ଭୁବନେଶ୍ବର: ସେତେବେଳକୁ ତାଙ୍କ ହେତୁ ପାଇ ନଥିଲା। ଖାଲି ଏତିକି ଜାଣିଛନ୍ତି ଯେ ତାଙ୍କୁ ୩ ବର୍ଷ ହୋଇଥିବା ବେଳେ ପରିବାର ସହ ସେ ପଶ୍ଚିମବଙ୍ଗ ଚାଲି ଆସିଥିଲେ। କିନ୍ତୁ ସ୍ଥିତି ଏମିତି ଥିଲା ଯେ ତାଙ୍କ ପରିବାରକୁ ଶରଣାର୍ଥୀ ଭଳି ରହିବାକୁ ପଡ଼ିଲା। ପରିବାରର ଆର୍ଥିକ ଅବସ୍ଥା ଆଦୌ ସ୍ବଚ୍ଛଳ ନ ଥିବାରୁ ୧୪ବର୍ଷ ବୟସରେ ଘର ଛାଡ଼ି ଚା’ ଦୋକାନରେ, ଷ୍ଟେସନ୍‌ରେ କୁଲି ଓ ରିକ୍ସା ଚଲାଇବା ଭଳି କାମ କରି ଜୀବନ ଜିଇଁଲେ। ସେତେବେଳେ ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଗଲା, ଯେଉଁଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ତେବେ ଜେଲ୍‌‌‌ରେ ସେଇ ଅଢ଼େଇ ବର୍ଷ ତାଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ ଆଣିଦେବ ବୋଲି ସେ କଳ୍ପନା ସୁଦ୍ଧା କରି ନଥିଲେ। ଅକ୍ଷର ଶିଖି ନଥିବା ଜଣେ ମଳିମୁଣ୍ଡିଆକୁ ଦେଶର ସଫଳ ସାହିତ୍ୟିକମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଗଢ଼ି ତୋଳିବ ବୋଲି ସେ ଭାବି ନଥିଲେ। ତାଙ୍କ ରଚିତ ସାହିତ୍ୟକୃତି ଆଜି ବିପୁଳ ପାଠକୀୟ ଆଦୃତି ଲାଭ କରୁଛି। ତାଙ୍କ ବହିଗୁଡ଼ିକ ‘ଆମାଜନ୍‌’ରେ ବହୁଳ ଭାବେ ବିକ୍ରି ହେଉଛି।

Advertisment

‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ପକ୍ଷରୁ ଆୟୋଜିତ ଓଡ଼ିଶା ସାହିତ୍ୟ ଉତ୍ସବରେ ଯୋଗଦେଇଥିବା ପଶ୍ଚିମବଙ୍ଗର ବିଧାୟକ ତଥା ବିଶିଷ୍ଟ ସାହିତ୍ୟିକ ମନୋରଂଜନ ବ୍ୟାପାରୀ ‘ସମ୍ବାଦ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଆଜି ଏଭଳି ଅନୁଭୂତି ବଖାଣିଛନ୍ତି। ସେ କହିଥିଲେ ଯେ ଜେଲ୍‌ ଯିବା ପୂର୍ବରୁ ସେ ସ୍କୁଲ ମାଟି ମାଡ଼ି ନଥିଲେ। କିନ୍ତୁ ଜେଲରେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପାଠ ପଢ଼ିବା ଆରମ୍ଭ କରିଥିଲେ। ପାଠପଢ଼ା ନିଶା ତାଙ୍କୁ ଏଭଳି ଧରିଲା ଯେ ଅଢ଼େଇ ବର୍ଷର ଜେଲ ଜୀବନରେ ବଙ୍ଗଳା ଅକ୍ଷର ଲେଖିବା ସହ ଯେଉଁ ବହି ପାଇଲେ, ସବୁ ପଢ଼ି ପକାଇଲେ। ଜେଲରୁ ମୁକୁଳିବା ପରେ ରିକ୍ସା ଚଳାଇବା ସହ ଆହୁରି ବହି ପଢ଼ିବାକୁ ଲାଗିଲେ। ଦିନକର କଥା, ତାଙ୍କ ରିକ୍ସାରେ ପ୍ରଖ୍ୟାତ ସାହିତ୍ୟିକା ମହାଶ୍ବେତା ଦେବୀ ବସିଥିଲେ। ସେତେବେଳେ ମନୋରଞ୍ଜନ ‘ଜିଜିବସା’ ନାମକ ଗୋଟିଏ ଶବ୍ଦର ଅର୍ଥ ପଚାରିଲେ।

ରିକ୍ସା ଚାଳକ ମୁହଁରୁ ଏଭଳି ଶବ୍ଦ ଶୁଣି ମହାଶ୍ବେତା ଆଚମ୍ବିତ ହୋଇପଡ଼ିଥିଲେ। ତାଙ୍କ ଦ୍ବାରା ପ୍ରକାଶିତ ପତ୍ରିକା ‘ବର୍ତ୍ତିକା’ ପାଇଁ ଗପ ଲେଖିବାକୁ ସେ ମନୋରଞ୍ଜନକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ମନୋରଞ୍ଜନଙ୍କ ପ୍ରଥମ ଗପ ‘ବର୍ତ୍ତିକା’ରେ ପ୍ରକାଶିତ ହେଲା। ତା’ ପରଠାରୁ ତାଙ୍କ ଲେଖନୀ ଆଉ ଅଟକି ନାହିଁ। ଲଗାତାର ସେ ଗଳ୍ପ, ଉପନ୍ୟାସ ଲେଖି ଚାଲିଲେ। ତାଙ୍କ ରଚିତ ପ୍ରତ୍ୟେକ ସାହିତ୍ୟ ଦଳିତଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅତ୍ୟାଚାରର କଥା କହୁଥିଲା। ମନୋରଂଜନ କହିଛନ୍ତି, ଧାର୍ମିକ କଟରବାଦ୍‌ ବିରୋଧରେ ଲଗାତାର ଲେଖନୀ ଚାଳନା ଯୋଗୁଁ ବାରମ୍ବାର ତାଙ୍କୁ ହତ୍ୟା ଧମକ ମିଳିବା ପରେ ବାଧ୍ୟ ହୋଇ ଅଢ଼େଇ ବର୍ଷ ତଳେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ। ଲୋକଙ୍କ ଆସ୍ଥା ଜିତି ବିଧାୟକ ହେବାରେ ବି ସଫଳ ହୋଇଥିଲେ।