ଚନ୍ଦ୍ରଶେଖରପୁର : ମହିଳା କର୍ମଚାରୀଙ୍କୁ ଅସଦାଚରଣ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ପୁରୁଷ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୀଡ଼ିତା ଓ ତାଙ୍କର କିଛି ସହଯୋଗୀ ହସ୍ପିଟାଲ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଉତ୍ତେଜନା ବଢ଼ିବାରୁ ସ୍ଥାନୀୟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୁକ୍ତ ପୁରୁଷ କର୍ମଚାରୀଙ୍କୁ ବହିଷ୍କାର କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ବିକ୍ଷୋଭକାରୀମାନେ ଧାରଣାରୁ ଓହରିଥିଲେ।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଜଣଙ୍କ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ରୁମ୍ ଭିତରେ ବନ୍ଦ କରି ଅସଦାଚରଣ କରିଥିଲା। ଏ ସଂପର୍କରେ ମହିଳାଜଣଙ୍କ ସୁପରଭାଇଜର୍ଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମହିଳାଜଣଙ୍କ ଧାରଣା ଦେଇଥିଲେ। ପରେ ତାଙ୍କ ସମର୍ଥନରେ ଅନ୍ୟ କର୍ମଚାରୀମାନେ ଧାରଣାରେ ବସିଥିଲେ। ଏ ସଂପର୍କରେ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ହସ୍ପିଟାଲ୍ରେ କୌଣସି ପ୍ରକାର ନିର୍ଯାତନା ଅଭିଯୋଗକୁ ବରଦାସ୍ତ କରାଯିବ ନାହିଁ। ଆଜି ମହିଳାଜଣଙ୍କ ଅଭିଯୋଗ କରିବା ପରେ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଏପରି ଘଟଣାର ଯେମିତି ପୁନରାବୃତ୍ତି ନ ଘଟିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି।