‘ମିସନ୍‌ ଆଶାଲୋକ’ ଉଦ୍‌ଘାଟିତ, ଚିକିତ୍ସିତ ହେବେ ପୁରୁଷ ମାନସିକ ବିକାରଗ୍ରସ୍ତ ରୋଗୀ

ଭୁବନେଶ୍ବର: ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲସ୍‌ ଫୋରମ୍‌’ ପକ୍ଷରୁ ଆଜି ଗଙ୍ଗପଡ଼ାର ଭଟଖୁରୀ ଗାଁରେ ପୁରୁଷ ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ମିସନ୍‌ ଆଶାଲୋକ’ ଉଦ୍‌ଘାଟିତ ହୋଇଯାଇଛି। ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ଆଜି ଏହାର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ‘ମିସନ ଆଶାଲୋକ’ର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ‘ପିପୁଲ୍‌ସ୍‌ ଫୋରମ୍‌’ର ସ୍ବେଚ୍ଛାସେବୀମାନେ ଭୁବନେଶ୍ବର, ପୁରୀ ଓ କଟକର ରାସ୍ତାଘାଟରେ ଘୂରି ବୁଲୁଥିବା ମାନସିକ ରୋଗୀମାନଙ୍କୁ ଚିହ୍ନଟ କରି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିବେ। ପରେ ସାରା ଓଡ଼ିଶାକୁ ଏହି ମିସନ୍‌ ବ୍ୟାପ୍ତ ହେବ। ୧୦୦ ଶଯ୍ୟା ବିଶିଷ୍ଟ ଏହି ଥଇଥାନ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ଓ ପୁରୀରୁ ୪୩ ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇ ଭର୍ତ୍ତି କରାଗଲାଣି। ଏହା ପରେ କଟକରେ ଏହି ଅଭିଯାନ ଚାଲିବ ବୋଲି ସେ କହିଛନ୍ତି।

ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଏଭଳି ମହତ କାର୍ଯ୍ୟରେ ସରକାରୀ କଳ ସବୁବେଳେ ସାହାଯ୍ୟ ଓ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ନୀଳମାଧବ ରଥ, ରାଜ୍ୟ ମାନସିକ ରୋଗୀ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ସ୍ବାଇଁ ଓ କାପୋକର ସଭାପତି ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଗାମୀ ଦିନରେ ପୁଲିସ ସହାୟତାରେ ରାଜ୍ୟର ସମଗ୍ର ଅଞ୍ଚଳରୁ ପୁରୁଷ ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ‘ମିସନ ଆଶାଲୋକ’ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବ। ଏହାସହ ଝାରସୁଗୁଡ଼ାରେ ଏହାର ଏକ ଆଞ୍ଚଳିକ ଶାଖା କାର୍ଯ୍ୟ କରିବ ବୋଲି ପିପୁଲ୍‌ସ୍‌ ଫୋରମ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖ‌ଯୋଗ୍ୟ, ୨୦୦୩ ମସିହାରୁ ଏହି ଅନୁ‌ଷ୍ଠାନ ପକ୍ଷରୁ ମିଶନ ଆଶ୍ରାରେ କେବଳ ମାନସିକ ବିକାରଗ୍ରସ୍ତ ମହିଳାମାନଙ୍କୁ ରଖାଯିବା ସହ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର