ଭୁବନେଶ୍ବରରୁ ନିଖୋଜ ନାବାଳକ ପୁରୀରୁ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରରୁ ନିଖୋଜ ହୋଇ ଯାଇଥିବା ଜଣେ ନାବାଳକ ପୁରୀରୁ ଉଦ୍ଧାର ହୋଇଛି। ଖବର ପାଇବା ପରେ ପରିବାର ଲୋ‌କେ ପୁଅକୁ ପୁରୀରୁ ଆଣି ଘରକୁ ଫେରିଛନ୍ତି। ନିଖୋଜ ହୋଇ ଯାଇଥିବା ନାବାଳକ ହେଉଛି ଭଞ୍ଜନଗର ବେତାର ଗ୍ରାମର ମମତା ପଣ୍ଡାଙ୍କ ପୁଅ ବବ୍‌ଲୁ ପଣ୍ଡା(୧୨)।

ସ୍ବାମୀ କୃପାସିନ୍ଧୁ ପଣ୍ଡାଙ୍କ ମୃତ୍ୟୁ ପରେ ମମତା ପୁଅଙ୍କ ସହ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ରହି ଏକ ଫ୍ୟାକ୍ଟ୍ରିରେ ଚାକିରି କରନ୍ତି। ମଙ୍ଗଳବାର ସକାଳେ ବୁବ୍‌ଲୁ ସାଇକେଲ ଧରି ପଳାସୁଣି ଆଡ଼େ ଯାଇଥିଲା। ଜାତୀୟ ରାଜପଥ ଦେଇ ପୁଣି ଥରେ ମଞ୍ଚେଶ୍ବରକୁ ଫେରିବାକୁ ଚାହିଥିଲା। ହେଲେ ଅଣ୍ଡରପାସ୍‌ ଦେଇ ରସୁଲଗଡ଼ ଆଡ଼କୁ ଆସିବା ବେଳେ ରାସ୍ତା ଜାଣି ନ ପାରିବାରୁ ସେ ପୁରୀ ବାଇପାସ୍‌ ଦେଇ ଚାଲି ଯାଇଥିଲା। ସାତଶଙ୍ଖ ପର୍ଯ୍ୟନ୍ତ ସାଇକେଲ୍‌ ଚଳାଇ ଚାଲିଯିବା ପରେ ବବ୍‌ଲୁ ଥକି ଯାଇଥିଲା। ସେଠାରେ ଭୁବନେଶ୍ବରକୁ ବାଟ ପଚାରିବାରୁ କେହି ପୁରୀ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ୍‌ ବବ୍‌ଲୁକୁ ଉଦ୍ଧାର କରି ସିଡବ୍ଲୁସିରେ ଉପସ୍ଥାପନ କରାଇଥିଲା।

ବବ୍‌ଲୁ ନିଜ ଘର ଭୁବନେଶ୍ବର କହୁଥିବାରୁ ସିଡବ୍ଲୁସି ସଦସ୍ୟ ଶକ୍ତିପାଦ ମିଶ୍ର ଆମ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଭୁବନେଶ୍ବରର ବିଭିନ୍ନ ଥାନାରେ ଆମେ ଯୋଗାଯୋଗ କରିବା ପରେ ମଞ୍ଚେଶ୍ବର ଥାନାରେ ନିଖୋଜ ଏତଲା ଥିବା ଜଣାପଡ଼ିଥିଲା। ଆମ ପ୍ରତିନିଧି ବବ୍‌ଲୁଙ୍କ ମା’ ମମତାଙ୍କ ସହ ତୁରନ୍ତ ଯୋଗାଯୋଗ କରି ପୁଅ ମିଳିଥିବା ନେଇ ନିଶ୍ଚିତ କରାଇଥିଲେ। ଏହାପରେ ମମତା ପୁରୀ ପହଞ୍ଚି ବବଲୁକୁ ଆଣିଥିଲେ।

ସମ୍ବନ୍ଧିତ ଖବର