ଜଟଣୀ: ଦୁଇ ଦିନ ପୂର୍ବେ ନିଖୋଜ ହୋଇଥିବା ଜଣେ ନାବାଳିକା ଜଟଣୀ ଥାନାରେ ହାଜର ହୋଇ ମାଆ ବିରୋଧରେ ସଂଗିନ୍ ଅଭିଯୋଗ ଆଣିଛନ୍ତି। ମାଆ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଜଣେ ଦଲାଲ ମାଧ୍ୟମରେ ବିକିଦେବାକୁ ବସିଥିଲେ ବୋଲି ନାବାଳିକାଜଣକ ଅଭିଯୋଗ କରିଛନ୍ତି। ପୁଲିସ ନାବାଳିକାଙ୍କୁ ଏକ ଆଶ୍ରୟ କେନ୍ଦ୍ରରେ ଛାଡ଼ିବା ସହ ଘଟଣା ପଛର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଜଟଣୀରେ ହଇଚଇ ଖେଳିଯାଇଛି।
ଆଶ୍ରୟ କେନ୍ଦ୍ରରେ ଛାଡ଼ି ତଦନ୍ତ କରୁଛି ପୁଲିସ
ବିଶିଆପଡ଼ା ଅଞ୍ଚଳର ଏହି ନାବାଳିକା ୨ ଦିନ ତଳୁ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗତକାଲି ରାତିରେ ନାବାଳିକା ଜଣଙ୍କ ହଠାତ୍ ଥାନାରେ ପହଞ୍ଚିଥିଲେ। ତାଙ୍କ ମାଆ ତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ ଏବଂ ଦଲାଲ ଜରିଆରେ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ, ସେସବୁ ଥାନା ଅଧିକାରୀଙ୍କ ନିକଟରେ ବଖାଣିଥିଲେ। ନାବାଳିକାଙ୍କ ଅଭିଯୋଗ ଅନୁସାରେ ତାଙ୍କ ମାଆ ପିପିଲି ଅଞ୍ଚଳର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ଏବଂ ସେହି ଯୁବକଙ୍କ ସହ ଖରାପ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରୁଥିଲେ। ମାତ୍ର ସେ ରାଜି ନହେବାରୁ ତାଙ୍କୁ ମାରଧର କରୁଥିଲେ। ତେଣୁ ଏକଦା ସେ ରେଳଧାରଣାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ।
ଏହାପରେ ତାଙ୍କ ମାଆ ତାଙ୍କୁ ଦଲାଲ ମାଧ୍ୟମରେ ଜଣେ ମହିଳାଙ୍କୁ ବିକ୍ରି କରିବାକୁ ଖୁଦୁପୁର ଅଞ୍ଚଳକୁ ନେଇଯାଇଥିଲେ। ମହିଳାଜଣକ ନାବାଳିକା ଦେଖି କିଣିବାକୁ ରାଜି ହୋଇନଥିଲା। ମାଆଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଘର ଛାଡ଼ି ପଳାଇଥିଲେ ବୋଲି କହିଛନ୍ତି। ନାବାଳିକାଙ୍କଠାରୁ ଏସବୁ ଶୁଣିବା ପରେ ପୁଲିସ ତାଙ୍କୁ ସେଲ୍ଟର୍ ହୋମ୍ରେ ଛାଡ଼ିଛି ଏବଂ ମାଆଙ୍କୁ ପଚରାଉଚରା ଚଳାଇଛି। ନାବାଳିକାଙ୍କ କଥାରେ କେତେ ସତ, କେତେ ମିଛ ରହିଛି, ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅଭିଯୋଗରେ ସତ୍ୟତା ଥିଲେ, ମାଆ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।