ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ ଅଧୀନ ହଂସପାଳ, ରୁଦ୍ରପୁର, ନହରକଣ୍ଟା, ହରିଦାସପୁର, ସାହାବାଦ, ବଙ୍ଗୁଆରି, ନୂଆପାଟଣା ଆଦି ଅଞ୍ଚଳରେ ୧୦ବର୍ଷ ଧରି ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ଧନଜୀବନ ନଷ୍ଟ ସହ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଓ ବିଧାୟକ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ଆଜି ନବନିର୍ବାଚିତ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ପୌର ଆୟୁକ୍ତ ଆଜି କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକଙ୍କଠାରୁ ଜଳବନ୍ଦୀର କାରଣ ଓ ନିରାକରଣ ସମ୍ପର୍କରେ ପଚାରି ବୁଝିଥିଲେ। ଅତ୍ୟୁଚ୍ଚ ପ୍ରାଚୀର ଓ ଅଣକୃଷି ବ୍ୟା‌ବସାୟିକ ପ୍ରତିଷ୍ଠାନ ନିର୍ମାଣ ଦ୍ୱାରା ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିଲା। ନିର୍ମାଣ ପ୍ଲାନ୍‌ ଅନୁମୋଦନ ସମୟରେ ଜଳ ନିଷ୍କାସନ ପାଇଁ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବାକୁ ଭୁବନେଶ୍ୱର ମହାନଗର ନିଗମର ପୌର ଆୟୁକ୍ତ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀ ସେଠାରେ ଉପସ୍ଥିତ ଥିବା ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଞ୍ଚଳବାସୀଙ୍କ ମଧ୍ୟ‌ରେ ନୂତନ ଆଶା ସଞ୍ଚାର ହୋଇଛି।