ବାଲିଅନ୍ତା : ଶୁଦ୍ଧିକ୍ରିୟା ପାଇଁ ଯୋଗାଡ଼ ସରିଥିଲା। ଦଶାହ କାର୍ଯ୍ୟ ନେଇ କୁଟୁମ୍ବଙ୍କୁ ଅବଗତ କରିଦିଆଯାଇଥିଲା। ଦୀର୍ଘ ୨୬ ବର୍ଷ ହେଲା ନିଖୋଜ ହୋଇଯାଇଥିବା ଆର୍ତତ୍ରାଣଙ୍କୁ ମୃତ ବୋଲି ଧରି ନେଇଥିଲେ ପରିବାର ଲୋକେ। ମାତ୍ର ହଠାତ୍ ଗତକାଲି ସନ୍ଧ୍ୟାରେ ଆସି ଘରେ ପହଞ୍ଚିଲେ ଆର୍ତତ୍ରାଣ। ତାଙ୍କୁ ହଠାତ୍ ୨୬ ବର୍ଷ ପରେ ଆଖି ସାମ୍ନାରେ ପାଇ ତାଜୁବ ହୋଇଯାଇଥିଲେ ପରିବାର ଓ ସାହି ପଡ଼ିଶା। ଦୀର୍ଘ ବର୍ଷ ପରେ ଫେରିବା ଖବର ପାଇ ତାଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଲା। ଘଟଣାଟି ଘଟିଛି ବାଲିଅନ୍ତା ବ୍ଲକ ଅଧୀନ ଭିଙ୍ଗାରପୁର ଶାସନ ଗ୍ରାମରେ।
ପରିବାରର ସୂଚନା ମୁତାବକ, ଭିଙ୍ଗାରପୁର ଶାସନ ଗ୍ରାମର ଶିବ ମହାନ୍ତିଙ୍କ ମଝିଆଁ ପୁଅ ହେଉଛନ୍ତି ଆର୍ତତ୍ରାଣ ମହାନ୍ତି। ଭିଙ୍ଗାରପୁର ହାଇସ୍କୁଲ୍ରେ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଆର୍ତତ୍ରାଣ। କଲେଜ୍ ଯିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅଭାବ ଅନଟନ ଯୋଗୁଁ ଏହା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ବାପା ରାଜମିସ୍ତ୍ରି କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କଲେଜ୍ରେ ପାଠ ପଢ଼ି ନପାରିବା ଦୁଃଖରେ ଭାଙ୍ଗି ପଡ଼ିଥିବା ଆର୍ତତ୍ରାଣ ଘର ଛାଡ଼ି ୧୯୯୩ ମସିହାରେ ଚାକିରି ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶ ପଳେଇଲେ। ସେଠାରୁ ଆନ୍ଧ୍ରପ୍ରଦେଶକୁ ଯାଇ ଏକ ଫଳଗଦିରେ ରହି କାମ କରିଥିଲେ। ନିଖୋଜ ହେବା ପରେ ଏ ବାବଦରେ ପରିବାର ଲୋକେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କଟକ ରେଡିଓ ଷ୍ଟେସନ୍ରେ ନିରୁଦ୍ଦିଷ୍ଟ ହେବା ନେଇ ଖବର ପ୍ରସାରଣ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ବି କରିଥିଲେ। ମାତ୍ର ପରିବାର ଓ ସମ୍ପର୍କୀୟ ଖୋଜାଖୋଜି ପରେ ଆଶା ହରାଇଥିଲେ। ଭେଣ୍ଡିଆ ପୁଅକୁ ଫେରି ନ ପାଇବା ଚିନ୍ତାରେ ବୁଡ଼ି ବାପା ମା’ କିଛି ବର୍ଷ ପରେ ପ୍ରାଣ ହରାଇଲେ। ଏପଟେ ପରିବାର ଲୋକେ ଧରିନେଇଥିଲେ ଯେ ଆର୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଛି।
ବାରିପଦାର ଜଣେ ବ୍ୟକ୍ତିଙ୍କ ସହଯୋଗରେ ସେ ଗତକାଲି ଭୁବନେଶ୍ବରରେ ପହଞ୍ଚି ଘରକୁ ଆସିଥିଲେ। ଘରକୁ ଫେରି ଆସିଥିଲେ ବି ତାଙ୍କ ମାନସିକ ଅବସ୍ଥା ଭଲନାହିଁ। ୨୫ ବର୍ଷ ବୟସରେ ନିଖୋଜ ହୋଇଯାଇଥିବା ଆର୍ତତ୍ରାଣଙ୍କୁ ଏବେ ୫୧ବର୍ଷ। ପୁଅ ସିନା ଫେରି ଆସିଲା, ହେଲେ ପୁଅର ବାଟକୁ ଚାହିଁ ଚାହିଁ ସବୁ ଦିନ ପାଇଁ ଆଖି ବୁଜି ଦେଇଥିବା ବାପା ମା’ କିନ୍ତୁ ପୁଅ ଆର୍ତତ୍ରାଣକୁ ଆଉ ଦେଖିପାରିଲେନି।