ଭୁଲ ବୁଝାମଣାର କରୁଣ ପରିଣତି, ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଭୁଲ୍‌ ବୁଝାମଣା ଯୋଗୁଁ ହସଖୁସିର ଏକ ପରିବାର ଉଜୁଡ଼ି ଯାଇଛି। ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ କରିବା ପରେ ବେକରେ ଲୁଗା ଦେଇ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ, କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା ଗ୍ରାମର ପ୍ରଦୀପ୍ତ କୁମାର ପାତ୍ର। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଥିବା ବେଳେ ଗୁରୁତର ଆହତ ପତ୍ନୀ ମାନସୀ ପାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ‌‌ରେ ଭର୍ତ୍ତି କରାଇଛି।

ବିବାହ ପରେ ଏହି ପାତ୍ର ଦମ୍ପତି ତାଙ୍କ ଭଉଣୀ ରହୁଥିବା ରଙ୍ଗମାଟିଆ ଗ୍ରାମରେ ଭଡ଼ାରେ ରହୁଥି‌ଲେ। ସନ୍ତାନସନ୍ତତି ନଥିବାରୁ ସେମାନେ ଭିଣୋଇଙ୍କ ପୁଅକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ। ପ୍ରଦୀପ୍ତ ବିଏସ୍‌ଏନ୍‌ଏଲ୍ ଅଫିସରେ କାମ କରୁଥିବା ବେଳେ ମାନସୀ ଘରେ ରହୁଥିଲେ। ତେବେ ଭୁଲ୍‌ ବୁଝାମଣାକୁ ନେଇ ସ୍ବାମୀ-ସ୍ତ୍ରୀ ସଂପର୍କରେ ଫାଟ ଦେଖାଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେବେ ପାଖରେ ରହୁଥିବା ଭଉଣୀ-ଭିଣୋଇ ଏହାର ସମାଧାନ କରୁଥିଲେ। ଦୁଇ ଦିନ ତଳେ ମଧ୍ୟ ଦମ୍ପତିଙ୍କ ଝଗଡ଼ା ହେବାରୁ ଭଉଣୀ-ଭିଣୋଇ ସମାଧାନ କରିଥିଲେ। ହେଲେ ଗତ ବିଳମ୍ବିତ ରାତିରେ ପୁଣିଥରେ ସେହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଦୀପ୍ତ ଏକ ଲୁହାଛଡ଼ରେ ମାନସୀଙ୍କୁ ଆକ୍ରମଣ କରିଥିଲେ। ମୁଣ୍ଡ ଫାଟି ଯିବାରୁ ମାନସୀ ଚିତ୍କାର କରି ବାହାରକୁ ଚାଲି ଆସିଥିଲେ। କାଳେ ପ୍ରଦୀପ୍ତ ତାଙ୍କୁ ପିଛା କରି ଆକ୍ରମଣ କରିବେ, ସେଥିପାଇଁ ସେ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ମାନସୀଙ୍କ କାନ୍ଦବୋବାଳି ଶୁଣି ପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ବୁଝାସୁଝା କରିଥିଲେ। ସେତିକିବେଳେ ପ୍ରଦୀପ୍ତ ଫ୍ୟାନ୍‌ରେ ମାନସୀଙ୍କ ଏକ ଲୁଗା ଗୁ‌ଡ଼ାଇ ଝୁଲି ପଡ଼ିଥିଲେ। ପଡ଼ୋଶୀ କବାଟ ଖୋଲିବା ବେଳକୁ ପ୍ରଦୀପ୍ତ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ମାନସୀ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥି‌ଲେ। କିନ୍ତୁ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ।

ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହ ଜବତ କରିବା ସହ କ୍ୟାପିଟାଲ ହସ୍‌ପିଟାଲରେ ପତ୍ନୀଙ୍କ ବୟାନ ରେକର୍ଡ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବାରୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ହତ୍ୟାକାଣ୍ଡ ନେଇ ସୁରାକ୍‌ ମିଳିଲେ ଅପମୃତ୍ୟୁ ମାମଲା ହତ୍ୟା ମାମଲାକୁ ରୂପାନ୍ତରିତ ହେବ ବୋଲି ପୁଲିସ କହିଛି। ପ୍ରଦୀପ୍ତ ଅଯଥାରେ ପତ୍ନୀ ମାନସୀଙ୍କୁ ସନ୍ଦେହ କରୁଥିବାରୁ ଏଭଳି କରୁଣ ପରିଣତି ହୋଇଛି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର