ଭୁବନେଶ୍ବର: ବିଜେଡି ସରକାର ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଉ ନ ଥିଲା। ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏନେଇ ଅନେକ ଥର ଅଭିଯୋଗ ଆଣିଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମରେ ଭୁବନେଶ୍ବରର ତିନି ବିଧାୟକ ଓ ମେୟରଙ୍କୁ ଡକାଯାଉଥିବା ବେଳେ ସାଂସଦଙ୍କୁ କାହିଁକି ଖୋଜାଯାଉ ନାହିଁ ସେନେଇ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଏମ୍ସି ଉପରେ ବର୍ଷୁଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ଏବେ ଓଡ଼ିଶାରେ ବିଜେପି ସରକାର। ମୁଖ୍ୟମନ୍ତ୍ରୀ ବିଜେପିର। ସାଂସଦ ବି ବିଜେପିର। ହେଲେ ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଦେଖିବାକୁ ମିଳୁ ନାହିଁ। କେତେବେଳେ ନିମନ୍ତ୍ରଣପତ୍ରରେ ସାଂସଦଙ୍କ ନାଁ ରହୁଛି ତ ଆଉ କେବେ ଉଭାନ୍ ହୋଇଯାଉଛି। ତାଲିକାରେ ନାଁ ରହୁଥିଲେ ମଧ୍ୟ ସାଂସଦ ଆସୁନାହାନ୍ତି। ବିଧାୟକଙ୍କ ଅବସ୍ଥା ମଧ୍ୟ ତଦ୍ରୁପ୍। କେଉଁ କାର୍ଯ୍ୟକ୍ରମକୁ ଭୁବନେଶ୍ବରର ତିନି ବିଧାୟକଙ୍କୁ ଡକାଯାଉଛି ତ ଆଉ କେବେ କେବଳ ବିଜେପି ବିଧାୟକଙ୍କୁ ଡକାଯାଉଛି। ଦୁଇ ଦିନ ହେଲା ସହରରେ ଅନୁଷ୍ଠିତ ଦୁଇଟି ସରକାରୀ କାର୍ଯ୍ୟକ୍ରମକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି।
ସରକାରୀ କାର୍ଯ୍ୟକ୍ରମରେ ଲୁଚକାଳି ଖେଳ
ଉତ୍କଳ ଦିବସରେ ନିମନ୍ତ୍ରଣ ଥାଇ ଆସିଲେନି
ଖଡ଼ିଛୁଅଁା ଅତିଥି ତାଲିକାରେ ନଁା ନାହିଁ
ଜୟଦେବ ଭବନରେ ମଙ୍ଗଳବାର ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ଉତ୍ସବ ପାଇଁ ଛପାଯାଇଥିବା ନିମନ୍ତ୍ରଣପତ୍ରରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରହିଥିଲେ। ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେପି ବିଧାୟକ ବାବୁ ସିଂ, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସାଂସଦ କିମ୍ବା ବିଜେଡିର ଦୁଇ ଜଣ ଯାକ ବିଧାୟକ ଆସିଲେ ନାହିଁ। ଅତିଥିଙ୍କ ଲମ୍ବା ତାଲିକା ରହିଥିବାରୁ ଜୟଦେବ ଭବନରେ ଅଧିକ ସଂଖ୍ୟକ ଚେୟାର ମଞ୍ଚରେ ପଡ଼ିଥିବ ବୋଲି ଆଶା କରାଯାଉଥିଲା। ହେଲେ ଯେତିକି ଅତିଥି ଆସିଥିଲେ ସେତିକି ଚେୟାର ହିଁ ଥିଲା। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବିଜେଡିର ଦୁଇ ବିଧାୟକ ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରହୁଛନ୍ତି। ଯେଉଁଠି ଦୁଇ ବିଜେଡି ବିଧାୟକଙ୍କୁ ଦେଖିବାକୁ ମିଳୁଛି ସେଠାରେ ବିଜେପି ବିଧାୟକ ଶ୍ରୀ ସିଂ ଦେଖିବାକୁ ମିଳୁନାହାନ୍ତି। କିଛି ଦିନ ପୂର୍ବରୁ ବିଏମ୍ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସମୟରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ବିଜେଡିର ଦୁଇଜଣ ବିଧାୟକ ଓ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ହେଲେ ବିଜେପି ବିଧାୟକ ଆସି ନ ଥିଲେ।
ପରାଜିତ ପ୍ରାର୍ଥୀଙ୍କୁ ନେଇ ଅନନ୍ତଙ୍କ ପ୍ରଶ୍ନ
ଆଜି ବିଧାନସଭା ଶୂନ୍ୟକାଳରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ସରକାରୀ କାର୍ଯ୍ୟକ୍ରମ କିମ୍ବା ସମୀକ୍ଷା ବୈଠକରେ ନିର୍ବାଚିତ ଜନପ୍ରତିନିଧି ବସିବାର ନିୟମ ରହିଛି। ବୁକ୍ ସର୍କୁଲାରରେ ତାହା ସ୍ପଷ୍ଟ ଉଲ୍ଳେଖ ଅଛି। କିନ୍ତୁ ଭୁବନେଶ୍ବରରେ ସରକାରୀ କାର୍ଯ୍ୟକ୍ରମରେ କିପରି ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ବସାଯାଉଛି? ଯଦି ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ବସାଯାଉଛି, ତେବେ ଅନ୍ୟ ଦଳର ହାରିଯାଇଥିବା ପ୍ରାର୍ଥୀଙ୍କୁ କାହିଁକି ବସାଯିବନି? ସବୁ ଦଳ ପାଇଁ କ’ଣ ନିୟମ ଭିନ୍ନ ଭିନ୍ନ କି? ଶ୍ରୀ ଜେନାଙ୍କ ମନ୍ତବ୍ୟ ପରେ ଏକାମ୍ର ବିଧାୟକ ବାବୁ ସିଂହ କିଛି କହିବା ପାଇଁ ହାତ ଟେକିଥିଲେ। ତେବେ ସମୟ ଅଭାବରୁ ବାଚସ୍ପତି ତାଙ୍କୁ ସୁଯୋଗ ଦେଇ ନଥିଲେ।
ବଡ଼ଗଡ଼ ହାଇସ୍କୁଲରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରହିଥିଲେ। ଉତ୍ସବକୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଦୁଇଜଣ ବିଜେପି ବିଧାୟକ ଯଥା ବାବୁ ସିଂ ଓ ପ୍ରଶାନ୍ତ ଜଗଦେବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିଜ୍ଞାପନରେ ସେମାନଙ୍କ ନାମ ସହ ଭୁବନେଶ୍ବର ମେୟର ଶ୍ରୀମତୀ ଦାସଙ୍କ ନାଁ ରହିଥିଲା। ବିଜେଡିର କୌଣସି ବିଧାୟକ କିମ୍ବା ବିଜେପି ସାଂସଦଙ୍କ ନାମ ନିମନ୍ତ୍ରଣପତ୍ରରେ ନ ଥିଲା। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କାହିଁକି ସେମାନଙ୍କ ନାମ ରହିଲାନି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେପଟେ ଗତକାଲି କଟକ ଜିଲ୍ଲାର ସତ୍ୟଭାମାପୁରରେ ପାଳିତ ହୋଇଥିବା ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ସାମିଲ ହୋଇଥିଲେ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌଭିକ ବିଶ୍ୱାଳ, କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ, ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ଛବି ମଲ୍ଲିକ, ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ଓ ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ। କଟକରେ ସରକାରୀ କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ ସାମିଲ ହୋଇଥିବା ବେଳେ ଏଠାକାର ନେତାମାନେ କାହିଁକି ଗୋଠଛଡ଼ା ହେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/ananta-jena.jpg)