ନିଖୋଜ କଟକ ଛାତ୍ରୀ ଫ୍ରାଙ୍କଫର୍ଟରେ, ଜର୍ମାନ ଦୂତାବାସଙ୍କୁ କମିସନରେଟ୍ ପୁଲିସର ଚିଠି

ସ୍ପେନ୍‌ରେ ନିଖୋଜ ହୋଇଥିଲେ

କଟକ: ସ୍ପେନରେ ନିଖୋଜ ହୋଇଥିବା କଟକ ପୁରୀଘାଟର ଛାତ୍ରୀଙ୍କୁ ଠାବ କରାଯାଇଛି ଜର୍ମାନର ଫ୍ରାଙ୍କଫର୍ଟ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ। ଛାତ୍ରୀଜଣକ ସେଠାରେ ବୁଲୁଥିବା ତାଙ୍କର ଜଣେ ବନ୍ଧୁ ଦେଖିବାକୁ ପାଇଛନ୍ତି। ସମ୍ପୃକ୍ତ ବନ୍ଧୁ ଏ ସଂକ୍ରାନ୍ତରେ ନିଖୋଜ ଛାତ୍ରୀଙ୍କ ପରିବାରଲୋକଙ୍କୁ ସୂଚନା ଦେବା ପରେ ପରିବାରଲୋକେ ପୁରୀଘାଟ ଥାନା ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଡିସିପି ଓ କମିସନରେଟ୍‌ ମୁଖ୍ୟାଳୟ ମାଧ୍ୟମରେ ଏବେ ନୂଆଦିଲ୍ଲୀସ୍ଥିତ ଜର୍ମାନ ଦୂତାବାସଙ୍କୁ ଯୋଗାଯୋଗ କରାଯାଇଛି।

ସୂଚନା ଅନୁଯାୟୀ, କଟକ ପୁରୀଘାଟ ଥାନା ଅଞ୍ଚଳର ଜଣେ ଛାତ୍ର ଗଲା କିଛି ବର୍ଷ ହେବ ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ରେ ପିଏଚ୍‌ଡି କରୁଥିଲେ। ଚଳିତ ବର୍ଷ ଫ୍ରେବ୍ରୁଆରିରେ ସ୍ପେନ୍‌ରେ କରୋନା କାୟାବିସ୍ତାର କରିବା ସମୟରେ ଛାତ୍ରୀଜଣଙ୍କର ପତ୍ତା ମିଳି ନଥିଲା। କିଛି ଦିନ ଧରି ପରିବାରଲୋକ ଝିଅ ସହ ଯୋଗାଯୋଗ କରିଥିଲେ ମଧ୍ୟ ପରେ ତାହା ଆଉ ସମ୍ଭବପର ହୋଇନଥିଲା। ପରିବାରଲୋକେ ନିରାଶ ହୋଇ କମିସନରେଟ୍ ପୁଲିସର ସହୟତା ନେଇଥିଲେ। ଏ ସଂକ୍ରାନ୍ତରେ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଷ୍ଟେସନ୍‌ ଡାଏରି କରିଥିଲା। ପୁଲିସ କଟକ ଡିସିପିଙ୍କୁ ଅବଗତ କରାଇଥିଲା। ତତ୍କାଳୀନ ଡିସିପି ଅଖିଳେଶ୍ବର ସିଂହ ଭୁବନେଶ୍ବର କମିସନରେଟ ପୁଲିସ ମୁଖ୍ୟାଳୟକୁ ଏକ ଚିଠି ଲେଖିଥିଲେ। କମିସନରେଟ୍‌ ପୁଲିସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଛାତ୍ରୀଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଓ ମେଲ୍ ଆଇଡି ଟ୍ରେସ୍ ପରେ ପର୍ତ୍ତୁଗାଲର ରାଜଧାନୀ ଲିସବନ୍‌ରେ ଲୋକେସନ୍ ଦେଖାଉଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କମିସନରେଟ୍‌ ପୁଲିସକୁ ଚିଠି ଆସିଥିଲା। କିନ୍ତୁ ଛାତ୍ରୀଙ୍କ ସମ୍ପର୍କରେ କିଛି ଖୋଜ ଖବର ମିଳି ନଥିଲା। କେବଳ ତାଙ୍କର ମେଲ୍ ଆଇଡି ଲୋକେସନ୍ ହିଁ ଏକମାତ୍ର ସୁରାକ୍ ବୋଲି ଜଣାପଡ଼ିଥିଲା। ଛାତ୍ରୀଙ୍କୁ ଠାବ କରିବା ସହ ଉଦ୍ଧାର କରିବା ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପର୍ତ୍ତୁଗାଲ ଦୂତାବାସକୁ ଚିଠି ଲେଖାଯାଇଥିବା ବେଳେ ଏବେ ଛାତ୍ରୀଙ୍କୁ ଫ୍ରାଙ୍କଫର୍ଟ ଏୟାରପୋର୍ଟରେ ବୁଲୁଥିବାର ତାଙ୍କ ବନ୍ଧୁ ଦେଖିଛନ୍ତି।

ଏ ସଂକ୍ରାନ୍ତରେ ସମ୍ପୃକ୍ତ ବନ୍ଧୁ ନିଖୋଜ ଛାତ୍ରୀଙ୍କ ବାପା ରାଜକିଶୋର ରାଉତରାୟଙ୍କୁ ଅବଗତ କରାଇଥିଲେ। ପୁରୀଘାଟ ଥାନା ପୁଲିସ ଡିସିପି ଅଫିସରେ ଏ ସଂକ୍ରାନ୍ତରେ ଅବଗତ କରାଇଥିଲା। ଡିସିପି ଅଫିସର ତୁରନ୍ତ ସିପି ଅଫିସ ମାଧ୍ୟମରେ ଜର୍ମାନ ଦୂତାବାସଙ୍କୁ ଚିଠି ଲେଖିଛି। ଫ୍ରାଙ୍କଫର୍ଟ ଏୟାରପୋର୍ଟ ଆଖପାଖ ଅଞ୍ଚଳରେ ଛାତ୍ରୀଙ୍କୁ ଠାବ କରିବାକୁ ସେଠାକାର ପ୍ରଶାସନର ସହାୟତା ନିଆଯିବାକୁ ଯୋଜନା କରାଯାଉଛି। ବିଶ୍ବରେ କରୋନା ପାଇଁ ଭୟଙ୍କର ସ୍ଥିତି ଲାଗି ରହିଥିବା ବେଳେ ଛାତ୍ରୀଙ୍କ ନିଖୋଜ ଘଟଣା ପରିବାରଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସେହିପରି ଛାତ୍ରୀଙ୍କୁ ଉଦ୍ଧାର କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର