ଆଜି ରାତିରେ ଉକ୍ତ ହଷ୍ଟେଲ୍ ଫାଟକ ନିକଟରେ କିଛି ଅନ୍ତେବାସୀ ଓ ମହିଳା ୱାର୍ଡେନ୍ ଆସିବାକୁ ଥିବା କିଛି ଅନ୍ତେବାସୀଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଦୁଇଟି ବାଇକ୍ରେ ଯାଉଥିବା ୫ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ୱାର୍ଡେନ୍ ପ୍ରତିବାଦ କରିବାରୁ ସେମାନେ ବାଇକ୍ ଅଟକାଇ ଗାଳିମନ୍ଦ କରିଥିଲେ। ଭୟରେ ଅନ୍ତେବାସୀ ଓ ମହିଳା ୱାର୍ଡେନ୍ ହଷ୍ଟେଲ ଭିତରକୁ ପଶି ଯାଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ପଛେପଛେ ଭିତରକୁ ଧସେଇ ପଶିଥିଲେ। ଯୁବତୀମାନଙ୍କ ରୁମ୍ ଭିତରେ ପଶି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଠେଲାପେଲା କରିଥିଲେ। ଏମିତିକି ସେମାନେ ବହୁ ଆସବାବପତ୍ର, ଟିଭି, ଆକ୍ୱାରିୟମ୍ ଭାଙ୍ଗି ଦେଇଥିଲେ। ତେବେ ଖବର ପାଇ ପିସିଆର୍ ସେଠାରେ ପହଞ୍ଚିବା ବେଳେକୁ ସେମାନେ ଫେରାର୍ ହୋଇଯାଇଥିଲେ। ତେବେ ପୁଲିସ ସିସିଟିଭି ଫୁଟେଜ୍ରୁ ୩ ଜରଙ୍କୁ ଚିହ୍ନଟ କରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।