ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ବନାନ ଭୁଲ୍ ଯୋଗୁଁ ଜଣେ ହିତାଧିକାରୀ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଆଚାର୍ଯ୍ୟବିହାର ସାଇନ୍ସ ପାର୍କ ବସ୍ତିରେ ରହୁଥିବା ବନଲତା ପରିଡ଼ାଙ୍କ ଝିଅ ଦୀପାଞ୍ଜଳି ପରିଡ଼ା ଏମିତି ଚିକିତ୍ସା ସେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। କିଡ୍ନି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୀପାଞ୍ଜଳିଙ୍କୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେଇଛନ୍ତି। କାର୍ଡରେ ଥିବା ତ୍ରୁଟି ସଂଶୋଧନ ନହେବା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା ସେବା ମିଳିବ ନାହିଁ ବୋଲି ରୋକ୍ଠୋକ କୁହାଯାଇଛି। ମାତ୍ର କାର୍ଡ ତ୍ରୁଟି ସଂଶୋଧନ ପାଇଁ ବ୍ୟବସ୍ଥା ଭିତରେ ଥିବା ଝିନ୍ଝଟ୍ ଯୋଗୁଁ ନିରୀହ ହିତାଧିକାରୀଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି। ତ୍ରୁଟି ସଂଶୋଧନ ପାଇଁ ବାରଦୁଆର ହେଉହେଉ ରୋଗ ଯନ୍ତ୍ରଣା ବଳେଇ ପଡ଼ୁଛି।
ସୂଚନା ଅନୁସାରେ, ସାଇନ୍ସ ପାର୍କ ବସ୍ତିରେ ରହୁଥିବା ବନଲତାଙ୍କ ଝିଅ ଦୀପାଞ୍ଜଳି କିଡ୍ନୀ ରୋଗରେ ପୀଡ଼ିତ। ବିଜୁ ସ୍ବାସ୍ଥ୍ୟକାର୍ଡରେ ଚିକିତ୍ସା ସେବା ପାଇବା ଆଶାରେ ସେ ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ସୁଯୋଗ ଦିଆଯାଇନଥିଲା। କାର୍ଡରେ ଦୀପାଞ୍ଜଳିଙ୍କ ନାଁ ଇଂରାଜୀରେ ଦୀପାଙ୍ଗଳୀ ହୋଇଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଦିଆଯାଇନଥିଲା। ବନଲତା ମୋ’ ସେବା କେନ୍ଦ୍ରର ଦ୍ବାରସ୍ଥ ହୋଇଥିଲେ। ହେଲେ ସେଠାରେ ଉକ୍ତ ବନାନ ସଂଶୋଧନ ହୋଇପାରି ନଥିଲା। ତେଣୁ ସେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ସେଠାରେ ସଂଶୋଧନ ପାଇଁ ସେ ଦରଖାସ୍ତ ଦେଇଥିବା ଜଣାପଡ଼ିଛି। ଏନେଇ ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ନାମ ସଂଶୋଧନ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଛି ଓ ତୁରନ୍ତ ସଂଶୋଧନ କରିଦିଆଯିବ। କିନ୍ତୁ କେବେ ସୁଦ୍ଧା ସଂଶୋଧନ ହୋଇଯିବ, ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି। ତେଣୁ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୀପାଞ୍ଜଳି ଏବେ ବି ଚିନ୍ତାରେ ପଡ଼ିଛନ୍ତି। କାର୍ଡ ପ୍ରସ୍ତୁତି ବେଳେ କିଏ ଭୁଲ୍ କଲା ଓ ସେହି ଭୁଲ୍ ପାଇଁ ଦୀପାଞ୍ଜଳି କଷ୍ଟ ଭୋଗୁଛି ବୋଲି ମା’ ବନଲତା କୋହକୋହ ହୋଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବନଲତାଙ୍କ ସ୍ବାମୀ ଦୀର୍ଘ ୨୩ବର୍ଷ ହେଲା ପରିବାର ଛାଡ଼ି କେଉଁ ଆଡ଼େ ଚାଲି ଯାଇଛନ୍ତି। ବନଲତା ଘରୋଇ ସହାୟକ ଭାବେ କାମ କରି ଝିଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବାକୁ ଆଶା କରିଥିଲେ। ଝିଅ ବଡ଼ ହୋଇ ଶେଷ ଅବସ୍ଥାରେ ତାଙ୍କର ସାହାରା ହେବ ବୋଲି ଆଶା କରିଥିଲେ। ହେଲେ ନିୟତିର ଗତି କିଛି ଭିନ୍ନ ଥିଲା। କଷ୍ଟେମଷ୍ଟେ ଝିଅକୁ ତିନି ବର୍ଷ ତଳେ ବିବାହ କରାଇଥିଲେ। ଏବେ ଜ୍ବାଇଁ କର୍କଟ ରୋଗଗ୍ରସ୍ତ ହୋଇଥିବା ବେଳେ ଝିଅ କିଡ୍ନି ରୋଗରେ ପୀଡ଼ିତା। ବନଲତାଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ି ବସିଛି। ଏଭଳି ଦୁଃଖ ସମୟରେ ସରକାରୀ ବ୍ୟବସ୍ଥାର କଷ୍ଟ ତାଙ୍କୁ ବେଶି ଯନ୍ତ୍ରଣା ଦେଉଛି ବୋଲି ସେ କହିଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ତ୍ରୁଟି ତୁରନ୍ତ ସଂଶୋଧନ ହୋଇପାରିଲେ, ସେ କିଛି ଉପଶମ ପାଇପାରନ୍ତେ ବୋଲି କହିଛନ୍ତି।