ଯୁବତୀଙ୍କୁ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ ମାମଲା: ପାଣ୍ଡରାରୁ ଧରାପଡ଼ିଲା ଯୁବକ

ଦୁର୍ଘଟଣା ପରେ ଘଟାଇଥିଲା ଜଘନ୍ୟକାଣ୍ଡ, ରକ୍ତାକ୍ତ ଆକ୍ରମଣ ବି କରିଥିଲା

ଭୁବନେଶ୍ବର: ରସୁଲଗଡ଼ ଛକରେ ଯୁବତୀଙ୍କୁ ବାଇକ୍‌ରେ ଧକ୍କା କରିବା ପରେ ରକ୍ତାକ୍ତ ଆକ୍ରମଣ ସହ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ରସୁଲଗଡ଼ ଅଞ୍ଚଳର ବାପୁନି ଛୋଟରାୟ(୩୧) ଓରଫ ପ୍ରକାଶ। ତାର ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ପୁଲିସ ସୂଚନା ଅନୁସାରେ, ଏଭଳି ସାଂଘାତିକ କାଣ୍ଡ ଘଟାଇବା ପରେ ସେ ପାଣ୍ଡରା ଅଞ୍ଚଳରେ ଆତ୍ମଗୋପନ କରିଥିଲଶ। ପୁଲିସ ତନାଘନା କରିବା ପରେ ତାକୁ ପାଣ୍ଡରାରୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଯୁବତୀମାନେ ମଞ୍ଚେଶ୍ବରର ଏକ ଷ୍ଟିଚିଂ ୟୁନିଟ୍‌ରୁ କାମ ସାରି ହଷ୍ଟେଲକୁ ଫେରୁଥିଲେ। ରସୁଲଗଡ଼ ଛକ ନିକଟରେ ଆସୁଥିବା ବେଳେ ବାପୁନି ବାଇକରେ ଆସି ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ତଳେ ପଡ଼ିଯିବା ସହ ଏହାର ପ୍ରତିବାଦ କରିଥିଲେ। ବାପୁନି ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ ବିଚ୍ ରାସ୍ତାରେ ଅସଦାଚରଣ କରିଥିଲା। ଶତାଧିକ ଯୁବତୀ ଓ ଲୋକଙ୍କ ଆଗରେ ଏହି ଘଟଣା ଆତଙ୍କ ଖେଳାଇ ଦେଇଥିଲା। ଏପରିକି ଯୁବତୀଜଣଙ୍କ ନିକଟରେ ଥିବା ଏକ ମନ୍ଦିର ଭିତରକୁ ଚାଲି ଯାଇଥିଲେ। ବାପୁନି ସେଠାରେ ମଧ୍ୟ ପଶି ଆକ୍ରମଣ କରିବା ସହ ଅସଦାଚରଣ କରିଥିଲା। ସମସ୍ତ ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇ ରହିଛି। ଏ ନେଇ ଅଭିଯୋଗ ହେବା ପରେ ମଞ୍ଚେଶ୍ବର ଥାନା ପୁଲିସ କେସ୍ ନଂ-୩୫୧/୨୧ ଓ ଆଇପିସି ଦଫା-୩୪୧,୩୫୪,୩୫୪(ଏ), ୩୫୪(ବି),୩୨୩,୩୦୭ରେ ମାମଲା ରୁଜୁ କରିଥିଲା। ଏହା ପ୍ରଥମଥର ନୁହେଁ ବାପୁନି ପୂର୍ବରୁ ଅନେକଥର ଏପରି ଘଟାଇଥିବା ପୁଲିସ କହିଛି। ଏକାଧିକ ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ ମଧ୍ୟ କରିଛି। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ତା’ ବିରୋଧରେ ଅଭିଯୋଗ କରିବାକୁ କେହି ସାହସ ଜୁଟାଇ ପାରନ୍ତି ନାହିଁ। କିନ୍ତୁ ଏଥର ସର୍ବସମ୍ମୁଖରେ ଘଟଣା ଘଟାଇଥିବାରୁ ଯୁବତୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର