ଖଣ୍ଡଗିରି: ଦିନକ ପରେ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା ମହାସମର। ମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ହୋଇଥିବାରୁ ପ୍ରତିଷ୍ଠିତ ଯାତ୍ରା ପାର୍ଟି ନିଜର ଶ୍ରେଷ୍ଠ ନାଟକ ନେଇ ଖଣ୍ଡଗିରି ଆସିବେ। ହଜାର ହଜାର ନାଟ୍ୟ ଓ କଳାପ୍ରେମୀଙ୍କ ଭିଡ଼ ମଧ୍ୟ ଜମିବ। ଏହାର ଅବ୍ୟବହିତ ପୂର୍ବରୁ ଏକାମ୍ର ବିଧାୟକ ବାବୁ ସିଂହଙ୍କ ‘ଠେଙ୍ଗା ଅଭିଯାନ’ ଧମକ ଏବେ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହାଇଛି। ଜଣେ ଶାସକ ଦଳର ବିଧାୟକ ଅଶ୍ଳୀଳତା ବନ୍ଦ ପାଇଁ ଠେଙ୍ଗା ମାଡ଼ ଚେତାବନୀ ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଅଶ୍ଳୀଳତା ବିରୋଧୀ ଆଭିମୁଖ୍ୟକୁ ପ୍ରଶଂସା ମିଳିଥିଲା ବେଳେ ଏହାର ବିରୋଧ ତରିକାକୁ ନାପସନ୍ଦ କରାଯାଇଛି।
ଦର୍ଶକ ଟାଣିବା ଲାଗି ନାଟକରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ହେଉଛି। ଅନେକ ସମୟରେ କିଛି କଳାକାର ଆଇଟମ୍ ନୃତ୍ୟ ନାମରେ ଆଶ୍ଳୀଳତାର ସବୁ ସୀମା ଲଂଘୁଛନ୍ତି। ଏମିତି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି। ଅତୀତରେ ଖଣ୍ଡଗିରି ଯାତ୍ରା ସମୟରେ ଅଶ୍ଳୀଳତାକୁ ନେଇ ଅନେକ ବାଦ ବିବାଦ ପରେ କିଛିବର୍ଷ ହେଲା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ମଧ୍ୟ ହେଉ ନାହିଁ।
ସରକାରଙ୍କ ଉପରେ
ଭରସା ପାଇଲାନି କି?
ଅଶ୍ଳୀଳତା ବିରୋଧୀ ଆଭିମୁଖ୍ୟକୁ ପ୍ରଶଂସା, ତରିକାକୁ ନାପସନ୍ଦ
ଆଇନକୁ ହାତକୁ ନେବାର ଅଧିକାର କାହାରି ନାହିଁ: ସିପିଆଇ(ଏମ୍)
ଏଥର ସ୍ଥାନୀୟ ବିଧାୟକ ଭାବେ ଅଶ୍ଳୀଳତାକୁ ବନ୍ଦ କରିବାକୁ ଶ୍ରୀ ସିଂହ ଆହ୍ବାନ ଦେବା ଘଟଣାକୁ ସମସ୍ତେ ସ୍ବାଗତ କରିଛନ୍ତି। କେବଳ ଖଣ୍ଡଗିରିରେ ନୁହେଁ, ସାରା ରାଜ୍ୟରେ ଯାତ୍ରାରେ ଏହା ବନ୍ଦ ହେବା ଆବଶ୍ୟକ। ପୂର୍ବରୁ ମଧ୍ୟ ଶ୍ରୀ ସିଂହ ବିଧାନସଭାରେ ଅଶ୍ଳୀଳତା ବନ୍ଦ କରିବାକୁ ଦାବି କରିବା ସହ ସିନେମା ଭଳି ଯାତ୍ରା ଲାଗି ସେନ୍ସର୍ ବୋର୍ଡ କରାଯାଇ ଅପେରା ସଂସ୍କୃତିକୁ ନଗ୍ନତାରୁ ରକ୍ଷା କରିବା ଲାଗି ଦାବି ଉଠାଇଛନ୍ତି। ସଂସ୍କୃତି ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ସେ ଏ ସମ୍ପର୍କରେ କମିଟି ଗଠନ କରି ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ, କଳାକୁ କଳୁଷିତ କରୁଥିବା ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ଉପରେ ନିଶ୍ଚିତ ଅଙ୍କୁଶ ଲଗାଯିବ ବୋଲି କହିଥିଲେ। ଏ ବାବଦରେ ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହେଲେ ଏହି ପ୍ରସଙ୍ଗଟି ବେଶୀ ବାଟ ଆଗେଇପାରିନି। ଏସବୁ କେବଳ ବୟାନବାଜିରେ ସୀମିତ ରହିଯାଇଛି। ବାସ୍ତବରେ ସରକାରଙ୍କ ଆନ୍ତରିକତା ନାହିଁ ନା ଅଶ୍ଳୀଳତା ରୋକିବାକୁ ବାଟ ପାଉନାହାନ୍ତି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବହୁ ସଚେତନ ନାଗରିକଙ୍କ ମତ ହେଉଛି, ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଭାବେ ପ୍ରଶାସନ ଓ ପୁଲିସ ସହ ଆଲୋଚନା କରି ଆଇନଗତ ଭାବେ ସବୁ ପଦକ୍ଷେପ ନେବାର ଅଧିକାର ବିଧାୟକଙ୍କର ରହିଛି। କିନ୍ତୁ ନିଜେ ଠେଙ୍ଗା ବାହିନୀ ଗଠନ କରି ସେ ପ୍ରମାଣିତ କରି ଦେଇଛନ୍ତି ଯେ ପୁଲିସ ଓ ପ୍ରଶାସନ ଭରସାଯୋଗ୍ୟ ନୁହେଁ। ଶାସକ ଦଳର ବିଧାୟକଙ୍କର ନିଜ ସରକାର ଉପରେ ଏବଂ ଆଇନ କାନୁନ୍ ଉପରେ ଭରସା ନ ପାଇବା ପୂରା ସରକାରକୁ କାଠଗଡ଼ାକୁ ଟାଣି ଦେଉଛି। ଯଦି ବିଧାୟକଙ୍କ ଠେଙ୍ଗା ଅଶ୍ଳୀଳତା ବନ୍ଦ କରିପାରୁଛି, ତେବେ ରାଜଧାନୀର ସୁରକ୍ଷା ପାଇଁ ଏହି ଠେଙ୍ଗା ବାହିନୀ କାର୍ଯ୍ୟ କରିପାରିବ କି ବୋଲି ବହୁ ଲୋକ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ଏପରି ଆଭିମୁଖ୍ୟ ସମ୍ପର୍କରେ ପୁଲିସ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛି। ଏ ସମ୍ପର୍କରେ ପୁଲିସର କୌଣସି ପଦାଧିକାରୀ କିଛି କହୁ ନାହାନ୍ତି। ଏହି ଘଟଣାକୁ ସିପିଆଇ(ଏମ୍) ପକ୍ଷରୁ ନିନ୍ଦା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଅଶ୍ଳୀଳତା ବିରୋଧରେ କହିବାକୁ ଯାଇ ଆଇନକୁ ହାତକୁ ନେବାର ଅଧିକାର କାହାରି ନାହିଁ। ପୁଲିସର ନିରବତା ଓ ନିଷ୍କ୍ରିୟତା ଯୋଗୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହିଭଳି ଧମକ ନୀତିକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/05/TN1z5EdJgAwPL9OxYpvX.jpg)