ଭୁବନେଶ୍ବର: ଆଜି ଉତ୍କଳ ଦିବସରେ ବିଏମ୍ସି ପକ୍ଷରୁ ୬ଟି ସ୍ଥାନରେ ୮ଟି କମ୍ପୋଷ୍ଟ ପ୍ଲାଣ୍ଟ ଲୋକାର୍ପିତ ହେଲା। ଏଥିରେ ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଅତିଥି ଭାବେ ଡକାଗଲା। କିନ୍ତୁ ଭୁବେନଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଗୋଟିଏ କାର୍ଯ୍ୟକ୍ରମକୁ ବି ଡକାଗଲାନି। ରାଜେନୖତିକ ମହଲରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ବିଏମ୍ସି ଯେତେବେଳେ ଆଡ଼ମ୍ବର ସହକାରେ କୌଣସି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ କରେ ସେଥିରେ ଭୁବନେଶ୍ବର ସାଂସଦ ସମେତ ଭୁବନେଶ୍ବରର ତିନି ବିଧାୟକଙ୍କୁ ଅତିଥି ଭାବେ ଡକାଯାଏ। ମାତ୍ର ଆଜି ଭୁବନେଶ୍ବର ସାଂସଦ ଓ ଭୁବନେଶ୍ବର ମଧ୍ୟ ବିଧାୟକଙ୍କୁ ଦେଖିବାକୁ ମିଳିଲାନି। ବିଏମ୍ସିର କୌଣସି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବା ଏବଂ ସାଂସଦ ଆସିବା ନ ଆସିବା ନେଇ ଚର୍ଚ୍ଚା ହେଉନି। କିନ୍ତୁ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଏମ୍ସି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବିଧାୟକ ଅନନ୍ତଙ୍କୁ ଡକା ନଯିବା ଚର୍ଚ୍ଚାର ବିଷୟ ପାଲଟିଛି। ଅନନ୍ତଙ୍କୁ ବିଏମ୍ସି କାର୍ଯ୍ୟକ୍ରମକୁ ନ ଡାକିବା ନେଇ ବିଏମ୍ସି କମିସନର ସନ୍ଦେହ ଘେରକୁ ଆସିଛନ୍ତି। ଏହା ପଛରେ ତାଙ୍କର କିଛି ଭିତିରି ଉଦ୍ଦେଶ୍ୟ ଅଛି ବୋଲି କୁହାଯାଉଛି। ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ତିନିଟି କମ୍ପୋଷ୍ଟ ପ୍ଲାଣ୍ଟ ଲୋକାର୍ପିତ ହୋଇଥିବାବେଳେ ଏଥିରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କୁ ଡକାଯାଇଥିଲା। କିନ୍ତୁ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ମଧୁସୂଦନ ନଗରରେ ହୁଇଲ୍ ଅଫ୍ କାଇଣ୍ଡନେସ୍ର ଶୁଭାରମ୍ଭ ଓ କାଇଣ୍ଡନେସ୍ ହବ୍ର ଉଦ୍ଘାଟନ ହୋଇଥିବାବେଳେ ଏହାକୁ ବିଏମ୍ସି ପ୍ରଶାସକ ସଂଗ୍ରାମଜିତ୍ ନାୟକ ଓ କମିସନର ପ୍ରେମଚନ୍ଦ୍ର ଚୌଧରୀ ଉଦ୍ଘାଟନ କରିଦେଇଥିଲେ।
ପ୍ରଶ୍ନ ଉଠୁଛି ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଯେଉଁ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେଲା, ଯଦି ସେଠାକୁ ସ୍ଥାନୀୟ ବିଧାୟକଙ୍କୁ ଡକାଗଲା ତେବେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଅଧୀନରେ ମଧୁସୂଦନ ନଗର ଯାଉଥିଲେ ହେଁ ସେଠାକୁ କାହିଁକି ସ୍ଥାନୀୟ ବିଧାୟକ ଅନନ୍ତଙ୍କୁ ଡକାଗଲାନି? ବିଏମ୍ସି କମିସନର ଉଦ୍ଦେଶ୍ୟମୂଳକ ଭାବେ ଭୁବନେଶ୍ବର ମଧ୍ୟ ବିଧାୟକଙ୍କୁ ଆଜିର କାର୍ଯ୍ୟକ୍ରମକୁ ଡାକିନଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଅଧିକ ଦୃଢୀଭୂତ କରୁଛି ପୂର୍ବରୁ ହୋଇଥିବା କମ୍ପୋଷ୍ଟ ପ୍ଲାଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମ। କାରଣ ପୂର୍ବରୁ ରାଜଧାନୀରେ ୮ଟି କମ୍ପୋଷ୍ଟ ପ୍ଲାଣ୍ଟ ଉଦ୍ଘାଟନ ହୋଇଥିବାବେଳେ ଏଥିରୁ ୭ଟି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅଛି। ଏହାର ଉଦ୍ଘାଟନ କାର୍ଯ୍ୟକ୍ରମକୁ ମଧ୍ୟ ବିଧାୟକଙ୍କୁ ଡକାଯାଇନଥିଲା। ଏପରିକି କମିସନର ଓ ବିଏମ୍ସିର ବରିଷ୍ଠ ଅଧିକାରୀ ୮ଟି ଯାକ କମ୍ପୋଷ୍ଟ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ।
ଯଦି ପୂର୍ବରୁ କୌଣସି କମ୍ପୋଷ୍ଟ ପ୍ଲାଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ଡକାଯାଇନଥିଲା ତେବେ ଆଜି କାହିଁକି ଡକାଗଲା? ଯଦି ବି ଡକାଗଲା ତେବେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ହେଉଥିବା କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କୁ ଡାକିଥିଲେ ବିବାଦ ଉପୁଜିନଥାନ୍ତା। ହେଲେ କେଉଁ ଉଦ୍ଦେଶ୍ୟରେ ଭୁବନେଶ୍ବର ମଧ୍ୟ ବିଧାୟକଙ୍କୁ ଅପମାନିତ କଲା ଭଳି ଆଜିର କାର୍ଯ୍ୟକ୍ରମରୁ ଦୂରେଇ ରଖାଗଲା ସେନେଇ ବିଏମ୍ସିର କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି।
ଅପରପକ୍ଷେ ବିଏମ୍ସିର କୌଣସି କାର୍ଯ୍ୟକ୍ରମରେ ପ୍ରଶାସକ ଓ କମିସନରଙ୍କୁ ଏକାଠି ଦେଖିବାକୁ ମିେଳନି। ବିଏମ୍ସି ଅଫିସରେ ପାଳନ ହେଉଥିବା ସ୍ବାୟତ୍ତ ଶାସନ ଦିବସ ହେଉ କି ସ୍ବାଧୀନତା ଦିବସ; ଯେଉଁଠି ପ୍ରଶାସକ ଉପସ୍ଥିତ ରୁହନ୍ତି ସେଠାକୁ କମିସନର ଆସନ୍ତିନି। କିନ୍ତୁ ଆଜି ମଧୁସୂଦନ ନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶାସକଙ୍କୁ ଅତିଥି ଭାବେ ଡକାଯାଇଥିଲା। ସେଠାରେ କମିସନର ଉପସ୍ଥିତ ଥିଲେ। ଏହା ମଧ୍ୟ ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।