ଭୁବନେଶ୍ବର: ବିଜେବି କଲେଜର ପଛଗେଟ୍ ତଥା ଆମ୍ବେଦକର ଛାତ୍ରାବାସ ନିକଟ ଗେଟ୍ର କାନ୍ଥ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏନେଇ କଲେଜ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ସୁଚନା ଅନୁସାରେ ପୂର୍ବରୁ ବାରମ୍ବାର କଲେଜ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଓ ଗଣ୍ଡଗୋଳ କାରଣରୁ ବିଜେବି କଲେଜ ପକ୍ଷରୁ ପଛଗେଟ୍କୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। କେବଳ ଛୋଟଗେଟ୍ ବାଟେ ଛାତ୍ରଛାତ୍ରୀମାନେ ପ୍ରବେଶ କରୁଥିଲେ। ମୁଖ୍ୟ ଗେଟ୍ ବାଟେ ଗାଡ଼ି ନେଇ କ୍ୟାମ୍ପସ୍ ଭିତରକୁ ପ୍ରବେଶ କରିହେଉଥିଲା। ସନ୍ଧ୍ୟା ସମୟରେ ମୁଖ୍ୟଗେଟ୍କୁ ବନ୍ଦ କରି ଦିଆଯାଉଥିଲା। କଲେଜ କର୍ତ୍ତୃପକ୍ଷଙ୍କ ବ୍ୟତୀତ ଅନ୍ୟ ଗାଡ଼ି ଛଡ଼ା ଯାଉ ନଥିଲା। କଲେଜର ମହିଳା କର୍ମଚାରୀ ସହିତ କଲେଜର ଛାତ୍ରୀମାନେ ସେହି ବାଟରେ ଯିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅସଦାଚରଣ କରୁଥିବା କଲେଜ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ବାଟରେ ହଷ୍ଟେଲ ଛାତ୍ର ରାତିଅଧରେ ବାହାରକୁ ଯିବା ସହିତ ଅଣଛାତ୍ରମାନେ ପ୍ରବେଶ କରୁଥିବା ଜଣାପଡ଼ିଥିଲା। ଏହା ପରେ ଏହି ବାଟକୁ ସିଲ୍ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ନିଷ୍ପତ୍ତିର କିଛି ଦିନ ପରେ କିଛି ଦୁର୍ବୃତ୍ତ ପଛଗେଟ୍ କାନ୍ଥ ଭାଙ୍ଗି ଦେଇଛନ୍ତି। ଏନେଇ କଲେଜ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଏବେ ଗେଟ ଭାଙ୍ଗି ଯିବା ପରେ ଅଣଛାତ୍ରଙ୍କ ହଷ୍ଟେଲ ତଥା କଲେଜ ମଧ୍ୟକୁ ବିନା ଦ୍ବିଧାରେ ପ୍ରବେଶ କରୁଛନ୍ତି। କେହି ଅଟକାଉ ମଧ୍ୟ ନାହାନ୍ତି। ପୂର୍ବ ଗଣ୍ଡୋଗୋଳ ପରେ ପୁଲିସ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିଲା। କିନ୍ତୁ ଏବେ ପୁଲିସ ପାଟ୍ରୋଲିଂ ପ୍ରାୟତଃ ହେଉନାହିଁ। ଯାହା ଫଳରେ କଲେଜ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଓ ନିଶାକାରବାର ବୃଦ୍ଧି ପାଉଛି।
ଛାତ୍ରୀ ଅସଦାଚରଣ ମାମଲାରେ ଅଣଛାତ୍ର ଗିରଫ
ଭୁବନେଶ୍ବର: ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ଘଟଣା ଓ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ବଡ଼ଗଡ଼ ଥାନା ପୁଲିସ ଆଜି ଜିତ୍ ପାଣିଗ୍ରାହୀ ନାମକ ଜଣେ ଅଣଛାତ୍ରଙ୍କୁ ଗିରଫ କରିଛି। ଅଭିଯୋଗଅନୁସାରେ, ଜିତ କ୍ୟାମ୍ପସ୍ରେ ପଶି ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେବା ସହ କ୍ୟାମ୍ପସ୍କୁ ଅଶାନ୍ତ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ଏହାସହିତ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁସାରେ ଗତ ୨୦ ତାରିଖ ଦିନ ଦୁଇ ଗୋଷ୍ଠୀ ପରସ୍ପର ଭିଡିଓ ରେକର୍ଡିଂ କରିବାକୁ ନେଇ ବିଜେବି କଲେଜର ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ରାସ୍ତାରୋକ ମଧ୍ୟ କରାଯାଇଥିଲା। ପରେ ପୁଲିସର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା।
କଲେଜ ନିର୍ବାଚନକୁ ଆଖିଆଗରେ ରଖି ଛାତ୍ରଗୋଷ୍ଠୀ କଲେଜ ମଧ୍ୟରେ ପତିଆରା ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି। ଏଥି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କାର୍ଯ୍ୟକ୍ରମରେ ବହୁ ଅଣଛାତ୍ର ଯୋଗଦେଇ କଲେଜ ପରିସର ଅଶାନ୍ତ କରୁଛନ୍ତି। ବିଶେଷ କରି ବିଜେବି କଲେଜ ପରିସରରେ ନିକଟରେ ଭଲିଖେଳକୁ ନେଇ ରାତିଅଧରେ ଦୁଇ ହଷ୍ଟେଲ୍ ମଧ୍ୟରେ ଗଣ୍ଡଗୋଳ ସହ ଅଣଛାତ୍ରଙ୍କ ବିଶୃଙ୍ଖଳା ବୃଦ୍ଧି ପାଇଛି। ବଡ଼ଗଡ଼ ଥାନା ପୁଲିସ ପାଇଁ ମଧ୍ୟ ବିଜେବି କଲେଜ ମୁଣ୍ଡବିନ୍ଧାର କାରଣ ହୋଇଛି। ବାରମ୍ବାର ଛାତ୍ର ଅଶାନ୍ତି ହେବା ଫଳରେ କଲେଜ ବଦନାମ ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଏନେଇ କଲେଜ ଅଧ୍ୟକ୍ଷା ଡ. ଝୁମ୍କି ରଥ କହିଛନ୍ତି ଯେ ବର୍ତ୍ତମାନ କଲେଜ ପରିସରରେ ଦୁଇ ଛାତ୍ରଗୋଷ୍ଠୀ ଓ ଦୁଇ ହଷ୍ଟେଲ ମଧ୍ୟରେ ବିଭିନ୍ନ କାରଣରୁ ଅଶାନ୍ତି ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓ କଲେଜ ପରିସରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ପାଇଁ ବିଭିନ୍ନ କଠୋର ନିଷ୍ପତ୍ତି ହାତକୁ ନିଆଯାଇଛି। କଲେଜ ପରିସରରେ ସୁରକ୍ଷା ବୃଦ୍ଧି କରାଯାଇଛି। ପ୍ରବେଶପଥରେ ବାହାର ଲୋକଙ୍କୁ ବିନା କାରଣରେ ପ୍ରବେଶ କରାଯାଉ ନାହିଁ। ଯଦି କୌଣସି କାରଣରେ କଲେଜ ପରିସରକୁ ଆସୁଛନ୍ତି ତେବେ ପ୍ରବେଶପଥରେ କାରଣ ଲେଖାଯାଉଛି। ଅଣଛାତ୍ରଙ୍କୁ ରୋକିବା ପାଇଁ ପ୍ରବେଶ ପଥରେ ୟୁନିଫର୍ମ, ଆଇଡି କାର୍ଡ, ହଷ୍ଟେଲ ଆଇଡି କାର୍ଡ କଡ଼ାକଡ଼ିଭାବେ ଯାଞ୍ଚ କରାଯାଉଛି। କଲେଜ ପରିସରରେ ସିସିଟିଭି ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କଲେଜ ପଛଗେଟ୍କୁ ସିଲ କରି ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କାଉନସେଲିଂ କରାଯାଉଛି। କାନ୍ଥଭଙ୍ଗା ଘଟଣା ବଡ଼ଗଡ଼ ଥାନାରେ ଅଭିଯୋଗ କରାଯାଇଛି ବୋଲି ଡ. ରଥ କହିଛନ୍ତି।