ମିସନ୍‌ ରକ୍ତଦାନ ପକ୍ଷରୁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ମିସନ ରକ୍ତଦାନ ଅଭିଯାନ ଏବଂ ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦର ମିଳିତ ଆନୁକୂଲ୍ୟରେ ସିୱାଇଏସ୍‌ଡିଠାରେ ରକ୍ତଦାନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ ଉଦ୍‌ଘାଟନ କରିଥିବା ବେଳେ ରାଜ୍ୟ ରକ୍ତ ନିରାପତ୍ତାର ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଅତିଥି ଭାବେ ଯୋଗଦେଇ ରାଜ୍ୟରେ ରକ୍ତର ଅଭାବକୁ ପୂରଣ ପାଇଁ ସମସ୍ତ ଅନୁଷ୍ଠାନ ଆଗେଇ ଆସିବା ପାଇଁ ଆହ୍ବାନ କରିଥିଲେ। ସେଣ୍ଟ୍ରାଲ ରେଡକ୍ରସ୍ ରକ୍ତ ଭଣ୍ଡାରର ଅଧିକାରୀ ଚନ୍ଦ୍ରିକା ଦାସ ଓ କ୍ୟାପିଟାଲ୍ ହସ୍ପିଟାଲ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ସ୍ବେଚ୍ଛାକୃତ ରକ୍ତଦାନ ସମ୍ପର୍କିତ ପ୍ରଶିକ୍ଷଣ ଦେଇଥିଲେ।

ରାଜ୍ୟ ରକ୍ତ ନିରାପତ୍ତାର ଅତିରିକ୍ତ ନିର୍ଦ୍ଦେଶକ ଡା. ରାଓ ଏବଂ ସହ ନିର୍ଦ୍ଦେଶକ ସ୍ୱରୂପ ଦାସ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ରକ୍ତ ଭଣ୍ଡାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ଏବଂ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ ପାଇକରାୟ ମିସନ ରକ୍ତଦାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ, ପ୍ରଫେସର ରଘୁନାଥ ମଣ୍ଡଳ, ଗୋପୀମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ଯୁବ ପ୍ରକଳ୍ପ ଟ୍ରଷ୍ଟି ମଧୁସୂଦନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସଦସ୍ୟ ଶ୍ରୀ ସୋମ ପରିଚାଳନା କରିଥିଲେ। ଗୁନୁ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର