ଭୁବନେଶ୍ୱର : ଜମି କିଣିଲେ କି ଘର ତିଆରି କଲେ ଦାଦାବଟି; ଦାଦାଙ୍କ କୃପା ବିନା ରାଜଧାନୀରେ ରହିବା ଅସମ୍ଭବ ହୋଇଗଲାଣି। ଭୁବନେଶ୍ବର ସମେତ ସହର ଉପକଣ୍ଠ ଅଞ୍ଚଳରେ ଏହି ଦାଦାମାନଙ୍କ ଉତ୍ପାତ ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଏନେଇ ଥାନାକୁ ଅଭିଯୋଗ ଆସିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ପୁଲିସ୍ ନିରବ ରହିଯାଉଛି। କିନ୍ତୁ ଏଣୁ ଏଣିକି ଆଉ ଆଉ ସେମିତି ହେବ ନାହିଁ। ‘ଦାଦା’ଙ୍କୁ ଆଉ ନିସ୍ତାର ନାହିଁ। କମିସନରେଟ୍ ପୁଲିସ୍ ଏମାନଙ୍କୁ ସାବାଡ଼୍ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ମିସନ୍ ଦାଦା’।
ଜନସାଧାରଣଙ୍କୁ ଆତଙ୍କିତ କରି ରଖିଥିବା ତଥାକଥିତ ଦାଦାମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଏନ୍ଏସ୍ଏ ବଳରେ ମାମଲା ରୁଜୁ ହେବ। ଆଜି ପୁଲିସ ସେବା ଭବନରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ‘ଦାଦା’ମାନଙ୍କୁ ଖୋଜି ସାବାଡ଼୍ କରିବାକୁ ସମସ୍ତ ଇନ୍ସ୍ପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।
ପୁଲିସ କମିସନର୍ ଶ୍ରୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ ମୁତାବକ, ଇନ୍ସ୍ପେକ୍ଟରମାନେ ନିଜ ନିଜ ଥାନାରେ ଥିବା ଏଭଳି ଅଭିଯୋଗ ନେଇ ପୁରୁଣା ଏତଲାଗୁଡ଼ିକୁ ତର୍ଜମା କରିବେ। କୌଣସି ଅଞ୍ଚଳରେ ବାରମ୍ବାର ଏଭଳି ଦାଦାବଟି ଆଦାୟ କରୁଥିବା ଯୁବକକୁ ଚିହ୍ନଟ କରିବେ। ଏଥିପାଇଁ ନିଜର ଗୁଇନ୍ଦା ମଧ୍ୟ ବ୍ୟବହାର କରିବେ। ସମସ୍ତଙ୍କୁ ଚିହ୍ନଟ କରିବା ପରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବେ। ଯେଉଁ ପୁରୁଣା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ, ତାହା ଉପରେ ମଧ୍ୟ ଜଲ୍ଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ। ନିୟମିତ ବ୍ୟବଧାନରେ ଏହି ମିସନର ସମୀକ୍ଷା ହେବ। ମିସନ ଚାଲୁଥିବା ବେଳେ ଅଭିଯୋଗ କମୁଛି କି ନାହିଁ କିମ୍ବା ସମ୍ପୃକ୍ତ ଅଞ୍ଚଳରେ କ’ଣ ପରିସ୍ଥିତି ରହିଛି, ସେ ନେଇ ତର୍ଜମା କରାଯିବ। ସେମାନଙ୍କର ଅପରେସନ୍ ବାବଦରେ ଇନ୍ସ୍ପେକ୍ଟରମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ବର ଓ ଉପକଣ୍ଠରେ ଏବେ ଦାଦାବଟି ଆଦାୟ ମାମଲା ବୃଦ୍ଧି ପାଇଛି। ସହିଦନଗର ଥାନା ସମେତ ବାଲିପାଟଣା, ବାଲିଅନ୍ତା, ଧଉଳି, ଖଣ୍ଡଗିରି, ତମାଣ୍ଡୋ, ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏଭଳି ଅଧିକାଂଶ ଅଭିଯୋଗ ରହିଛି। ବଟି ପାଇଁ ହତ୍ୟା ଉଦ୍ୟମ, ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ନେଇ ମଧ୍ୟ ଅନେକ ଅଭିଯୋଗ ରହିଛି। କେଶୁରା ଅଞ୍ଚଳରେ କେତେକ ବରିଷ୍ଠ ନାଗରିକ ବାରମ୍ବାର ଏ ନେଇ ଅଭିଯୋଗ କରିଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏକ ମହିଳା ଗୋଷ୍ଠୀ ଖୋଲାଖୋଲି ଭାବରେ ଦାଦାବଟି ଆଦାୟ କରୁଥିବା ନେଇ ନିକଟ ଅତୀତରେ ଅଭିଯୋଗ ପଦାକୁ ଆସିଥିଲା। ସେହିଭଳି ତମାଣ୍ଡୋ ଅଞ୍ଚଳରେ ଦୁଇଟି ପରିବାର ଦାଦାବଟି ଆଦାୟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟ ପରିବାର ସଦସ୍ୟ ଅନେକଥର ଗିରଫ ମଧ୍ୟ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ଜାଗାବାଡ଼ି କିଣାବିକା ହେବା ସହ ନିର୍ମାଣ ବୃଦ୍ଧି ପାଉଥିବାରୁ ଯୁବକମାନେ ଗୋଷ୍ଠୀ ହୋଇ ଉତ୍ପାତ କରୁଥିବା ଜଣାପଡ଼ିଛି। ଗତ ବର୍ଷକ ମଧ୍ୟରେ ଏହି ସବୁ ଉପକଣ୍ଠ ଥାନାଗୁଡ଼ିକରେ ଦାଦାବଟିକୁ ନେଇ ୩ ହଜାରରୁ ଊର୍ଦ୍ଧ୍ବ ମାମଲା ରହିଛି। ଭୟରେ ଅନେକ ଅଭିଯୋଗ ଥାନାକୁ ଆସିନଥିବାରୁ ବାସ୍ତବ ଘଟଣା ୧୦ ହଜାରରୁ ଊର୍ଧ୍ବ ହେବ ବୋଲି ଆଶଙ୍କା କରାଯାଉଛି।