ନିଖୋଜ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା: ସ୍ଥାନୀୟ ଭୁବନପୁର ସ୍ଥିତ ଏକ ଇଟାଭାଟିରୁ ନିଖୋଜ ହୋଇଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଆଜି ପୂର୍ବାହ୍ନରେ ଉଦ୍ଧାର ହୋଇଛି । ମୃତକ ହେଲେ ଅଗ୍ନିଭାଟିର ଶ୍ରମିକ ଗୋପାଳ ସିଂହ (୫୦) । ଗତ ସୋମବାର ଦିନଠାରୁ ଗୋପାଳ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ନିଖୋଜ ହୋଇଯାଇଥିବା ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକ ଗୋପାଳଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ ମିଳି ନଥିଲା । ହେଲେ ଆଜି ସକାଳେ ଗୋପାଳଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଜଣେ ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ ଫୋନକରି ଜଣାଇଥିଲେ । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଗୋପାଳଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗୋପାଳଙ୍କ ନିଜ ଘର ବାଲେଶ୍ବର । ଗତ ୪ ବର୍ଷ ତଳେ ଗୋପାଳ ପରିବାର ଲୋକଙ୍କ ସହ ଉକ୍ତ ଇଟାଭାଟିରେ କାମ କରୁଥିଲେ । ଗତ ୪ ଦିନ ତଳେ ସେ ପୋଖରୀକୁ ନିଶାଗ୍ରସ୍ତ ଅସ୍ଥାରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିବା କୁହାଯାଇଛି । ଏନେଇ ଥାନାରେ ନଂ ୧/୨୧ ରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର