ତ୍ରୁଟି କଲା ଯୋଗାଣ ବିଭାଗ: ରାସନ୍‌ ପାଉନାହାନ୍ତି ୬ ଶହ ହିତାଧିକାରୀ

ଭୁବନେଶ୍ବର: ଯୋଗାଣ ବିଭାଗର ତ୍ରୁଟି ପାଇଁ ରାଜଧାନୀରେ ୬୦୦ରୁ ଅଧିକ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବୈଷୟିକ ତୃଟି, ଜାଲ୍‌ ହିତାଧିକାରୀ ବାହାରିବା, ଭୂତ କାର୍ଡରେ ନାଁ ଆସିବା ଓ ଅନ୍ୟାନ୍ୟ ତ୍ରୁଟି ଯୋଗୁଁ ଏହି ୬ ଶହ ଗରିବ ପରିବାର ରାସନ୍‌ ପାଉନାହାନ୍ତି। ଗତ ନଭେମ୍ବରରୁ ସେମାନେ ରାସନ୍ ପାଉନାହାନ୍ତି। ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେମାନେ ହତାଶ ହୋଇଗଲେଣି। ୱେବ୍‌ସାଇଟ୍‌ ବନ୍ଦ ଥିବା କହି ଅଧିକାରୀମାନେ ସେମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।

ଯୋଗାଣ ବିଭାଗରୁ ମିଳିଥିବା ସୂଚନାନୁସାରେ ଗତ ନଭେମ୍ବରରୁ ରାଜ୍ୟବ୍ୟାପୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ଥିବା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି। ତେଣୁ କାର୍ଡକୁ ନେଇ କୌଣସି ସମସ୍ୟାର ସମାଧାନ କରିବାକୁ ଓ ନୂତନ କାର୍ଡ ଆବେଦନ ବନ୍ଦ କରିବା ପାଇଁ ୱେବ୍‌ସାଇଟ୍‌କୁ ବନ୍ଦ କରିଦିଆଯାଇଥିଲା। ମାର୍ଚ୍ଚ ମାସରେ ଖୋଲିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ‌ହେଲେ ମାର୍ଚ୍ଚ ଶେଷ ହେବା ପରେ ଏପ୍ରିଲ୍‌ ମାସ ଅଧା ହୋଇଯାଇଥିଲେ ମଧ୍ୟ ଏହି ୱେବ୍‌ସାଇଟ୍‌ ଖୋଲାଯାଉନାହିଁ। ଫଳରେ ଗରିବ ହିତାଧିକାରୀମାନେ ରାସନ୍ ପାଉନାହାନ୍ତି। ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ବିଏମ୍‌ସି ୧୭ନମ୍ବର ୱାର୍ଡରେ ରହୁଥିବା ସୁକାନ୍ତ ପଲେଇଙ୍କର ରାସନ କାର୍ଡ ଭୁବନେଶ୍ବରରୁ କଟିଯାଇ ଜଗତସିଂହପୁର ଜିଲ୍ଲା ଠିକଣା ‌ଦେଖାଉଥିଲା। ତେଣୁ ସେ ଯୋଗାଣ ବିଭାଗକୁ ଧାଇଁଧାଇଁ ତ୍ରୁଟି ସଂଶୋଧନ କରାଇଥିଲେ। ‌ମାର୍ଚ୍ଚ ମାସରେ ବିଭାଗୀୟ ୱେବସାଇଟ୍‌ ଖୋଲିଲେ, ତାଙ୍କୁ ରାସନ୍ ମିଳିବ ବୋଲି କୁହାଯାଇଥିଲା।

ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ। ଫଳରେ ୬ପ୍ରାଣୀ କୁଟୁମ୍ବଙ୍କୁ ନେଇ ସୁକାନ୍ତ ରାଜଧାନୀରେ ବହୁତ କଷ୍ଟରେ ଚଳୁଛନ୍ତି। ଯୋଗାଣ ବିଭାଗ ତଥ୍ୟ ଅନୁସାରେ ଭୁବନେଶ୍ବରରେ ଏଭଳି ୬୦୦ ହିତାଧିକାରୀ ଅଛନ୍ତି। ବିଭିନ୍ନ କାରଣ ପାଇଁ ସେମାନଙ୍କ କା‌ର୍ଡ କଟିଛି। ଏନେଇ ଖୋର୍ଦ୍ଧା ଜିଲ୍ଲା ‌ଯୋଗଣ ବିଭାଗ ଅଧିକାରୀ ସୁଗଦା ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି ୱେବ୍‌ସାଇଟ୍‌ ମଝିରେ କିଛି ଦିନ ଖୋଲୁଥିଲା। ଏବେ ପୁଣି ବନ୍ଦ ହୋଇଥିବା କଥା ସେ ଜାଣିନାହାନ୍ତି। ତେଣୁ ଏ ସଂପର୍କରେ ଯୋଗାଣ ନିରୀକ୍ଷକଙ୍କ ସହ ଯୋଗଯୋଗ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି ଯେ କୌଣସି ୱାର୍ଡରେ ଧାର୍ଯ୍ୟ ପରିମାଣର ହିତାଧିକାରୀ ଥିଲେ, ଏବେ ଆଉ କୌଣସି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇ ପାରିବନାହିଁ। ତେଣୁ ବିଭାଗୀୟ ତ୍ରୁଟିରୁ ହନ୍ତସନ୍ତ ହେଉଥିବା ୬ ଶହ ପୁରୁଣା ହିତାଧିକାରୀ ତଥା ଗରିବ ପରିବାରଙ୍କ କଥା କ’ଣ ହେବ, ତାହାକୁ ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ସମ୍ବନ୍ଧିତ ଖବର