ଥାନାରେ ପୁଲିସକୁ ଆକ୍ରମଣ କରି ବନ୍ଧା ହେଲେ ଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ବର : ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି। କଥାଟା ଶୁଣିବାକୁ ବିସ୍ମୟକର ମନେ ହେଉଥିଲେ ବି ସତ। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନ୍ୟାୟ ପାଇଁ ୭ ମାସ କାଳ ବାରମ୍ବାର ଥାନାକୁ ଦୌଡ଼ି ହତାଶ ହେବା ପରେ ପୀଡ଼ିତା ପୁଲିସକୁ ଆକ୍ରମଣ କରିଥିବାରୁ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଘଟଣାଟି ଏମିତି। ଧଉଳି ଥାନାରେ କାର୍ଯ୍ୟରତ ଜଣେ ହାବିଲ୍‌ଦାରଙ୍କ ସ୍ତ୍ରୀ ହେଉଛନ୍ତି ପୀଡ଼ିତା ତଥା ଆଜି ଘଟଣାର ଅଭିଯୁକ୍ତା। ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଏନେଇ ସେ ସ୍ବାମୀଙ୍କୁ ଜଣାଇବା ପରେ କଥାକୁ ଚାପି ଦେବାକୁ ସେ କହିଥିଲେ। କିନ୍ତୁ ମହିଳା ରାଜି ହୋଇନଥିଲେ। ତେଣୁ ଭାଇକୁ ବଞ୍ଚାଇବାକୁ ଯାଇ ହାବିଲଦାର ସୁଚିନ୍ତିତ ଯୋଜନା କରିଥିଲେ। ମହିଳାଙ୍କୁ ହୋଟେଲ୍‌କୁ ନେଇ ତାଙ୍କର ଅଶ୍ଳୀଳ ଫଟୋ ଉଠାଇଥିଲେ। ଚୁପ୍‌ ନରହିଲେ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ। ସ୍ବାମୀ ଓ ଦିଅରଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ମହିଳାଜଣଙ୍କ ଶେଷରେ ଜାନୁଆରି ୧୯ ତାରିଖରେ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ୭ମାସ ବିତିଯାଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ହାବିଲଦାର ସ୍ବାମୀଙ୍କୁ ସମର୍ଥନ କରି ମହିଳା ଥାନା ପୁଲିସ ଚୁପ୍ ରହିଲା ବୋଲି ମହିଳା ଅଭିଯୋଗ କରିଆସୁଥିଲେ।

ଶୁକ୍ରବାର ଦିନ ସେ ମହିଳା ଥାନାକୁ ଆସି ପାଟିତୁଣ୍ଡ କରିଥିଲେ। ପୁଲିସ ସହ କଥା କଟାକଟି ହେବା ପରେ ମହିଳାଜଣଙ୍କ ରାଗିଯାଇ ତଦନ୍ତ ଅଧିକାରୀଙ୍କ ତଣ୍ଟି ଚିପି ଦେବା ସହ ତାଙ୍କୁ ଟଣାଓଟରା କରିଥିଲେ। ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଗରେ ଜଳୁଥିବା ମହିଳା ସେମାନଙ୍କୁ ବି ଆକ୍ରମଣ କରିଥିଲେ। ଏମିତିକି ଥାନା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏନେଇ ଏସ୍‌ଆଇ ରଶ୍ମିରେଖା ବେହେରା କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ସନ୍ତୋଷିନୀ ବେହେରା କହିଛନ୍ତି ଯେ ମହିଳାଙ୍କ ହାବିଲଦାର ସ୍ବାମୀଙ୍କୁ ନିଲମ୍ବନ କରାଯାଇଛି। ହେଲେ ଦିଅର ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ କିଛି କହିନଥିଲେ। ସୂଚନାଯୋଗ୍ୟ ଯେ ହାବିଲଦାର ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ।

ସମ୍ବନ୍ଧିତ ଖବର