ଜେଲରେ କଟିଲା ବିଧାୟକଙ୍କ ଗୋଟିଏ ଦିନ : ସକାଳେ ଚା, ଉପମା ଓ ଘୁଗୁନି

ମଧ୍ୟାହ୍ନରେ ଭାତ, ରୁଟି, ତରକାରି, ଧାଡ଼ିରେ ଛିଡ଼ା ହୋଇ ଖାଇଲେ

ଭୁବନେଶ୍ୱର : ଅୟସ ଆରାମରେ ଜୀବନ ବିତାଉଥିଲେ। ଆକାଉଣ୍ଟକୁ ଆସୁଥିଲା କୋଟି କୋଟି ଟଙ୍କା। ଭାବୀ ଜ୍ବାଇଁ ଆକାଶ ପାଠକ ସହ ଚାର୍ଟର୍‌ ବିମାନରେ ଆକାଶରେ ଘୂରି ବୁଲୁଥିଲେ। ତାଜ୍ ପ୍ୟାଲେସ୍‌ ହୋଟେଲରେ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦେଉଥିଲେ। ଖାଲି ଅୟସ ଆରାମର ଜୀବନ ନ ଥିଲା, ବେଶ୍ ପ୍ରଭାବଶାଳୀ ମଧ୍ୟ ଥିଲେ ଗୋପା​ଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କିନ୍ତୁ ସେ ଯେ ଦିନେ ଜେଲ୍‌ର ଚାରିକାନ୍ଥ ଦେଖିବେ, ତାହା ସ୍ବପ୍ନ‌ରେ ସୁଦ୍ଧା ଭାବି ନଥିଲେ। ଗତକାଲି ଗିରଫ ହୋଇ ଜେଲ୍ ଯିବା ପରେ ତାଙ୍କର ଅକଲଗୁଡୁମ୍‌ ହୋଇଯାଇଥିଲା। ଯେତିକି ସମ୍ମାନ ମିଳୁଥିଲା, ଆଜି ଜେଲ୍ ଯିବା ପରେ ଢେର୍ ଅଧିକ ନିନ୍ଦା ମଧ୍ୟ ମିଳିଛି। କେମିତି ଜେଲରେ ଦିନ କାଟିବେ, ତାକୁ ନେଇ ଝାଳ ବୋହି ଯାଇଥିଲା ପ୍ରଦୀପଙ୍କର।

ଜାମିନ ନାମଞ୍ଜୁର ହେବା ପରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପହଞ୍ଚି ଥିବା ପ୍ରଦୀପଙ୍କୁ ମିଳିଥିଲା ୧୪ ନମ୍ବର ଵାର୍ଡ। ଜେଲ୍ ପକ୍ଷରୁ ଦୁଇଟି କମ୍ବଳ, ଦୁଇଟି ଥାଳି, ଦୁଇଟି ଗିନା ଯୋଗାଇ ଦିଆଯାଇଥିଲା। ରାତିରେ ଖାଦ୍ୟ ଖାଇ ଜେଲକୁ ଯାଇଥିଲେ। କିନ୍ତୁ ଭଲ ଭାବେ ନିଦ ହୋଇ ନ ଥିଲା। ଦୀର୍ଘ ସମୟ ଧରି କଡ଼ ଲେଉଟାଉଥିଲେ। ମଝିରେ ମଝିରେ ଉଠି ବସି ପଡ଼ୁଥିଲେ। ଥଣ୍ଡା ପଡ଼ିଥିବାରୁ କମ୍ବଳ ଘୋଡ଼ି ହୋଇଥିଲେ। ଭୋର୍‌ ସମୟରେ ନିଦ ଲାଗି ଯାଇଥିଲା। କିନ୍ତୁ ଜେଲ୍ ନିୟମ ଅନୁସାରେ, ସକାଳ ୬ଟା ସୁଦ୍ଧା ଉଠିବାକୁ ପଡ଼ିଥିଲା। ନିତ୍ୟକର୍ମ ସାରିବା ପରେ ସବୁ କଏଦୀଙ୍କ ଭଳି ସେ ମଧ୍ୟ ଚା’ ପିଇଥିଲେ। ସକାଳ ଜଳଖିଆରେ ଉପମା, ଘୁଗୁନି ଖାଇଥିଲେ। ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳି ଯାଇଥିଲା ମଧ୍ୟାହ୍ନ ଭୋଜନ। ଏଥିରେ ଭାତ, ରୁଟି, ଡାଲି ଓ ତରକାରି ଦିଆଯାଇଥିଲା। ଅନ୍ୟ କଏଦୀମାନଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଥାଳିରେ ଖାଦ୍ୟ ନେଇଥିଲେ ପ୍ରଦୀପ। ସବୁବେଳେ ଘର ଖାଦ୍ୟ ଓ କେତେକ ସମୟରେ ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଉଥିବା ପ୍ରଦୀପଙ୍କୁ ଜେଲ୍ ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସନ୍ଧ୍ୟା ସୁଦ୍ଧା ରାତି ଖାଇବା ମିଳି ଯାଇଥିଲା। ରାତିରେ ଭାତ ଓ ରୁଟି ଥିବା ବେଳେ ରୁଟିକୁ ବାଛିଥିଲେ ପ୍ରଦୀପ। ରୁଟି ସାଙ୍ଗରେ ଡାଲି ଓ ସନ୍ତୁଳା ଖାଇଥିଲେ।

ସମ୍ବନ୍ଧିତ ଖବର